ଭୁବନେଶ୍ୱର: ଶୁକ୍ରବାର ଭୁବନେଶ୍ୱର ସ୍ଥିତ ବିଶେଷ କୋର୍ଟ (ଅଧିକୃତ ଅଧିକାରୀ, ସ୍ୱତନ୍ତ୍ର କୋର୍ଟ), ଓଡ଼ିଶା ଭିଜିଲାନ୍ସ ଦ୍ୱାରା ପୂର୍ବତନ ବରିଷ୍ଠ ଭୂବିଜ୍ଞାନୀ ନୀରାକାର ରାଉତଙ୍କର ସମସ୍ତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଜବତ କରିବା ନିମନ୍ତେ ଆଦେଶ ଜାରି କରିଥିଲେ। ଭିଜିଲାନ୍ସ ବିଭାଗ ଦ୍ୱାରା ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ଯାଜପୁର ରୋଡରେ ଥିବା ଏକ ବିଲଡିଂ ଏବଂ ଏକ ହୋମଷ୍ଟେଡ ପ୍ଲଟ ସମେତ ଅନ୍ୟାନ୍ୟ ସମ୍ପତ୍ତି ଯଥା ବ୍ୟାଙ୍କ ଜମା ରାଶି ଆଦି ଅନ୍ତର୍ଭୁକ୍ତ ରହିଛି।

ଆପଣଙ୍କୁ ଜଣାଇରଖୁ ଯେ, ନୀରାକାର ରାଉତ ଭୁବନେଶ୍ୱରସ୍ଥିତ ରିମୋଟ ସେନସିଂ ବିଭାଗର ପୂର୍ବତନ ବରିଷ୍ଠ ଭୂବିଜ୍ଞାନୀ ଥିଲେ। ତାଙ୍କ ବିରୁଦ୍ଧରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଆଇନ ଅନୁଯାୟୀ ଧାରା ୧୩(୨) ସହ ୧୩(୧)(ଇ) ପିସି ଆକ୍ଟ, ୧୯୮୮ ଏବଂ ୧୦୯ ଆଇପିସି ଅନୁଯାୟୀ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଚାର୍ଜସିଟ ଦାଖଲ କରାଯାଇଛି। ମାମଲାର ବିଚାର ପ୍ରକ୍ରିୟା ମଧ୍ୟରେ ଶ୍ରୀ ରାଉତଙ୍କୁ ଆୟବହିର୍ଭୁତ ସମ୍ପତ୍ତି (ଡିଏ) ରଖିଥିବା ଅଭିଯୋଗରେ ୨୦୧୮ ମସିହା ମେ ୫ ତାରିଖରେ ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଜଜ, ସ୍ୱତନ୍ତ୍ର କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ କରାଯାଇଥିଲା।