ସମ୍ବିଧାନରେ ସମସ୍ତ ନାଗରିକଙ୍କୁ ସ୍ୱତନ୍ତ୍ରତାର ଅଧିକାର ଦିଆଯାଇଛି, କିନ୍ତୁ ତାହା ସମ୍ପୂର୍ଣ୍ଣ ସ୍ୱତନ୍ତ୍ରତା ନୁହେଁ । ପ୍ରତି ଅଧିକାର ସହିତ କିଛି ଯୁକ୍ତିଯୁକ୍ତ ସୀମା ଓ କଟକଣା ଧାର୍ଯ୍ୟ କରାଯାଇଛି । ଏଠି ପ୍ରଶ୍ନ ଉଠେ, ଏଇ ଯେଉଁ କଟକଣା ରହିଛି ତାହା କେତେଦୂର ଯୁକ୍ତିଯୁକ୍ତ । ଏହାର ମାନଦଣ୍ଡ କ’ଣ? ଅଧିକାର ଦେଲେ ଅଧିକାରର ସୀମା ଅବଶ୍ୟ ରହିବ । ତା’ ନହେଲେ ଦୁଇଟି ଅଧିକାର ମଧ୍ୟରେ ସଂଘର୍ଷ ହେବ । କିନ୍ତୁ ଏ କ୍ଷେତ୍ରରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ମତେ ଏହି ସୀମା ଓ କଟକଣା ଏତିକି ନହେଉ, ଯଦ୍ୱାରା ତାହା ମୂଳ ଅଧିକାରର ସ୍ୱରୂପକୁ ବଦଳାଇଦେବ ।
ସ୍ୱତନ୍ତ୍ରତା ଓ ସ୍ୱାଧୀନତା ଉଭୟ ମଣିଷ ଓ ଅନ୍ୟାନ୍ୟ ସମସ୍ତ ପ୍ରାଣୀଙ୍କ ମୂଳ ସ୍ୱଭାବ । ଦେଖାଯାଏ, ଛୋଟ ପିଲାଟିକୁ ପ୍ରଥମେ ପ୍ରଥମେ ଲୁଗା ପିନ୍ଧାଇବା ବେଳେ ପିଲାଟି ବହୁତ ବିରୋଧ କରିଥାଏ । କାରଣ ତାକୁ ତାହା ଭଲ ଲାଗିନଥାଏ । ଗୃହପାଳିତ ପଶୁଟିଏ ଘରକୁ ଆଣିଲେ ପ୍ରଥମେ ପ୍ରଥମେ ବେକରେ ପଘା ବା ବେଲ୍ଟ ପିନ୍ଧାଗଲେ ପଶୁଟି ଖୁବ୍ ବିରୋଧ କରେ । ମୋଟାମୋଟି କହିବାକୁ ଗଲେ କାହାରିକୁ ହେଲେ କୌଣସି ପ୍ରକାର ବନ୍ଧନ ବା ପରାଧୀନତା ଭଲ ଲାଗିନଥାଏ । କିନ୍ତୁ ଧୀରେ ଧୀରେ ତାହା ଅଭ୍ୟାସ ହୋଇଯାଏ । ଆମେ ଯେଉଁ ସମାଜରେ ରହୁଛେ ସେଠାରେ ବଡ଼ମାନେ ଛୋଟମାନଙ୍କୁ ବିଭିନ୍ନ ପ୍ରକାର ପଘାରେ ବାନ୍ଧି ରଖିଥାଆନ୍ତି ଓ ତା’ ବଦଳରେ କିଛିଟା ସ୍ୱାଧୀନତା ମଧ୍ୟ ଦେଇଥାଆନ୍ତି । ସ୍ୱାଧୀନତାର ବଡ଼ ଉଦ୍ଦେଶ୍ୟ ହେଲା ଯେଉଁ ବନ୍ଧନ ଅନାବଶ୍ୟକ ତହିଁରୁ ମୁକ୍ତି । ଯେଉଁ ବନ୍ଧନ ଆବଶ୍ୟକ ତାହା ତ ରହିବ ହିଁ ରହିବ । କାରଣ ତହିଁରୁ ମୁକ୍ତହେବା ନିଜ ପାଇଁ, ପରିବାର ପାଇଁ, ସମାଜ ପାଇଁ ଓ ଦେଶ ପାଇଁ ଠିକ୍ ନୁହେଁ । ଜୀବନର ସହଜତାକୁ ଆନନ୍ଦର ସହିତ ଜିଇଁବାର ଉଦ୍ୟମ ହିଁ ସ୍ୱାଧୀନତା ।
ଉଚ୍ଚ ଆକାଶରେ ଗୁଡ଼ିଟିଏ ଉଡୁଛି ଦେଖି ମନହୁଏ ଗୁଡ଼ି ପରି ସ୍ୱାଧୀନ ହୋଇ ଉଚ୍ଚ ଆକାଶରେ ଉଡ଼ିବାକୁ । କିନ୍ତୁ ଗୁଡ଼ି ଜାଣିନଥାଏ ଯେ ସେ ଏତେ ଉପରେ ଉଡୁଛି ଏଇଥିପାଇଁ ଯେ, ସେ ଗୋଟେ ଡୋରିରେ ବନ୍ଧା ହୋଇଛି । ଯଦି ଡୋରି ସୂତା ଛିଣ୍ଡିଯିବ ତାର ଉଡ଼ିବାର ସ୍ୱାଧୀନତା ତ ଆଉ ରହିବନାହିଁ । ଅନ୍ୟପକ୍ଷରେ ସେ ଯାଇ କେଉଁ ଗଛଡାଳରେ ଝୁଲିବ ଅଥବା କୌଣସି ଜଳାଶୟରେ ବୁଡ଼ିବ । ସ୍ୱାଧୀନତା ଓ ବନ୍ଧନ ବୁଝିବାର ସବୁଠାରୁ ବଡ଼ ଉପମା ହେଲା ଗୁଡ଼ି । କେବେବି କୌଣସି ମଣିଷ ସମ୍ପୂର୍ଣ୍ଣ ରୂପେ ସ୍ୱାଧୀନ ଓ ସ୍ୱତନ୍ତ୍ର ହୋଇପାରିବ ନାହିଁ । ନିଜ ଭାବନା, ଇନ୍ଦ୍ରିୟ, ପରିବାର, ପରିବେଶ, ନିଜ ସମାଜର ଶିକ୍ଷା, ସଂସ୍କାର, ଦେଶର ସମ୍ବିଧାନ ଓ ଅନ୍ୟାନ୍ୟ ଆଇନକାନୁନ୍, ବ୍ୟବସ୍ଥାଗୁଡ଼ିକରୁ କଦାପି ସମ୍ପୂର୍ଣ୍ଣ ରୂପେ ସ୍ୱାଧୀନ ହୋଇପାରିବ ନାହିଁ କି ହେବା ମଧ୍ୟ ଉଚିତ୍ ନୁହେଁ ।
ସମ୍ବିଧାନରେ ସମସ୍ତ ନାଗରିକଙ୍କୁ ସ୍ୱତନ୍ତ୍ରତାର ଅଧିକାର ଦିଆଯାଇଛି, କିନ୍ତୁ ତାହା ସମ୍ପୂର୍ଣ୍ଣ ସ୍ୱତନ୍ତ୍ରତା ନୁହେଁ । ପ୍ରତି ଅଧିକାର ସହିତ କିଛି ଯୁକ୍ତିଯୁକ୍ତ ସୀମା ଓ କଟକଣା ଧାର୍ଯ୍ୟ କରାଯାଇଛି । ଏଠି ପ୍ରଶ୍ନ ଉଠେ, ଏଇ ଯେଉଁ କଟକଣା ରହିଛି ତାହା କେତେ ଦୂର ଯୁକ୍ତିଯୁକ୍ତ । ଏହାର ମାନଦଣ୍ଡ କ’ଣ? ଅଧିକାର ଦେଲେ ଅଧିକାରର ସୀମା ଅବଶ୍ୟ ରହିବ । ତା' ନହେଲେ ଦୁଇଟି ଅଧିକାର ମଧ୍ୟରେ ସଂଘର୍ଷ ହେବ । କିନ୍ତୁ ଏ କ୍ଷେତ୍ରରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ମତେ ଏହି ସୀମା ଓ କଟକଣା ଏତିକି ନହେଉ, ଯଦ୍ୱାରା ତାହା ମୂଳ ଅଧିକାରର ସ୍ୱରୂପକୁ ବଦଳାଇଦେବ । ଉଦାହରଣ ସ୍ୱରୂପ, ଭାରତର ଯେକୌଣସି ସ୍ଥାନକୁ ଅବାଧରେ ଯିବା ଆସିବାର ଆମ ସ୍ୱାଧୀନତା ଏତେ କମିନଯାଉ ଯେ କେବଳ ଆମେ କେତୋଟି ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବାର ଅଧିକାର ହିଁ ବାକି ରହିବ । ଯେତେ କମ୍ କଟକଣା ଲଗାଇଲେ କାମ ଚଳିଯିବ ସେତିକି ହିଁ କଟକଣା ରହିବା ଉଚିତ୍ ଓ ଯେଉଁ କଟକଣା ଲାଗୁହେବ ତାହା ସମ୍ବିଧାନର ବ୍ୟବସ୍ଥା ଅନୁସାରେ ହୋଇଥିବା ଜରୁରି ।
ବାକ୍ ଓ ଅଭିବ୍ୟକ୍ତିର ସ୍ୱାଧୀନତା ଆମକୁ ସମ୍ବିଧାନ ଦେଇଛି । ଏହା ଲୋକତନ୍ତ୍ରର ଏକ ଭାବନା ଅଟେ ଓ ରାଜନୈତିକ ଘଟଣା ମଧ୍ୟ । କିନ୍ତୁ ଦେଖାଯାଉଛି ଯେ ବେଳେବେଳେ କିଛି କହିଲେ ବା ଲେଖିଲେ ଏତାଲା ହେଉଛି, ମାମଲା ଚାଲୁଛି ଓ ଜେଲ୍ ମଧ୍ୟ ଯିବାକୁ ପଡ଼ୁଛି । ଏହାର କାରଣ ହେଲା ଯୁକ୍ତିଯୁକ୍ତ ସୀମା ଓ କଟକଣା ଶବ୍ଦର ଭୁଲ୍ ବ୍ୟାଖ୍ୟା ଓ ରାଜତନ୍ତ୍ରରୁ ଆମେ ଗଣତନ୍ତ୍ରକୁ ଆସିବାର ପୃଷ୍ଠଭୂମି । ଶାସନ ପଦ୍ଧତିରେ ପରିବର୍ତ୍ତନ ହେବା ଓ ପ୍ରଶାସନର ମୂଲ୍ୟବୋଧରେ ପରିବର୍ତ୍ତନ ହେବା ମଧ୍ୟରେ କିଛି ସମୟ ଲାଗିଥାଏ । ସ୍ୱାଧୀନତା ପରେ ଆମର ଶାସନ ପଦ୍ଧତି ବଦଳିଗଲା ଓ ଆମେ ଗଣତାନ୍ତ୍ରିକ ଶାସନ ପଦ୍ଧତିକୁ ଆପଣାଇଲେ ସତ, କିନ୍ତୁ ପ୍ରଶାସନର ମୂଲ୍ୟବୋଧରେ ସେମିତି ବଡ଼ଧରଣର ପରିବର୍ତ୍ତନ ଏଯାଏଁ ହୋଇନାହିଁ ଓ ଆମ ସରକାରଗୁଡ଼ିକ ରାଜା ମହାରାଜାମାନଙ୍କ ମାନସିକତା ଆଜିଯାଏଁ ରଖିଛନ୍ତି । ତେଣୁ ଯାହା ପାଖରେ ସତ୍ତା ରହିଛି ସେ ଚାହୁଁଛନ୍ତି ଯେ ଲୋକେ ଭାବିଚିନ୍ତି କଥା କୁହନ୍ତୁ ଅଥବା ଲେଖନ୍ତୁ। କହିବା ବାହୁଲ୍ୟ, ରାଜତନ୍ତ୍ର ସମୟରେ ଏହି ଆଭିମୁଖ୍ୟ ରାଜା ମହାରାଜାମାନେ ରଖିଥିଲେ । ଯେତେବେଳେ ସରକାର ବହୁତ ଶକ୍ତିଶାଳୀ ହୋଇଥାଆନ୍ତି ସେତେବେଳେ ମଧ୍ୟ ତାହାର ପ୍ରଭାବ ଅଧିକ ବ୍ୟାପକ ଭାବେ ଆମ ଅଧିକାର ଉପରେ ପଡ଼ିଥାଏ । ଏକ ଭଲ ଗଣତନ୍ତ୍ର ତାହା ଯେଉଁଠି ବ୍ୟକ୍ତି ଓ ଗଣମାଧ୍ୟମର ବାକ୍ ଓ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଖୁବ୍ କମ୍ କଟକଣା ରଖି ଲୋକଙ୍କ ଅସହମତି ଠିକ୍ ଓ ସ୍ପଷ୍ଟରୂପେ ବ୍ୟକ୍ତ କରିବାର ଅଧିକାର ରହିବା ଉଚିତ୍ । ଏକ ସୁସ୍ଥ ଗଣତନ୍ତ୍ରରେ ଲୋକଙ୍କ ଅସହମତିକୁ ରାଜଦ୍ରୋହ ବା ଅଦାଲତ ଅବମାନନା ବା ମାନହାନିର ଘଟଣା ଭାବେ ଖୁବ୍ କମ୍ କ୍ଷେତ୍ରରେ ଗଣତି କରାଯାଇଥାଏ । ଜନପ୍ରତିନିଧିମାନେ ନିଜର କାନକୁ ନିଜ ବିରୁଦ୍ଧରେ ଶୁଣିବାକୁ ଯେତିକି ଅଭ୍ୟସ୍ତ କରିବେ ସେତିକି ତାହା ଆମ ଗଣତନ୍ତ୍ରକୁ ବିକଶିତ କରିବ । କାରଣ ଅଭିବ୍ୟକ୍ତିର ସ୍ୱାଧୀନତା ଯେତିକି ଅଧିକ ହେବ ସେତିକି ଲୋକତନ୍ତ୍ର ପୁଷ୍ପିତ ହେବ ।
ସାମାଜିକ ଦୃଷ୍ଟିକୋଣରୁ ଯଦି ଦେଖାଯାଏ ତେବେ ଆମ ପରିବାର, ଜାତି, ଧର୍ମ ବା ସମୁଦାୟ ପରି ଢାଞ୍ଚାଗୁଡ଼ିକ ଆମର ସ୍ୱାଧୀନତାକୁ ମଧ୍ୟ ବିଶେଷ ରୂପେ ପ୍ରଭାବିତ କରୁଛି । ସ୍ୱାଧୀନତାର ୭୯ବର୍ଷ ପରେ ମଧ୍ୟ ସବୁ ବର୍ଗର ଲୋକେ ମୁଖ୍ୟଧାରାର ଲୋକଙ୍କ ପରି ସମାନ ସ୍ୱାଧୀନତା ପାଇପାରିଲେ ନାହିଁ । ଅବଶ୍ୟ ଏହି ସ୍ଥିତି ବିଶ୍ୱର ସବୁ ଦେଶରେ ରହିଛି । ସବୁବେଳେ ସବୁଠାରେ କିଛି ବଞ୍ଚିତ ବର୍ଗ ଲୋକେ ରହିଛନ୍ତି ଯେଉଁମାନେ ସେତିକି ସ୍ୱାଧୀନତା କେବେ ବି ପାଇପାରିବେ ନାହିଁ ଯେତିକି ସ୍ୱାଧୀନତା ସକ୍ଷମ ବର୍ଗର ଲୋକେ ପାଉଛନ୍ତି ।
କାଗଜରେ ସ୍ୱାଧୀନତା ତ ସମସ୍ତଙ୍କ ପାଖରେ ରହିଛି, କିନ୍ତୁ ବାସ୍ତବ ଛବି ପୂରା ଅଲଗା । ସ୍ୱତନ୍ତ୍ରତାର ବିତରଣ ସମାନ ଭାବେ ସମସ୍ତଙ୍କୁ କରାଯାଉନାହିଁ । କାହିଁକି ଯଦି ପ୍ରଶ୍ନ କରାଯାଏ ତେବେ ଏକମାତ୍ର ଉତ୍ତର ହେବ ସ୍ୱାଧୀନତା ବିତରଣ ପାଇଁ ଯେଉଁମାନେ ନୀତି ନିର୍ଦ୍ଧାରଣ କରୁଛନ୍ତି ସେମାନେ ଅଧିକାଂଶରେ ମୁଖ୍ୟଧାରାର ଲୋକ ଅଟନ୍ତି । ଶ୍ୱେତ ବର୍ଗର ଲୋକେ, ଦେଶର ସବୁଠାରୁ ବଡ଼ ଧର୍ମର (ଧର୍ମାବଲମ୍ବୀଙ୍କ ସଂଖ୍ୟା ଦୃଷ୍ଟିରୁ) ଲୋକେ, ଉଚ୍ଚ ଜାତି ଓ ଗୋଷ୍ଠୀର ପୁରୁଷ ପ୍ରାୟତଃ ସବୁବେଳେ ଶୀର୍ଷରେ ରହୁଥିବାବେଳେ ଗରିବ, ଅନୁସୂଚିତ ଜାତି ଓ ଜନଜାତିର ଲୋକ, ମହିଳା ଓ ତୃତୀୟ ଲିଙ୍ଗର ନାଗରିକମାନେ ସବୁଠାରୁ ତଳେ ରହୁଛନ୍ତି । ଏକ ସଭ୍ୟ ଦେଶର ଏହା ଲକ୍ଷଣ ହେଲା, ସେଠାରେ ଏହି ବ୍ୟବଧାନ ତ ଥାଏ, କିନ୍ତୁ ଖୁବ୍ କମ୍ ଥାଏ ଯାହାକୁ ସମତଳୀକରଣ ପ୍ରକ୍ରିୟା କୁହାଯାଇଥାଏ ।
ମହିଳାଙ୍କ ସ୍ୱାଧୀନତା ଯଦି ଅନୁଧ୍ୟାନ କରି ଦେଖାଯାଏ ତେବେ ତାହା ମୁଖ୍ୟତଃ ନିର୍ଭର କରୁଛି ଝିଅଟିଏ କେଉଁଠାରେ ଜନ୍ମ ହେଉଛି । କାରଣ ଆଇନରେ ସେମାନଙ୍କ ସ୍ୱାଧୀନତା ବିଷୟରେ ଯାହାକିଛି ଥିବା ସତ୍ତେ୍ୱ ଫ୍ରାନ୍ସ, ଭାରତ ଓ ଆଫଗାନିସ୍ତାନରେ ଜନ୍ମ ହେଉଥିବା ଝିଅଟିର ସ୍ୱାଧୀନତା ଆପଣାଛାଏଁ ସ୍ଥିର ହୋଇଯାଇଥାଏ ତା'ର ଜନ୍ମ ପରଠାରୁ ଯାହା ମୁଖ୍ୟତଃ ସେଠାକାର ସମାଜ ନିର୍ଦ୍ଧାରିତ କରିଥାଏ । ଆମ ସମ୍ବିଧାନରେ ଯେଉଁ ଚାରିଗୋଟି ମୁଖ୍ୟ ଆଦର୍ଶ ରହିଛି ସେଗୁଡ଼ିକ ହେଲା ସ୍ୱତନ୍ତ୍ରତା, ସମାନତା, ନ୍ୟାୟ ଓ ବନ୍ଧୁତା । ଏହି ଚାରୋଟି ଆଦର୍ଶ ମଧ୍ୟରେ ମଝିରେ ମଝିରେ ପ୍ରାୟ କଳହ ଓ ବିବାଦ ଲାଗିରହିଛି । ସାଧାରଣତଃ ସ୍ୱତନ୍ତ୍ରତା ଓ ସମାନତା ମଧ୍ୟରେ ଏକତା ଓ ମେଳ ରହିଲେ ତାହାକୁ ସୁଷମ ବଣ୍ଟନ ନ୍ୟାୟ କୁହାଯାଏ । ଯେଉଁ ସାମାଜିକ ଦାୟିତ୍ୱ, କ୍ଷମତା, ସମ୍ମାନ ଆଦି ବଣ୍ଟାଯିବ ତାହା ସଠିକ୍ ଭାବେ ବିତରଣ ହେବା ଜରୁରି । କିନ୍ତୁ ଯଦି ପୁରୁଷଙ୍କ ସମ୍ମାନ ମହିଳାଙ୍କ ଅପେକ୍ଷା ବେଶି, ଗୋଟିଏ ଜାତିର ସମ୍ମାନ ଅନ୍ୟ ଜାତିର ଲୋକଙ୍କ ଅପେକ୍ଷା ବେଶି ରହିଛି ତେବେ ତାହା ସମାନ ବଣ୍ଟନ ନୁହେଁ । ମୂଳ ଉଦ୍ଦେଶ୍ୟ ହେଲା, ଏହିସବୁ ବସ୍ତୁର ସୁଷମ ଓ ସଠିକ୍ ବଣ୍ଟନ । ସେହି ଆବଣ୍ଟନ ଯଦି ଠିକ୍ରୂପେ ନହୋଇଛି ତେବେ ତାହାକୁ ସୁଧାରିବା ପ୍ରକ୍ରିୟାକୁ ସାମାଜିକ ନ୍ୟାୟ କୁହାଯାଇଥାଏ ।
ଦେଖାଯାଉଛି, ଆମ ସ୍ୱତନ୍ତ୍ରତା କିଛି ଲୋକଙ୍କ ପାଇଁ ଅରାଜକତା ହେଲାଣି । ବ୍ୟକ୍ତି ସ୍ୱାଧୀନତା ଅର୍ଥ ହେଲାଣି ଜଣେ ସ୍ୱାଧୀନ ବ୍ୟକ୍ତି ଆଉ ଶହେ ସ୍ୱାଧୀନ ବ୍ୟକ୍ତିଙ୍କ ସହିତ ମିଶି ଅନ୍ୟ ହଜାର ହଜାର ଲୋକଙ୍କ ସ୍ୱାଧୀନତାକୁ ନଷ୍ଟ କରିବାର ଅଧିକାର ବୋଲି ଧରିନେଉଛନ୍ତି । କେହି କୌଣସି କଟକଣାକୁ ମାନିବାକୁ ନାରାଜ ତ କେହି କେହି ଅନ୍ୟକୁ ଅଧିକାର ଦେବାକୁ ଚାହୁଁନାହାନ୍ତି ଓ ଯଦିବା ଦେଉଛନ୍ତି ତେବେ ଭାବୁଛନ୍ତି ସେମାନେ ଦୟା କରୁଛନ୍ତି । ଏ ସ୍ଥିତି ଉପୁଜିବାର ସମ୍ଭବତଃ ଏକ ବଡ଼ କାରଣ ହେଲା ଆମ ନୀତି ନିର୍ଦ୍ଧାରକମାନେ ଯଦିଓ ନିଃସନ୍ଦେହରେ ଜ୍ଞାନୀ ଓ ଗୁଣୀ, କିନ୍ତୁ ସେମାନେ ଭାରତୀୟ ଜୀବନଶୈଳୀ, ସାମାଜିକ ସ୍ଥିତି ଓ ଜୀବନଦର୍ଶନ ଅନୁଧ୍ୟାନ କରିପାରିନାହାନ୍ତି ଅଥବା ସୁଯୋଗ ପାଇପାରିନାହାନ୍ତି । ତେଣୁ ଏ ସ୍ଥିତି ଉପୁଜିଛି ।
ପରିଶେଷରେ ଏହା କୁହାଯାଇପାରେ ଯେ, ବାସ୍ତବତାର ଏହି ପୃଷ୍ଠଭୂମିରେ ଆମ ପରି ସାଧାରଣ ଜନତାଙ୍କ ଜୀବନ ସମ୍ପ୍ରତି ଭିଜା କାଗଜ ପରି ହୋଇଗଲାଣି । ନା କିଛି ଲେଖିହେଉଛି ନା ପୋଡ଼ି ହେଉଛି ।