ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାର ସୋମବାରଠୁ ରାଜ୍ୟର ସମସ୍ତ ଅଞ୍ଚଳରେ ଜାତିଭିତ୍ତିକ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଛନ୍ତି। ଯାହା ମଧ୍ୟରେ ପୋଲିସ ରେକର୍ଡ ଓ ସର୍ବସାଧାରଣ ସ୍ଥାନରେ ନିଜ ଜାତି ବିଷୟରେ କୌଣସି ପ୍ରକାର ଉଲ୍ଲେଖ ହୋଇପାରିବ ନାହିଁ। ଆହ୍ଲାବାଦ ହାଇକୋର୍ଟ ରାଜ୍ୟରେ ଜାତିଆଣ ଆକ୍ଷେପ ବୃଦ୍ଧି ପାଉଥିବା ନେଇ ମନ୍ତବ୍ୟ ଦେବା ପରେ ଯୋଗି ସରକାର ଏହି ନୂଆ ନିୟମ ଲାଗୁ କରିଛନ୍ତି।

ଏନେଇ ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ ଦୀପକ କୁମାର ଏକ ଆଧିକାରିକ ପତ୍ର ଜାରି କରିଛନ୍ତି। ଯେଉଁଥିରେ ସମସ୍ତ ବିଭାଗକୁ ସୂଚନା ଦିଆଯାଇ ଉଲ୍ଲେଖ ରହିଛି ଯେ ଏଣିକି ପ୍ରାଥମିକ ତଦନ୍ତ ରିପୋର୍ଟ(FIR), ଗିରଫ ପରୱାନା ସହ ସମସ୍ତ ପୋଲିସ ନଥିପତ୍ରରେ ସଂଧିଗ୍ଧଙ୍କ ପରିଚୟ ପାଇଁ ସେମାନଙ୍କ ଜାତି ବଦଳରେ ସେମାନଙ୍କ ପିତାମାତାଙ୍କ ନାମ ଉଲ୍ଲେଖ ରହିବ।

ଏହାସହ ପୋଲିସ ନୋଟିସ ବୋର୍ଡ, ଗାଡି ଓ ସାଇନ ବୋର୍ଡରେ ଲାଗିଥିବା ବିଭିନ୍ନ ଜାତିଗତ ଚିହ୍ନ, ଷ୍ଟିକର, ସ୍ଲୋଗାନ ଓ ସୁପାରିଶ ଆଦିକୁ ତତ୍କାଳ ପ୍ରଭାବରେ ହଟାଇବାକୁ ଏହି ପତ୍ରରେ ଉଲ୍ଲେଖ ରହିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ହେଉଥିବା ଜାତିଗତ ରାଲି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଏହାଛଡା ବିଭିନ୍ନ ସାମଜିକ ଗଣମାଧ୍ୟମରେ ହେଉଥିବା ଜାତିଆଣ ଆକ୍ଷେପ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପୋଲିସକୁ ଆଦେଶ ଜାରି କରାଯାଇଛି।

ସରକାର ସ୍ପଷ୍ଟ କରିଛନ୍ତି ଯେ ଅନୁସୂଚିତ ଜାତି ଏବଂ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ଅନୁଯାୟୀ ଦାୟର ହୋଇଥିବା ମାମଲାରେ ଏହି ନିୟମ ଲାଗୁ ହେବ ନାହିଁ। କାରଣ ଏପରି ମାମଲାରେ ଜାତି ଚିହ୍ନଟ କରିବା ପାଇଁ ଆଇନଗତ ଆବଶ୍ୟକତା ରହିଛି। ତେବେ ହାଇକୋର୍ଟ ଶୁଣାଣୀ ଆଧାରରେ ଆଗରୁ ପ୍ରଚଳିତ ନିୟାମକରେ ସଂଶୋଧନ କରାଯାଇ ବହୁ ଜଲଦି ଏନେଇ ନୂଆ ମାର୍ଗଦର୍ଶିକା(SOP) ଓ ପୋଲିସ ମାନୁଆଲ ଜାରି କରାଯିବା ନେଇ ସୂଚନା ମିଳିଛି।

ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହେବା ପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏନେଇ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ଏନେଇ ସେ କହିଛନ୍ତି ଯେ, ସରକାର ଏ ଦିଗରେ ପ୍ରଶାସନିକ ଦିଗରେ ରହିତାଦେଶ ଲଗାଇଲେ କଣ ହେବ, ଏହା ତୃଣମୁଳ ସ୍ତରରେ କାର୍ଯ୍ୟକାରୀ ହେବାର ଆବଶ୍ୟକତା ରହିଛି। ୫୦୦ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ଘୃଣ୍ୟ ପ୍ରଥା ପାଇଁ ବର୍ତ୍ତମାନ ସରକାରଙ୍କ ଚେତା ପଶିଲା। ବର୍ତ୍ତମାନ ବି ଏମିତି ଅନେକ ଜଣ ଅଛନ୍ତି ଯେଉଁମାନଙ୍କ ସାଙ୍ଗିଆ ଶୁଣି ସମାଜର ଅନେକ ଲୋକ ସେମାନଙ୍କୁ ନେଇ ସମାଲୋଚନା କରିଥାନ୍ତି। ଏନେଇ ସମାଜରେ ସଚେତନତା ଜାରି ହେବାର ଆବଶ୍ୟକତା ରହିଛି।