ଭୁବନେଶ୍ଵର, ୮/୯: ମୁଣ୍ଡଳୀରେ କମୁଛି ଜଳସ୍ତର। ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବନ୍ୟାଜଳ ପିକ୍ରେ ଥିଲା। ଏବେ ଆଉଟ୍ ଫ୍ଲୋ ୬ ଲକ୍ଷ ୨୬ ହଜାର କ୍ୟୁସେକ୍ରୁ ୪ ଲକ୍ଷ ୫୮ ହଜାର କ୍ୟୁସେକ୍କୁ ଖସିଛି । ମୁଣ୍ଡଳୀ ପାଣି ଏବେ ପୁରୀ ଜଗତସିଂହପୁରର ତଳିଆ ଅଞ୍ଚଳରେ ପଶିବ। ନଦୀ ପଠା ଅଞ୍ଚଳ ପ୍ରଭାବିତ ହେବ। ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି ।
ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ଯେ, ଧୀରେ ଧୀରେ ତଳିଆ ଅଞ୍ଚଳରୁ ପାଣି କମିବ। ପୂର୍ଣ୍ଣିମା ଯୋଗୁଁ ସମୁଦ୍ରରେ ଜୁଆର ଥିବାରୁ ଜଳ ନିଷ୍କାସନ ପ୍ରଭାବିତ ହେଉଛି । ଗତ ୨୪ ଘଣ୍ଟାରେ ମାତ୍ର ୬ଟି ବ୍ଲକରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି । କୌଣସି ନଦୀରେ ବନ୍ୟା ପରିସ୍ଥିତି ନାହିଁ। ହୀରାକୁଦରେ ୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ରେଙ୍ଗାଲିରେ ସବୁ ଗେଟ୍ ବନ୍ଦ ରହିଛି ।
ସୂଚନା ଥାଉକି, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତା ୧୩ ତାରିଖ ଯାଏ କାଁ ଭାଁ ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।