ସମ୍ବିଧାନରେ ସମସ୍ତ ନାଗରିକଙ୍କୁ  ସ୍ୱତନ୍ତ୍ରତାର ଅଧିକାର ଦିଆଯାଇଛି,  କିନ୍ତୁ ତାହା ସମ୍ପୂର୍ଣ୍ଣ ସ୍ୱତନ୍ତ୍ରତା  ନୁହେଁ । ପ୍ରତି ଅଧିକାର ସହିତ କିଛି  ଯୁକ୍ତିଯୁକ୍ତ ସୀମା ଓ କଟକଣା ଧାର୍ଯ୍ୟ  କରାଯାଇଛି । ଏଠି ପ୍ରଶ୍ନ ଉଠେ,  ଏଇ ଯେଉଁ କଟକଣା ରହିଛି ତାହା  କେତେଦୂର ଯୁକ୍ତିଯୁକ୍ତ । ଏହାର  ମାନଦଣ୍ଡ କ’ଣ? ଅଧିକାର  ଦେଲେ ଅଧିକାରର ସୀମା ଅବଶ୍ୟ  ରହିବ । ତା’ ନହେଲେ ଦୁଇଟି  ଅଧିକାର ମଧ୍ୟରେ ସଂଘର୍ଷ ହେବ ।  କିନ୍ତୁ ଏ କ୍ଷେତ୍ରରେ ମାନ୍ୟବର  ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ  ମତେ ଏହି ସୀମା ଓ କଟକଣା  ଏତିକି ନହେଉ, ଯଦ୍ୱାରା ତାହା  ମୂଳ ଅଧିକାରର ସ୍ୱରୂପକୁ  ବଦଳାଇଦେବ ।

ସ୍ୱତନ୍ତ୍ରତା ଓ ସ୍ୱାଧୀନତା ଉଭୟ ମଣିଷ ଓ ଅନ୍ୟାନ୍ୟ  ସମସ୍ତ ପ୍ରାଣୀଙ୍କ ମୂଳ ସ୍ୱଭାବ । ଦେଖାଯାଏ, ଛୋଟ  ପିଲାଟିକୁ ପ୍ରଥମେ ପ୍ରଥମେ ଲୁଗା ପିନ୍ଧାଇବା ବେଳେ ପିଲାଟି ବହୁତ ବିରୋଧ କରିଥାଏ । କାରଣ ତାକୁ  ତାହା ଭଲ ଲାଗିନଥାଏ । ଗୃହପାଳିତ ପଶୁଟିଏ ଘରକୁ  ଆଣିଲେ ପ୍ରଥମେ ପ୍ରଥମେ ବେକରେ ପଘା ବା ବେଲ୍ଟ  ପିନ୍ଧାଗଲେ ପଶୁଟି ଖୁବ୍‌ ବିରୋଧ କରେ । ମୋଟାମୋଟି  କହିବାକୁ ଗଲେ କାହାରିକୁ ହେଲେ କୌଣସି ପ୍ରକାର  ବନ୍ଧନ ବା ପରାଧୀନତା ଭଲ ଲାଗିନଥାଏ । କିନ୍ତୁ ଧୀରେ  ଧୀରେ ତାହା ଅଭ୍ୟାସ ହୋଇଯାଏ । ଆମେ ଯେଉଁ  ସମାଜରେ ରହୁଛେ ସେଠାରେ ବଡ଼ମାନେ  ଛୋଟମାନଙ୍କୁ ବିଭିନ୍ନ ପ୍ରକାର ପଘାରେ  ବାନ୍ଧି ରଖିଥାଆନ୍ତି ଓ ତା’ ବଦଳରେ କିଛିଟା  ସ୍ୱାଧୀନତା ମଧ୍ୟ ଦେଇଥାଆନ୍ତି । ସ୍ୱାଧୀନତାର  ବଡ଼ ଉଦ୍ଦେଶ୍ୟ ହେଲା ଯେଉଁ ବନ୍ଧନ  ଅନାବଶ୍ୟକ ତହିଁରୁ ମୁକ୍ତି । ଯେଉଁ ବନ୍ଧନ  ଆବଶ୍ୟକ ତାହା ତ ରହିବ ହିଁ ରହିବ ।  କାରଣ ତହିଁରୁ ମୁକ୍ତହେବା ନିଜ ପାଇଁ,  ପରିବାର ପାଇଁ, ସମାଜ ପାଇଁ ଓ ଦେଶ ପାଇଁ ଠିକ୍‌  ନୁହେଁ । ଜୀବନର ସହଜତାକୁ ଆନନ୍ଦର ସହିତ ଜିଇଁବାର  ଉଦ୍ୟମ ହିଁ ସ୍ୱାଧୀନତା ।

ଉଚ୍ଚ ଆକାଶରେ ଗୁଡ଼ିଟିଏ ଉଡୁଛି ଦେଖି ମନହୁଏ  ଗୁଡ଼ି ପରି ସ୍ୱାଧୀନ ହୋଇ ଉଚ୍ଚ ଆକାଶରେ ଉଡ଼ିବାକୁ ।  କିନ୍ତୁ ଗୁଡ଼ି ଜାଣିନଥାଏ ଯେ ସେ ଏତେ ଉପରେ  ଉଡୁଛି ଏଇଥିପାଇଁ ଯେ, ସେ ଗୋଟେ ଡୋରିରେ ବନ୍ଧା  ହୋଇଛି । ଯଦି ଡୋରି ସୂତା ଛିଣ୍ଡିଯିବ ତାର ଉଡ଼ିବାର  ସ୍ୱାଧୀନତା ତ ଆଉ ରହିବନାହିଁ । ଅନ୍ୟପକ୍ଷରେ ସେ  ଯାଇ କେଉଁ ଗଛଡାଳରେ ଝୁଲିବ ଅଥବା କୌଣସି  ଜଳାଶୟରେ ବୁଡ଼ିବ । ସ୍ୱାଧୀନତା ଓ ବନ୍ଧନ ବୁଝିବାର  ସବୁଠାରୁ ବଡ଼ ଉପମା ହେଲା ଗୁଡ଼ି । କେବେବି କୌଣସି  ମଣିଷ ସମ୍ପୂର୍ଣ୍ଣ ରୂପେ ସ୍ୱାଧୀନ ଓ ସ୍ୱତନ୍ତ୍ର ହୋଇପାରିବ  ନାହିଁ । ନିଜ ଭାବନା, ଇନ୍ଦ୍ରିୟ, ପରିବାର, ପରିବେଶ, ନିଜ  ସମାଜର ଶିକ୍ଷା, ସଂସ୍କାର, ଦେଶର ସମ୍ବିଧାନ ଓ ଅନ୍ୟାନ୍ୟ  ଆଇନକାନୁନ୍‌, ବ୍ୟବସ୍ଥାଗୁଡ଼ିକରୁ କଦାପି ସମ୍ପୂର୍ଣ୍ଣ ରୂପେ  ସ୍ୱାଧୀନ ହୋଇପାରିବ ନାହିଁ କି ହେବା ମଧ୍ୟ ଉଚିତ୍‌  ନୁହେଁ ।

ସମ୍ବିଧାନରେ ସମସ୍ତ ନାଗରିକଙ୍କୁ ସ୍ୱତନ୍ତ୍ରତାର  ଅଧିକାର ଦିଆଯାଇଛି, କିନ୍ତୁ ତାହା ସମ୍ପୂର୍ଣ୍ଣ ସ୍ୱତନ୍ତ୍ରତା  ନୁହେଁ । ପ୍ରତି ଅଧିକାର ସହିତ କିଛି ଯୁକ୍ତିଯୁକ୍ତ ସୀମା  ଓ କଟକଣା ଧାର୍ଯ୍ୟ କରାଯାଇଛି । ଏଠି ପ୍ରଶ୍ନ ଉଠେ,  ଏଇ ଯେଉଁ କଟକଣା ରହିଛି ତାହା କେତେ ଦୂର  ଯୁକ୍ତିଯୁକ୍ତ । ଏହାର ମାନଦଣ୍ଡ କ’ଣ? ଅଧିକାର ଦେଲେ ଅଧିକାରର ସୀମା ଅବଶ୍ୟ ରହିବ । ତା' ନହେଲେ  ଦୁଇଟି ଅଧିକାର ମଧ୍ୟରେ ସଂଘର୍ଷ ହେବ । କିନ୍ତୁ ଏ  କ୍ଷେତ୍ରରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ମତେ  ଏହି ସୀମା ଓ କଟକଣା ଏତିକି ନହେଉ, ଯଦ୍ୱାରା ତାହା  ମୂଳ ଅଧିକାରର ସ୍ୱରୂପକୁ ବଦଳାଇଦେବ । ଉଦାହରଣ  ସ୍ୱରୂପ, ଭାରତର ଯେକୌଣସି ସ୍ଥାନକୁ ଅବାଧରେ  ଯିବା ଆସିବାର ଆମ ସ୍ୱାଧୀନତା ଏତେ କମିନଯାଉ  ଯେ କେବଳ ଆମେ କେତୋଟି ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବାର  ଅଧିକାର ହିଁ ବାକି ରହିବ । ଯେତେ କମ୍‌ କଟକଣା  ଲଗାଇଲେ କାମ ଚଳିଯିବ ସେତିକି ହିଁ କଟକଣା ରହିବା  ଉଚିତ୍‌ ଓ ଯେଉଁ କଟକଣା ଲାଗୁହେବ ତାହା ସମ୍ବିଧାନର  ବ୍ୟବସ୍ଥା ଅନୁସାରେ ହୋଇଥିବା ଜରୁରି ।

ବାକ୍‌ ଓ ଅଭିବ୍ୟକ୍ତିର ସ୍ୱାଧୀନତା ଆମକୁ ସମ୍ବିଧାନ  ଦେଇଛି । ଏହା ଲୋକତନ୍ତ୍ରର ଏକ ଭାବନା ଅଟେ ଓ  ରାଜନୈତିକ ଘଟଣା ମଧ୍ୟ । କିନ୍ତୁ ଦେଖାଯାଉଛି ଯେ  ବେଳେବେଳେ କିଛି କହିଲେ ବା ଲେଖିଲେ ଏତାଲା  ହେଉଛି, ମାମଲା ଚାଲୁଛି ଓ ଜେଲ୍‌ ମଧ୍ୟ ଯିବାକୁ  ପଡ଼ୁଛି । ଏହାର କାରଣ ହେଲା ଯୁକ୍ତିଯୁକ୍ତ ସୀମା ଓ  କଟକଣା ଶବ୍ଦର ଭୁଲ୍‌ ବ୍ୟାଖ୍ୟା ଓ ରାଜତନ୍ତ୍ରରୁ ଆମେ  ଗଣତନ୍ତ୍ରକୁ ଆସିବାର ପୃଷ୍ଠଭୂମି । ଶାସନ ପଦ୍ଧତିରେ  ପରିବର୍ତ୍ତନ ହେବା ଓ ପ୍ରଶାସନର ମୂଲ୍ୟବୋଧରେ  ପରିବର୍ତ୍ତନ ହେବା ମଧ୍ୟରେ କିଛି ସମୟ ଲାଗିଥାଏ ।  ସ୍ୱାଧୀନତା ପରେ ଆମର ଶାସନ ପଦ୍ଧତି ବଦଳିଗଲା  ଓ ଆମେ ଗଣତାନ୍ତ୍ରିକ ଶାସନ ପଦ୍ଧତିକୁ ଆପଣାଇଲେ  ସତ, କିନ୍ତୁ ପ୍ରଶାସନର ମୂଲ୍ୟବୋଧରେ ସେମିତି  ବଡ଼ଧରଣର ପରିବର୍ତ୍ତନ ଏଯାଏଁ ହୋଇନାହିଁ ଓ ଆମ  ସରକାରଗୁଡ଼ିକ ରାଜା ମହାରାଜାମାନଙ୍କ ମାନସିକତା  ଆଜିଯାଏଁ ରଖିଛନ୍ତି । ତେଣୁ ଯାହା ପାଖରେ ସତ୍ତା  ରହିଛି ସେ ଚାହୁଁଛନ୍ତି ଯେ ଲୋକେ ଭାବିଚିନ୍ତି କଥା  କୁହନ୍ତୁ ଅଥବା ଲେଖନ୍ତୁ। କହିବା ବାହୁଲ୍ୟ, ରାଜତନ୍ତ୍ର  ସମୟରେ ଏହି ଆଭିମୁଖ୍ୟ ରାଜା ମହାରାଜାମାନେ  ରଖିଥିଲେ । ଯେତେବେଳେ ସରକାର ବହୁତ  ଶକ୍ତିଶାଳୀ ହୋଇଥାଆନ୍ତି ସେତେବେଳେ ମଧ୍ୟ ତାହାର  ପ୍ରଭାବ ଅଧିକ ବ୍ୟାପକ ଭାବେ ଆମ ଅଧିକାର  ଉପରେ ପଡ଼ିଥାଏ । ଏକ ଭଲ ଗଣତନ୍ତ୍ର ତାହା  ଯେଉଁଠି ବ୍ୟକ୍ତି ଓ ଗଣମାଧ୍ୟମର ବାକ୍‌ ଓ ଅଭିବ୍ୟକ୍ତିର  ସ୍ୱାଧୀନତା ଉପରେ ଖୁବ୍‌ କମ୍‌ କଟକଣା ରଖି ଲୋକଙ୍କ  ଅସହମତି ଠିକ୍‌ ଓ ସ୍ପଷ୍ଟରୂପେ ବ୍ୟକ୍ତ କରିବାର  ଅଧିକାର ରହିବା ଉଚିତ୍‌ । ଏକ ସୁସ୍ଥ ଗଣତନ୍ତ୍ରରେ  ଲୋକଙ୍କ ଅସହମତିକୁ ରାଜଦ୍ରୋହ ବା ଅଦାଲତ  ଅବମାନନା ବା ମାନହାନିର ଘଟଣା ଭାବେ ଖୁବ୍‌ କମ୍‌  କ୍ଷେତ୍ରରେ ଗଣତି କରାଯାଇଥାଏ । ଜନପ୍ରତିନିଧିମାନେ  ନିଜର କାନକୁ ନିଜ ବିରୁଦ୍ଧରେ ଶୁଣିବାକୁ ଯେତିକି  ଅଭ୍ୟସ୍ତ କରିବେ ସେତିକି ତାହା ଆମ ଗଣତନ୍ତ୍ରକୁ  ବିକଶିତ କରିବ । କାରଣ ଅଭିବ୍ୟକ୍ତିର ସ୍ୱାଧୀନତା  ଯେତିକି ଅଧିକ ହେବ ସେତିକି ଲୋକତନ୍ତ୍ର ପୁଷ୍ପିତ  ହେବ ।  

ସାମାଜିକ ଦୃଷ୍ଟିକୋଣରୁ ଯଦି ଦେଖାଯାଏ ତେବେ  ଆମ ପରିବାର, ଜାତି, ଧର୍ମ ବା ସମୁଦାୟ ପରି  ଢାଞ୍ଚାଗୁଡ଼ିକ ଆମର ସ୍ୱାଧୀନତାକୁ ମଧ୍ୟ ବିଶେଷ ରୂପେ  ପ୍ରଭାବିତ କରୁଛି । ସ୍ୱାଧୀନତାର ୭୯ବର୍ଷ ପରେ ମଧ୍ୟ  ସବୁ ବର୍ଗର ଲୋକେ ମୁଖ୍ୟଧାରାର ଲୋକଙ୍କ ପରି ସମାନ  ସ୍ୱାଧୀନତା ପାଇପାରିଲେ ନାହିଁ । ଅବଶ୍ୟ ଏହି ସ୍ଥିତି  ବିଶ୍ୱର ସବୁ ଦେଶରେ ରହିଛି । ସବୁବେଳେ ସବୁଠାରେ  କିଛି ବଞ୍ଚିତ ବର୍ଗ ଲୋକେ ରହିଛନ୍ତି ଯେଉଁମାନେ ସେତିକି  ସ୍ୱାଧୀନତା କେବେ ବି ପାଇପାରିବେ ନାହିଁ ଯେତିକି  ସ୍ୱାଧୀନତା ସକ୍ଷମ ବର୍ଗର ଲୋକେ ପାଉଛନ୍ତି ।

କାଗଜରେ ସ୍ୱାଧୀନତା ତ ସମସ୍ତଙ୍କ ପାଖରେ ରହିଛି,  କିନ୍ତୁ ବାସ୍ତବ ଛବି ପୂରା ଅଲଗା । ସ୍ୱତନ୍ତ୍ରତାର ବିତରଣ  ସମାନ ଭାବେ ସମସ୍ତଙ୍କୁ କରାଯାଉନାହିଁ । କାହିଁକି ଯଦି ପ୍ରଶ୍ନ କରାଯାଏ ତେବେ ଏକମାତ୍ର ଉତ୍ତର ହେବ  ସ୍ୱାଧୀନତା ବିତରଣ ପାଇଁ ଯେଉଁମାନେ ନୀତି ନିର୍ଦ୍ଧାରଣ  କରୁଛନ୍ତି ସେମାନେ ଅଧିକାଂଶରେ ମୁଖ୍ୟଧାରାର ଲୋକ  ଅଟନ୍ତି । ଶ୍ୱେତ ବର୍ଗର ଲୋକେ, ଦେଶର ସବୁଠାରୁ  ବଡ଼ ଧର୍ମର (ଧର୍ମାବଲମ୍ବୀଙ୍କ ସଂଖ୍ୟା ଦୃଷ୍ଟିରୁ) ଲୋକେ,  ଉଚ୍ଚ ଜାତି ଓ ଗୋଷ୍ଠୀର ପୁରୁଷ ପ୍ରାୟତଃ ସବୁବେଳେ  ଶୀର୍ଷରେ ରହୁଥିବାବେଳେ ଗରିବ, ଅନୁସୂଚିତ ଜାତି  ଓ ଜନଜାତିର ଲୋକ, ମହିଳା ଓ ତୃତୀୟ ଲିଙ୍ଗର  ନାଗରିକମାନେ ସବୁଠାରୁ ତଳେ ରହୁଛନ୍ତି । ଏକ ସଭ୍ୟ  ଦେଶର ଏହା ଲକ୍ଷଣ ହେଲା, ସେଠାରେ ଏହି ବ୍ୟବଧାନ  ତ ଥାଏ, କିନ୍ତୁ ଖୁବ୍‌ କମ୍‌ ଥାଏ ଯାହାକୁ ସମତଳୀକରଣ  ପ୍ରକ୍ରିୟା କୁହାଯାଇଥାଏ ।

ମହିଳାଙ୍କ ସ୍ୱାଧୀନତା ଯଦି ଅନୁଧ୍ୟାନ କରି ଦେଖାଯାଏ  ତେବେ ତାହା ମୁଖ୍ୟତଃ ନିର୍ଭର କରୁଛି ଝିଅଟିଏ  କେଉଁଠାରେ ଜନ୍ମ ହେଉଛି । କାରଣ ଆଇନରେ  ସେମାନଙ୍କ ସ୍ୱାଧୀନତା ବିଷୟରେ ଯାହାକିଛି ଥିବା ସତ୍ତେ୍ୱ  ଫ୍ରାନ୍ସ, ଭାରତ ଓ ଆଫଗାନିସ୍ତାନରେ ଜନ୍ମ ହେଉଥିବା  ଝିଅଟିର ସ୍ୱାଧୀନତା ଆପଣାଛାଏଁ ସ୍ଥିର ହୋଇଯାଇଥାଏ  ତା'ର ଜନ୍ମ ପରଠାରୁ ଯାହା ମୁଖ୍ୟତଃ ସେଠାକାର  ସମାଜ ନିର୍ଦ୍ଧାରିତ କରିଥାଏ । ଆମ ସମ୍ବିଧାନରେ ଯେଉଁ  ଚାରିଗୋଟି ମୁଖ୍ୟ ଆଦର୍ଶ ରହିଛି ସେଗୁଡ଼ିକ ହେଲା  ସ୍ୱତନ୍ତ୍ରତା, ସମାନତା, ନ୍ୟାୟ ଓ ବନ୍ଧୁତା । ଏହି ଚାରୋଟି  ଆଦର୍ଶ ମଧ୍ୟରେ ମଝିରେ ମଝିରେ ପ୍ରାୟ କଳହ ଓ  ବିବାଦ ଲାଗିରହିଛି । ସାଧାରଣତଃ ସ୍ୱତନ୍ତ୍ରତା ଓ ସମାନତା  ମଧ୍ୟରେ ଏକତା ଓ ମେଳ ରହିଲେ ତାହାକୁ ସୁଷମ  ବଣ୍ଟନ ନ୍ୟାୟ କୁହାଯାଏ । ଯେଉଁ ସାମାଜିକ ଦାୟିତ୍ୱ,  କ୍ଷମତା, ସମ୍ମାନ ଆଦି ବଣ୍ଟାଯିବ ତାହା ସଠିକ୍‌ ଭାବେ  ବିତରଣ ହେବା ଜରୁରି । କିନ୍ତୁ ଯଦି ପୁରୁଷଙ୍କ ସମ୍ମାନ  ମହିଳାଙ୍କ ଅପେକ୍ଷା ବେଶି, ଗୋଟିଏ ଜାତିର ସମ୍ମାନ  ଅନ୍ୟ ଜାତିର ଲୋକଙ୍କ ଅପେକ୍ଷା ବେଶି ରହିଛି ତେବେ  ତାହା ସମାନ ବଣ୍ଟନ ନୁହେଁ । ମୂଳ ଉଦ୍ଦେଶ୍ୟ ହେଲା,  ଏହିସବୁ ବସ୍ତୁର ସୁଷମ ଓ ସଠିକ୍‌ ବଣ୍ଟନ । ସେହି  ଆବଣ୍ଟନ ଯଦି ଠିକ୍‌ରୂପେ ନହୋଇଛି ତେବେ ତାହାକୁ  ସୁଧାରିବା ପ୍ରକ୍ରିୟାକୁ ସାମାଜିକ ନ୍ୟାୟ କୁହାଯାଇଥାଏ ।

ଦେଖାଯାଉଛି, ଆମ ସ୍ୱତନ୍ତ୍ରତା କିଛି ଲୋକଙ୍କ ପାଇଁ  ଅରାଜକତା ହେଲାଣି । ବ୍ୟକ୍ତି ସ୍ୱାଧୀନତା ଅର୍ଥ ହେଲାଣି  ଜଣେ ସ୍ୱାଧୀନ ବ୍ୟକ୍ତି ଆଉ ଶହେ ସ୍ୱାଧୀନ ବ୍ୟକ୍ତିଙ୍କ  ସହିତ ମିଶି ଅନ୍ୟ ହଜାର ହଜାର ଲୋକଙ୍କ ସ୍ୱାଧୀନତାକୁ  ନଷ୍ଟ କରିବାର ଅଧିକାର ବୋଲି ଧରିନେଉଛନ୍ତି । କେହି  କୌଣସି କଟକଣାକୁ ମାନିବାକୁ ନାରାଜ ତ କେହି କେହି  ଅନ୍ୟକୁ ଅଧିକାର ଦେବାକୁ ଚାହୁଁନାହାନ୍ତି ଓ ଯଦିବା  ଦେଉଛନ୍ତି ତେବେ ଭାବୁଛନ୍ତି ସେମାନେ ଦୟା କରୁଛନ୍ତି ।  ଏ ସ୍ଥିତି ଉପୁଜିବାର ସମ୍ଭବତଃ ଏକ ବଡ଼ କାରଣ ହେଲା  ଆମ ନୀତି ନିର୍ଦ୍ଧାରକମାନେ ଯଦିଓ ନିଃସନ୍ଦେହରେ ଜ୍ଞାନୀ  ଓ ଗୁଣୀ, କିନ୍ତୁ ସେମାନେ ଭାରତୀୟ ଜୀବନଶୈଳୀ,  ସାମାଜିକ ସ୍ଥିତି ଓ ଜୀବନଦର୍ଶନ ଅନୁଧ୍ୟାନ  କରିପାରିନାହାନ୍ତି ଅଥବା ସୁଯୋଗ ପାଇପାରିନାହାନ୍ତି ।  ତେଣୁ ଏ ସ୍ଥିତି ଉପୁଜିଛି ।

ପରିଶେଷରେ ଏହା କୁହାଯାଇପାରେ ଯେ,  ବାସ୍ତବତାର ଏହି ପୃଷ୍ଠଭୂମିରେ ଆମ ପରି ସାଧାରଣ  ଜନତାଙ୍କ ଜୀବନ ସମ୍ପ୍ରତି ଭିଜା କାଗଜ ପରି  ହୋଇଗଲାଣି । ନା କିଛି ଲେଖିହେଉଛି ନା ପୋଡ଼ି  ହେଉଛି ।