ବୁର୍ଲା,୧୩/୦୯: ଆଜି ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍) ୧୬ତମ ସମାବର୍ତ୍ତନ ଉତ୍ସବ । ଭିସୁଟ୍ ପରିସର ଶ୍ରୀ ବିଶ୍ୱେଶ୍ୱରାୟ ପ୍ରେକ୍ଷାଳୟରେ ରାଜ୍ୟପାଳ ଓ ଭିସୁଟ୍ କୁଳାଧିପତି ଡ. ହରିବାବୁ କମ୍ଭମପଟିଙ୍କ ଅଧ୍ୟକ୍ଷତାରେ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେବେ । ରାଜ୍ୟ ସରକାରଙ୍କ ଗ୍ରାମ୍ୟ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଭିସୁଟ୍ ଗୋଲ୍ଡେନ୍ ଜୁବୁଲି ସେମିନାର୍ ହଲରେ ଏକ ସାମ୍ୱାଦିକ ସମ୍ମିଳନୀରେ କୁଳପତି ପ୍ରଫେସର ଡ. ଦୀପକ କୁମାର ସାହୁ ଏହି ସୂଚନା ଦେଇଛନ୍ତି ।
ସେ ଆହୁରି ସୂଚନା ଦେଇ କହିଛନ୍ତି ଯେ, ଚଳିତ ବର୍ଷ ବିଭିନ୍ନ ବିଭାଗର ୧୨୨୦ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ ଲକ୍ଷ୍ୟ ରଖାଯାଇଛି । ସେମାନଙ୍କ ମଧ୍ୟରେ ପିଏଚ୍ଡି କାର୍ଯ୍ୟକ୍ରମରେ ୭୪ ଜଣ, ଏମ୍ଟେକ ୧୦୪ ଜଣ, ଏମ୍ଏରେ ୩୯ ଜଣ, ଏମ୍ଏସ୍ସିରେ ୫୯ ଜଣ, ଇଣ୍ଟିଗ୍ରେଟେଡ୍ ଏମ୍ସିଏ ୪୭ ଜଣ, ବିଟେକ୍ରେ ୮୭୬ ଜଣ, ବିଆର୍ଚ୍ଚ (ସ୍ଥାପତ୍ୟ)ରେ ୧୭ ତଥା ବିଟେକ୍ ଓ ଏମ୍ ଟେକ୍ ଦ୍ୱେତ ଡିଗ୍ରୀ ପାଇଁ ୪ ଜଣଙ୍କୁ ଡିଗ୍ରୀ ପ୍ରଦାନ କରାଯିବ । ଏହାବ୍ୟତିତ ଶିକ୍ଷାରେ ଉତ୍କୃଷ୍ଟତା ପାଇଁ ୨୭ ଜଣଙ୍କୁ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣ ପଦକ, ୮ ଜଣଙ୍କୁ ଡୋନୋର୍ସ ସ୍ୱର୍ଣ୍ଣପଦକ, ୩୦ ଜଣଙ୍କୁ ମେଧା ପ୍ରମାଣପତ୍ର ଓ ୪ ଜଣ ଶ୍ରେଷ୍ଠ ପୁରାତନ ଛାତ୍ରଙ୍କୁ ସମ୍ମାନୀତ କରାଯିବାର କାର୍ଯ୍ୟକ୍ରମ ରହିଛି । ସାମ୍ୱାଦିକ ସମ୍ମିଳନୀରେ କୁଳସଚିବ ପ୍ରଦୀପ କୁମାର ଡାଙ୍ଗ, ଡିନ ପ୍ରଫେସର, ସଞ୍ଜୟ କୁମାର ପାତ୍ର ଓ ଡିନ୍ (ପିଜିଏସ୍ଆର୍) ପ୍ରଫେସର ରବୀନ୍ଦ୍ର କୁମାର ସାହୁ ଉପସ୍ଥିତ ଥିଲେ । ମେକାନିକାଲ ଇଞ୍ଜିନିୟରିଂ ବିଭାଗର ଆସିଷ୍ଟାଣ୍ଟ୍ ପ୍ରଫେସର ଡ. ଦେବସ୍ମିତା ମିଶ୍ର ସାମ୍ୱାଦିକ ସମ୍ମିଳନୀକୁ ପରିଚାଳନା କରିଥିବା ବେଳେ ପ୍ରଫେସର ପ୍ରିୟରଞ୍ଜନ ମହାପାତ୍ର ଓ ପ୍ରଫେସର ଏସ.କେ ପାଇକରାଏଙ୍କ ସମେତ ଭିସୁଟ ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମଚାରୀ ସହଯୋଗ କରିଥିଲେ ।