ଫିରିଙ୍ଗିଆ , ୮।୯  କନ୍ଧମାଳ ଜିଲ୍ଲା ପ୍ରଶାସନକୁ ବାରମ୍ବାର ପକ୍କା ରାସ୍ତା ଖଣ୍ଡିକ ପାଇଁ ନିବେଦନ କରି କରି ଶେଷରେ ନିଜସ୍ବ ଖର୍ଚ୍ଚରେ ରାସ୍ତା ନିର୍ମାଣ କରିଛନ୍ତି ଗ୍ରାମବାସୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଲୂଇସିଂ ପଂଚାୟତର ଡାଙ୍ଗାଣାମୁ ଗ୍ରାମରେ ।

ଭାଟୁଲୁ ଗ୍ରାମଠାରୁ ଡାଙ୍ଗାଣାମୁ ଗ୍ରାମ ରାସ୍ତା ପ୍ରାୟ ଅଢେଇ କିଲୋମିଟର ଲମ୍ବ ହୋଇଥ‌ିବା ବେଳେ ବର୍ଷାଦିନ ଆସିଲେ ଉଭୟ ଗ୍ରାମର ଜନସାଧାରଣ ନାହିଁ ନଥିବା ଅସୁବିଧା ଭୋଗିଥାନ୍ତି ଗର୍ଭବତୀ ଓ ଗୁରୁତର ରୋଗୀ ମାନଙ୍କୁ ଖଟିଆ ଭାର କରି ଅଢେଇ କିଲୋମିଟର ବାଟ ବୋହି ନେଇଥିବା ମଧ୍ୟ ନଜିର ରହିଛି ବାରମ୍ବାର ଅଭିଯୋଗ ପରେ ୨୦୨୨ ମସିହାରେ ପ୍ରଶାସନ ଉକ୍ତ ରାସ୍ତା ନିର୍ମାଣ  ପାଇଁ ଟଙ୍କା ମଞ୍ଜୁରୀ କରିଥିଲା ହେଲେ କାର୍ଯ୍ୟ ନେଇଥ‌ିବା ଠିକାଦାର ମାତ୍ର ଗୋଟେ କିଲୋମିଟର ରାସ୍ତା ଯେମିତି ସେମିତି ସାରିଦେଇ ଚମ୍ପଟ ମାରିଥିଲା । ସେବେଠାରୁ ରାସ୍ତାଟି ଅଧା ଖଣ୍ଡିଆ ଅବସ୍ଥାରେ ପଡି ରହିଥିଲା । ରାସ୍ତା ସମ୍ପୂର୍ଣ୍ଣ କରିବାକୁ ପ୍ରଶାସନକୁ ଉଭୟ ଗ୍ରାମବାସୀ ବାରମ୍ବାର ଜଣେଇଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କଲା ନାହିଁ ।ଶେଷରେ ନିରୁପାୟ ହୋଇ ନିଜ ଗ୍ରାମ ପାଇଁ ନିଜେ ରାସ୍ତା ନିର୍ମାଣ କରିବାକୁ ସ୍ଥିର କରି ଚାନ୍ଦା ଆଦାୟ କରି ଜଙ୍ଗଲରୁ ପଥର, ମେଟାଲ, ମୂରୁମ ଆଦି ଆଣି ରାସ୍ତା ମରାମତି  କରିଛନ୍ତି।

 ମାନପଦର, ଶାଗତୋହଲା, କଟଡିଶୀଲ, ଟୁକ ପଦର, ପିଲ ପଦର, ଭାତପୁରି, ଲାକା ସିର୍ପି, ତଳଡାଙ୍ଗାଣାମୁ ଓ ବୁଗେରୀ ମାସ୍କା ଆଦି ଗ୍ରାମ ଗୁଡିକ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ  ନଈନାଳ ବଣ ପାହାଡ଼ ଘେରି ରହିଛି । ଏହି ଗ୍ରାମବାସୀମାନଙ୍କୁ ପଂଚାୟତକୁ ଯିବାକୁ ହେଲେ ଦୁଇଟା ରାସ୍ତା ଦେଇ ଯିବାକୁ ପଡେ । ଗୋଟେ ରାସ୍ତା କୁଜେଣ୍ଡି ନାଳ ଡେଇଁ କୁମ୍ବେଲସିଂ ଗାଁ ଦେଇ ଯାଉଥିବା ବେଳେ ଅନ୍ୟଏକ ରାସ୍ତା ଭାଟୁଲୁ ଘଞ୍ଚ ଜଙ୍ଗଲ ମଧ୍ୟ  ଦେଇ ଯାଇଛି । ବର୍ଷାଦିନ ହୋଇଥ‌ିବାରୁ ନଈ ରାସ୍ତାକୁ ନଯାଇ ଜଙ୍ଗଲ ମଧ୍ଯରେ  ୮ କିଲୋ ମିଟର ଦେଇ ଯିବାଆସିବା କରିଥାନ୍ତି । ଏପରିକି ଛାତ୍ରଛାତ୍ରୀମାନେ ମଧ୍ୟ ମଧ୍ୟ ଏହି ଘଞ୍ଚ ଜଙ୍ଗଲ ମଧ୍ୟ ଦେଇ ଯିବା ଆସିବା କରୁଛନ୍ତି ଏହି ରାସ୍ତା ନିର୍ମାଣ ହେଲେ ଗ୍ରାମବାସୀ ଉପକୃତ ହୁଅନ୍ତେ ବୋଲି ଗ୍ରାମର ରାମଚଂଦ୍ର ମଲିକ୍ , କୃଷ୍ଟ ଯୋଗେଶ୍ୱର କହଁର, ବିବେକ କହଁର କହିଛନ୍ତି।