ବର୍ଜ୍ୟବସ୍ତୁ ପରିଚାଳନା କେବଳ ଏକ ପରିବେଶଗତ ବିପଦ ନୁହେଁ, ଏହା ଆମ ଅସ୍ତିତ୍ୱ ପ୍ରତି ସମ୍ଭାବ୍ୟ ବିପଦ । ଜଣେ ସଚେତନ ନାଗରିକ ଭାବେ, ଆମକୁ ସହରାଞ୍ଚଳ ସୁବିଧା ପାଇଁ ଜଳର ନିଷ୍କ୍ରିୟ ବ୍ୟବହାରକାରୀ ହେବା ପରିବର୍ତ୍ତେ ସମ୍ବଳର ସକ୍ରିୟ ସଂରକ୍ଷକ ହେବା ଜରୁରି । ଏହାର ଅର୍ଥ ହେଲା, ଅସ୍ୱସ୍ତିକର ପ୍ରଶ୍ନର ଉତ୍ତର ଖୋଜିବା ଏବଂ ଶୌଚାଳୟକୁ ଉପଯୁକ୍ତ ବ୍ୟବସ୍ଥା ସହିତ ସଂଯୋଗ କରିବା, ବର୍ଜ୍ୟ ଜଳର ପୁନଃବ୍ୟବହାରକୁ ସମର୍ଥନ କରିବା ଏବଂ ଘରେ ଜଳ ସଞ୍ଚୟ ଅଭ୍ୟାସକୁ ଗ୍ରହଣ କରିବା ତଥା ଅନୁସରଣ କରିବା ।
କେତେକ ପ୍ରଶ୍ନ ଅସ୍ୱସ୍ତିକର, ତଥାପି ସେଗୁଡ଼ିକୁ ଖୋଲାଖୋଲି ପଚାରିବା ଆବଶ୍ୟକ । ନିକଟରେ ‘ଓଡ଼ିଶା ଅର୍ବାନ ଏକାଡେମୀ’ ପରିଦର୍ଶନ ସମୟରେ ଜଣେ ବିଶିଷ୍ଟ ପରିବେଶବିତ୍ଙ୍କ ସହ କଥାବାର୍ତ୍ତା ବେଳେ ମୁଁ ଏଭଳି ଏକ ଅଡୁଆ ପ୍ରଶ୍ନର ସମ୍ମୁଖୀନ ହୋଇଥିଲି । ତରଳ ବର୍ଜ୍ୟକୁ ବୈଜ୍ଞାନିକ ଉପାୟରେ ପରିଚାଳନା କରିବା ଏବଂ ଉପଯୁକ୍ତ ସମାଧାନ ଅନ୍ୱେଷଣ କରିବା ପାଇଁ ମୋର ବିଭାଗ ବିଶେଷଜ୍ଞମାନଙ୍କ ସହିତ କାର୍ଯ୍ୟ କରୁଛି । ଯେତେବେଳେ ବି ଆମେ ‘ଧୂସର ଜଳ’ (ଶୌଚାଳୟ, ସ୍ନାନାଗାର, ରୋଷେଇ ଘର ଆଦିରୁ ବ୍ୟବହୃତ ପାଣି)ର ପରିଚାଳନା ତଥା ଉପଚାର ଉପରେ ବିଚାର-ବିମର୍ଶ କରୁ, ମୋ ମନରେ ଏକ ପ୍ରଶ୍ନ ବାରମ୍ବାର ଆସେ- ଏ ମଳ ଗଲା କୁଆଡ଼େ? ଏବଂ ଯେପର୍ଯ୍ୟନ୍ତ ଆମେ ଏହି ଆବର୍ଜନାର ଯାତ୍ରାକୁ ବୁଝିନାହୁଁ, ଆମେ କଦାପି ଏଥି ସମ୍ବନ୍ଧିତ ଉପଯୁକ୍ତ ପରିଚ୍ଛନ୍ନତାର ଦାୟିତ୍ୱ ନେବୁନାହିଁ । ସତଟି ହେଲା, ପାଇଖାନାର ପ୍ରତ୍ୟେକ ଫ୍ଲସ୍ ଅବା ବ୍ୟବହୃତ ପାଣିର ନିର୍ଗମନ, କାହାଣୀର ଅନ୍ତ ନୁହେଁ । ଏହା ଆରମ୍ଭ ମାତ୍ର ।
ଅଧିକାଂଶ ବଡ଼ ସହରରେ, ଆମ ପାଖରେ ଏକ ବଟନ୍ ଦବାଇବା କିମ୍ବା ଏକ ଲିଭର୍ ଟାଣିବାର ବିଳାସ(ସୁବିଧା) ଅଛି । ଏହା କଲାମାତ୍ରେ ମଳ ପାଣିର ଫୁତ୍କାର ସହିତ ଅଦୃଶ୍ୟ ହୋଇଯାଏ । ଆମମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଇଁ ଏତିକିରେ ହିଁ ଚିନ୍ତା ସରିଯାଏ । ଯେପରି କୁହାଯାଏ "ଦୃଷ୍ଟିରୁ ଦୂର, ମନରୁ ଅନ୍ତର’ । କିନ୍ତୁ ବାସ୍ତବତା ଏତେ ସରଳ ନୁହେଁ । ଥରେ ଫ୍ଲସ୍ ହୋଇଗଲେ ବର୍ଜ୍ୟବସ୍ତୁ ବିପୁଳ ପରିମାଣର ବ୍ୟବହୃତ ଜଳ ସହିତ, ଭୂତଳ ସ୍ୱେରେଜ୍ ଲାଇନ୍ର ଏକ ନେଟୱର୍କ ମାଧ୍ୟମରେ ଯାତ୍ରା କରେ । ସ୍ୱେରେଜ୍ ଲାଇନ୍ ଆମ ଘର ଏବଂ ରାସ୍ତା ତଳେ ଯାଇଥାଏ, ଏହି ବାଟଦେଇ ବର୍ଜ୍ୟବସ୍ତୁ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସ୍.ଟି.ପି.) ରେ ପହଞ୍ଚେ । ସହରର ଏସ.ଟି.ପି.ଗୁଡ଼ିକ ଦୂରସ୍ଥାନରେ ରହିଛି³ ସଂଖ୍ୟା ମଧ୍ୟ କମ୍ । ଏସ.ଟି.ପି. ପ୍ଲାଣ୍ଟରେ ଜୈବିକ ଏବଂ ରାସାୟନିକ ପ୍ରକ୍ରିୟା ମାଧ୍ୟମରେ ଜଳକୁ ବିଶୋଧନ କରାଯାଇ ଏକ ନିର୍ଦ୍ଦିଷ୍ଟ ଗୁଣବତ୍ତା ମାନକକୁ ଅଣାଯାଏ । ତା'ପରେ ପ୍ରକ୍ରିୟାକୃତ ଜଳ କାରଖାନାରେ ଶୀତଳୀକରଣ, ଲ୍ୟାଣ୍ଡସ୍କେପିଙ୍ଗ୍ କିମ୍ବା ଅନ୍ୟାନ୍ୟ ଅଣ-ପାନୀୟ ତଥା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହେଉନଥିବା କାର୍ଯ୍ୟ ପାଇଁ ବ୍ୟବହାର କରାଯାଏ ବୋଲି ଆମେ ଆଶା କରୁ । ତେବେ ଏହା ହେଉଛି ଆମେ ଅନୁମାନ ଲଗାଉଥିବା ଆଦର୍ଶ ଚିତ୍ର । କିନ୍ତୁ ବିଡ଼ମ୍ବନା, ଏହା ଏକ ବିରଳ ଚିତ୍ର । ଅର୍ଥାତ୍ ବର୍ଜ୍ୟର ଏପରି ସୁଗମ ସୁନ୍ଦର ଯାତ୍ରା କ୍ୱଚିତ ସମ୍ଭବ ହୋଇଥାଏ ।
ଏପରିକି ପ୍ରଥମ ଶ୍ରେଣୀୟ ସହରଗୁଡ଼ିକରେ, ସ୍ୱେରେଜ୍ ନେଟୱର୍କ କ୍ୱଚିତ୍ ପୂରା ଅଞ୍ଚଳକୁ ବ୍ୟାପିଥାଏ । କାରଣ ସହରଗୁଡ଼ିକ ସେମାନଙ୍କର କାୟା ଅତି ଦ୍ରୁତ ଗତିରେ ବିସ୍ତାର କରୁଥିବାବେଳେ ତାକୁ ତାଳଦେଇ ଭିତ୍ତିଭୂମି ବଢ଼ିପାରୁନାହିଁ । ଏଣୁ ବହୁ ଅଞ୍ଚଳ ସ୍ୱେରେଜ୍ ବ୍ୟବସ୍ଥାରୁ ବଞ୍ଚିତ ହୋଇଥାନ୍ତି । ପ୍ରାୟତଃ, ଟ୍ରଙ୍କ ସ୍ୱେରେଜ୍ ଲାଇନ୍ ବିଛାଯାଉଥିବା ସ୍ଥଳେ ଘରଗୁଡ଼ିକ ସ୍ୱେରେଜ ଲାଇନ୍ ସଂଯୋଗରୁ ବାଦ୍ ପଡ଼ିଯାଉଛନ୍ତି । ଏଭଳି ପରିସ୍ଥିତିରେ ଶୌଚାଳୟଗୁଡ଼ିକୁ ବର୍ଷାଜଳ ନିଷ୍କାସନକାରୀ ନଳା ସହିତ ଯୋଡ଼ି ଦିଆଯାଇଥାଏ । ଫଳତଃ ବର୍ଜ୍ୟବସ୍ତୁ ସିଧାସଳଖ ନଦୀ ଏବଂ ପ୍ରାକୃତିକ ନାଳଗୁଡ଼ିକରେ ଯାଇ ମିଶିଯାଏ । ଏସବୁର ପରିଣାମ ଗମ୍ଭୀର । ଯାହା "ଚାଲିଯାଇଛି’ ବୋଲି ଆମେ ଭାବୁଛୁ ତାହା ବାସ୍ତବରେ ଆମ ପାଖକୁ ଫେରିଆସୁଛି । ଦୂଷିତ ଜଳାଶୟ ଜରିଆରେ ହେଉ ଅବା ଖାଦ୍ୟଶୃଙ୍ଖଳ ମାଧ୍ୟମରେ ବର୍ଜ୍ୟ ଆମ ପାଖକୁ ଫେରୁଛି ଏବଂ ଆମ ଶରୀରକୁ ସଂକ୍ରମିତ କରୁଛି । ପ୍ରକୃତପକ୍ଷେ ଏହା ଅବହେଳାର ଏକ ବିପଦପୂର୍ଣ୍ଣ ଚକ୍ର, ଯାହା ସ୍ୱାସ୍ଥ୍ୟ ସଙ୍କଟ ଏବଂ ପରିବେଶ ଅବକ୍ଷୟକୁ ବଢ଼ାଇଥାଏ ।
ଯଦି ବର୍ଜ୍ୟବସ୍ତୁର ନିଷ୍କାସନ ତଥା ଉପଚାର କ୍ଷେତ୍ରରେ ବଡ଼ ସହରଗୁଡ଼ିକ ସଂଘର୍ଷ କରୁଛନ୍ତି, ଛୋଟ ସହରଗୁଡ଼ିକର ସ୍ଥିତି ଆହୁରି ଜଟିଳ । ଅଧିକାଂଶ ସହରରେ ପାରମ୍ପରିକ ବର୍ଜ୍ୟ ନିଷ୍କାସନ ବ୍ୟବସ୍ଥା ନାହିଁ । ଏହା ପରିବର୍ତ୍ତେ, ପରିବାରଗୁଡ଼ିକ ପାଇଖାନା ଟାଙ୍କି ଏବଂ ଗାଡ ଉପରେ ନିର୍ଭର କରନ୍ତି । ଉପଯୁକ୍ତ ପଦକ୍ଷେପ ହେଲା, ଏସବୁ ଟାଙ୍କିରୁ ମଳପଙ୍କ ଖାଲି କରାଯିବା ପରେ ମଳ ବର୍ଜ୍ୟ ବିଶୋଧନ ପ୍ଲାଣ୍ଟ (ଏଫ୍.ଏସ୍.ଟି.ପି.)କୁ ନିଆଯିବା ଉଚିତ୍ ହୁଅନ୍ତା । ଉଲ୍ଲେଖନୀୟ କି, ଏଫ୍. ଏସ୍.ଟି.ପି.ଗୁଡ଼ିକୁ ଠିକ୍ଭାବେ ପରିଚାଳିତ କରାଗଲେ ବର୍ଜ୍ୟର ଉପଚାର ହେବା ସହ ମୃତ୍ତିକା ତଥା ଭୂତଳ ଜଳ ପ୍ରଦୂଷିତ ହେବାରୁ ରକ୍ଷା ପାଆନ୍ତା । ସମାନ୍ତରାଳ ଭାବେ ଅବଶିଷ୍ଟାଂଶକୁ ବୈଜ୍ଞାନିକ ଉପାୟରେ ପରିଚାଳନା କରି ମୃତ୍ତିକା ଉର୍ବର କରିବା ପାଇଁ ଖତ ଭାବେ ଏହାର ବ୍ୟବହାର ହୋଇପାରନ୍ତା । କିନ୍ତୁ ଏ କ୍ଷେତ୍ରରେ ମଧ୍ୟ ଅନୁମାନ- କାର୍ଯ୍ୟାନ୍ୱୟନ ମଧ୍ୟରେ ଦୂରତା ଢେର୍ ବେଶି । ଅନେକ ସ୍ଥଳରେ ଟାଙ୍କିଗୁଡ଼ିକ କେବେ ବି ସଫା କରାଯାଏନାହିଁ । ଯେଉଁଠି ବି ହୁଏ, ସେମାନେ ଘରୋଇ ଅପରେଟରଙ୍କ ଦ୍ୱାରା ର... ଠ... କରି ଟାଙ୍କି ସଫା କରାଇ ଦିଅନ୍ତି । ସେମାନେ ବର୍ଜ୍ୟକୁ ନେଇ ଡ୍ରେନ୍ ଏବଂ ଖାଲି ଜାଗାରେ ଢାଳି ଦେଇଆସନ୍ତି । ଯେଉଁ ବର୍ଜ୍ୟ ବିଶୋଧନାଗାରକୁ ଯିବା ଉଚିତ ଥିଲା, ତାହା ପରିଶେଷରେ ଆମର କ୍ଷେତ, ପୋଖରୀ ଏବଂ ନଦୀଜଳରେ ମିଶି ଦୂଷିତ କରିଥାଏ । ଏମିତି ବାରମ୍ବାର ଘଟିଥାଏ³ ଅର୍ଥାତ୍ ସେହି ମଳ ଆମର ପାନୀୟ ଜଳ ଏବଂ ଖାଦ୍ୟ ଥାଳିକୁ ଫେରିଆସେ ।
କେବଳ ସ୍ୱେରେଜ୍ ନୁହେଁ ଏହା ବାହାରେ ବ୍ୟବହୃତ ଜଳକୁ ନେଇ ବ୍ୟାପକ ସମସ୍ୟା ରହିଛି । ସାଧାରଣତଃ ଗ୍ରାମାଞ୍ଚଳରେ ମୋଟ୍ ସଂଗୃହୀତ ଜଳର ପ୍ରାୟ ୮୦ ପ୍ରତିଶତ କୃଷି ଆବଶ୍ୟକତା ପାଇଁ ବ୍ୟବହାର ହୁଏ । ଅପରପକ୍ଷେ, ସହରାଞ୍ଚଳରେ ସ୍ନାନ, ପୋଷାକ ଧୋଇବା, ବାସନମଜା ଏବଂ ଶୌଚାଳୟ ସଫା ପାଇଁ ସର୍ବାଧିକ ପରିମାଣର ଜଳ ବ୍ୟବହାର ହୁଏ (ବ୍ୟବହୃତ ହୁଏନାହିଁ) । ସହରାଞ୍ଚଳରେ ଯୋଗାଇ ଦିଆଯାଉଥିବା ପାନୀୟ ଜଳର ୮୦ ପ୍ରତିଶତରୁ ଅଧିକ ବର୍ଜ୍ୟଜଳ ଭାବେ ନିଷ୍କାସିତ ହୋଇଯାଏ । ଏହି ବର୍ଜ୍ୟଜଳର ପୁନଃଚକ୍ରଣର ଅପାର ସମ୍ଭାବନା ରହିଛି । ଅନେକ ସହର ଯେହେତୁ ଗୁରୁତର ଜଳସଙ୍କଟର ସମ୍ମୁଖୀନ ହେଉଛନ୍ତି, ଯେଉଁ କାରଣ ସରକାରଙ୍କୁ ଅତିରିକ୍ତ ଖର୍ଚ୍ଚ କରି ଦୂରବର୍ତ୍ତୀ ଜଳଭଣ୍ଡାରରୁ ଜଳ ପରିବହନ କରିବାକୁ ବାଧ୍ୟ କରୁଛି । ସହରାଞ୍ଚଳଗୁଡ଼ିକ ଯଦି ବର୍ଜ୍ୟଜଳକୁ ବିଶୋଧନ ପୂର୍ବକ ପୁନଃ ବ୍ୟବହାରକ୍ଷମ କରାଇ ଅନୁମୋଦିତ କ୍ଷେତ୍ରରେ ଉପଯୋଗ କରିବେ, ତେବେ ମଧୁର ଜଳ ଉତ୍ସ ଉପରେ ସେମାନଙ୍କର ନିର୍ଭରଶୀଳତାକୁ କମାଇ ଦେଇପାରିବେ ଏବଂ ନିରନ୍ତର ଜଳଚକ୍ର ସୃଷ୍ଟି କରିପାରିବେ ।
ସୌଭାଗ୍ୟବଶତଃ, ଏହାର ଏକାଧିକ ଉତ୍ତମ ଉଦାହରଣ ରହିଛି, ଯାହା ଆମକୁ ଆଗକୁ ବଢ଼ିବାର ମାର୍ଗ ଦେଖାଉଛି । କେତେକ ଛୋଟ ସହର ଏବଂ ପ୍ରତିଷ୍ଠାନ ଏକ ବିକେନ୍ଦ୍ରୀକୃତ ବିଶୋଧନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେମାନେ ଛୋଟକାଟର ବିଶୋଧନ ପ୍ଲାଣ୍ଟ ସ୍ଥାପନ କରି ବର୍ଜ୍ୟଜଳକୁ ପୁନଃଚକ୍ରଣ କରିବାପୂର୍ବକ ଉଦ୍ୟାନ ତଥା ଫ୍ଲଶିଂ ପାଇଁ ଏହି ଜଳକୁ ପୁନଃ ବ୍ୟବହାର କରୁଛନ୍ତି । ଭୁବନେଶ୍ୱରର ଖାରବେଳ ଭବନ ଏହାର ଯୋଗ୍ୟ ଉଦାହରଣ । କେତେକ ଭାରତୀୟ ସହରରେ ମଧ୍ୟ ବିଶୋଧିତ ବର୍ଜ୍ୟଜଳ ଶିଳ୍ପଗୁଡ଼ିକୁ ଯୋଗାଇ ଦିଆଯାଏ, ଯାହା ମଧୁର ଜଳ ଉପରେ ନିର୍ଭରଶୀଳତାକୁ କମାଇଥାଏ । ପରୋକ୍ଷରେ ଏହା ସ୍ଥାନୀୟ ସଂସ୍ଥାଗୁଡ଼ିକ ପାଇଁ ରାଜସ୍ୱ ମଧ୍ୟ ସୃଷ୍ଟିକରେ । ଓଡ଼ିଶା ‘ମଳ ପଙ୍କ ଉପଚାର ବ୍ୟବସ୍ଥା’ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ରାଜ୍ୟର ସମସ୍ତ ସହରାଞ୍ଚଳ ନଗରପାଳିକାରେ ସ୍ଥାପିତ ହୋଇଛି ଏପରି ପ୍ଲାଣ୍ଟ । ସେଗୁଡ଼ିକ ମାଧ୍ୟମରେ ପାଇଖାନା ବର୍ଜ୍ୟବସ୍ତୁଗୁଡ଼ିକର ସୁରକ୍ଷିତ ପରିଚାଳନାକୁ ସୁନିଶ୍ଚିତ କରାଯାଇପାରିଛି । ନିକଟରେ ରାଜ୍ୟବ୍ୟାପୀ ଏକ ଅଭିଯାନ ଆରମ୍ଭ କରାଯାଇଛି ଯେ, ପ୍ରତ୍ୟେକ ପରିବାର କେବଳ ସ୍ୱୀକୃତିପ୍ରାପ୍ତ ଅପରେଟରମାନଙ୍କ ଜରିଆରେ ନିୟମିତ ସେମାନଙ୍କ ପାଇଖାନା ଟାଙ୍କି ସଫା କରାଇବେ । ଏଗୁଡ଼ିକ କେବଳ ବର୍ଜ୍ୟ ସମସ୍ୟାର ବୈଷୟିକ ସମାଧାନ ନୁହେଁ, ବରଂ ଜଣେ ନାଗରିକର ଦାୟିତ୍ୱ ଏବଂ ଗୋଷ୍ଠୀଗତ ଅଂଶଗ୍ରହଣର କାହାଣୀ । ଏସବୁ ପ୍ରସଙ୍ଗର ମୂଳବିନ୍ଦୁ ରହିଛି ବର୍ଜ୍ୟବସ୍ତୁ ପରିଚାଳନା ପ୍ରତି ସମ୍ବେଦନଶୀଳ ହେବାର ଆବଶ୍ୟକତା । ବର୍ଜ୍ୟବସ୍ତୁ ପରିଚାଳନା କେବଳ ଏକ ପରିବେଶଗତ ବିପଦ ନୁହେଁ, ଏହା ଆମ ଅସ୍ତିତ୍ୱ ପ୍ରତି ସମ୍ଭାବ୍ୟ ବିପଦ । ଜଣେ ସଚେତନ ନାଗରିକ ଭାବେ, ଆମକୁ ସହରାଞ୍ଚଳ ସୁବିଧା ପାଇଁ ଜଳର ନିଷ୍କ୍ରିୟ ବ୍ୟବହାରକାରୀ ହେବା ପରିବର୍ତ୍ତେ ସମ୍ବଳର ସକ୍ରିୟ ସଂରକ୍ଷକ ହେବା ଜରୁରି । ଏହାର ଅର୍ଥ ହେଲା, ଅସ୍ୱସ୍ତିକର ପ୍ରଶ୍ନର ଉତ୍ତର ଖୋଜିବା ଏବଂ ଶୌଚାଳୟକୁ ଉପଯୁକ୍ତ ବ୍ୟବସ୍ଥା ସହିତ ସଂଯୋଗ କରିବା, ବର୍ଜ୍ୟ ଜଳର ପୁନଃବ୍ୟବହାରକୁ ସମର୍ଥନ କରିବା ଏବଂ ଘରେ ଜଳ ସଞ୍ଚୟ ଅଭ୍ୟାସକୁ ଗ୍ରହଣ କରିବା ତଥା ଅନୁସରଣ କରିବା । ଏହି ଦାୟିତ୍ୱ କେବଳ ସରକାର କିମ୍ବା ଇଞ୍ଜିନିୟରଙ୍କର ନୁହେଁ, ବରଂ ପ୍ରତ୍ୟେକ ବ୍ୟକ୍ତି ଉପରେ ନିର୍ଭର କରେ³ ଯିଏ ପାଣିକଳ ଖୋଲନ୍ତି କିମ୍ବା ପାଇଖାନା ଫ୍ଲସ୍ କରନ୍ତି ।
ମୋଟାମୋଟି କହିଲେ, ଆଜି ଆମେ ଯେତିକି ଜଳ ନଷ୍ଟ କରୁଛୁ, ଆସନ୍ତାକାଲି ସେତିକି ପାଇବାକୁ ଆମକୁ ବିକଳ ହେବାକୁ ପଡ଼ିବ । ବ୍ୟବହୃତ ଜଳର ପରିଚାଳନା ଏକ ବିଚାର ନୁହେଁ, ଏହା ତିଷ୍ଠିବା ପାଇଁ ସଂଘର୍ଷ । ସହରଗୁଡ଼ିକ ସେମାନଙ୍କ ଜଳର ୮୦ ପ୍ରତିଶତ ବିନା ବିଶୋଧନରେ ନଦୀକୁ ଯିବାକୁ ଦେଇ ନଷ୍ଟ କରିପାରିବେ ନାହିଁ । ପାଇଖାନା ବର୍ଜ୍ୟବସ୍ତୁକୁ ଅଣଦେଖା କରି ସହରଗୁଡ଼ିକ ଭୂତଳ ଜଳ ପ୍ରଦୂଷଣର ସଙ୍କଟକୁ ଆପଣାଇ ପାରିବେ ନାହିଁ । ସର୍ବୋପରି ନାଗରିକ ଭାବେ ଆମେ ଏହି ଭ୍ରମରେ ବଞ୍ଚିବା ଅନୁଚିତ୍ ଯେ, ଆମେ ଯାହା ଫ୍ଲସ୍ ମାରି ନିଷ୍କାସନ କରିଦେଉଛୁ ତାହା ସବୁଦିନ ପାଇଁ ଅଦୃଶ୍ୟ ହୋଇଗଲା । ଆଗକୁ ଆମେ ନିଜକୁ ପଚାରିବା "ମଳ କୁଆଡ଼େ ଗଲା?’ ଏହାର ଉତ୍ତର ଏକ ଅସ୍ୱାଭାବିକ ନିରବତା ନହେଉ । ପରନ୍ତୁ ଆମେ ବ୍ୟବହୃତ ଜଳର ପ୍ରତ୍ୟେକ ବୁନ୍ଦାର ଉପଚାର ବା ବିଶୋଧନ କରିବାକୁ ବଦ୍ଧପରିକର ହେବା ଏବଂ ଆମେ ସୃଷ୍ଟି କରୁଥିବା ବର୍ଜ୍ୟବସ୍ତୁ ପାଇଁ ଉତ୍ତରଦାୟୀ ରହିବା । ଶେଷରେ, କର୍ମ ପରି ଜଳ ସର୍ବଦା ଭଲ କିମ୍ବା ମନ୍ଦ ରୂପରେ ଆମ ପାଖକୁ ହିଁ ଫେରିଆସେ, ଏହା ଆମର କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ।