ଭୁବନେଶ୍ୱର, ୩/୯ : ଏବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ତ? ଏହି ଦ୍ୱନ୍ଦ୍ୱ ଏଯାଏ ଛିଣ୍ଡୁନି । ନାଁ କଲେଜ କର୍ତ୍ତୃପକ୍ଷ କହି ପାରୁଛନ୍ତି, ନା ଛାତ୍ର ନେତା ଠଉରାଇ ପାରୁଛନ୍ତି । ସମସ୍ତେ ଏକ ପ୍ରକାର ଅନ୍ଧାରରେ । ଉଚ୍ଚଶିକ୍ଷା ବିଭାଗ ଏଯାଏ କିଛି ସଂକେତ ଦେଇନି । ବିରୋଧୀ ଦଳ ଆସନରେ ଥିବା ବେଳେ ବିଜେପି ଛାତ୍ର ସଂସଦ ନିର୍ବାଚନ ନେଇ ଦାବି ଉଠାଇ ଆସୁଥିଲା । ବିଜେପି ସରକାର ଆସିବା ପରେ ଛାତ୍ର ନିର୍ବାଚନ ହେବ ବୋଲି ଅନେକ ମନ୍ତ୍ରୀ ଖୋଲା ବୟାନ ରଖିଥିଲେ । ମାତ୍ର ଗତବର୍ଷ ଛାତ୍ର ସଂସଦ ନିର୍ବାଚନ ହୋଇପାରିଲା ନାହିଁ । ହାତରେ ସମୟ କମ୍ ଥିବା ଦର୍ଶାଇ ସରକାର ନିର୍ବାଚନ କଲେ ନାହିଁ । ହେଲେ ଏବର୍ଷ ନିର୍ବାଚନ ନିଶ୍ଚିତ ହେବ ବୋଲି କୁହାଯାଉଥିଲା । କିନ୍ତୁ ଏଯାଏ ଛାତ୍ର ସଂସଦ ନିର୍ବାଚନ ପାଇଁ କୌଣସି ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇନି ।
ଲିଙ୍ଗ୍ଡୋ କମିସନ ନିୟମ କହୁଛି, ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବାର ୬ରୁ ୮ ସପ୍ତାହ ମଧ୍ୟରେ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା କଥା । ଚଳିତବର୍ଷ ଜୁଲାଇ ୧୦ରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହୋଇଛି । ପ୍ରାୟ ୭ ସପ୍ତାହ ବିତିଗଲାଣି । ଏଯାବତ ନିର୍ବାଚନ ପ୍ରକ୍ରିୟା ନେଇ କୌଣସି ବିଜ୍ଞପ୍ତି ଜାରି କରୁନି ଉଚ୍ଚଶିକ୍ଷା ବିଭାଗ । ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଛାତ୍ର ନେତା । ସାଧାରଣତଃ ଦୁର୍ଗା ପୂଜା ଛୁଟି ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ସରି ଯାଇଥାଏ । ଭୋଟ୍ ପରେ କ୍ୟାମ୍ପସରେ ଛୁଟି ହୋଇଯାଏ । କଲେଜ ନିର୍ବାଚନ ଜନିତ ହିଂସା ଓ ଉତ୍ତେଜନାକୁ ଏହି ଛୁଟି ଥଣ୍ଡା ପକାଇଥାଏ । ଚଳିତବର୍ଷ ବର୍ଷ ଦୁର୍ଗାପୂଜା ଛୁଟି ସେପ୍ଟେମ୍ବର ଶେଷ ସପ୍ତାହରୁ ଆରମ୍ଭ ହୋଇଯାଉଛି । ଦେଖିବାକୁ ଗଲେ ହାତରେ ସମୟ କମ୍ । ଦଶହରା ଛୁଟି ପୂର୍ବରୁ ନିର୍ବାଚନ ହେବା ସମ୍ଭାବନା ଏଯାଏ ଉଜ୍ଜ୍ୱଳ ଦେଖାଯାଉନି । ଅନ୍ୟପଟେ ବିଭିନ୍ନ ରାଜନୈତିକ ଦଳ ସମର୍ଥିତ ଛାତ୍ର ସଂଗଠନ କଲେଜ ନିର୍ବାଚନ ପାଇଁ ଅପେକ୍ଷା କରି ରହିଛନ୍ତି । ଆଶାୟୀ ଛାତ୍ର ନେତା ଭିତରେ ଭିତରେ ପ୍ରସ୍ତୁତି କରୁଛନ୍ତି ସତ କିନ୍ତୁ ଖୋଲାଖୋଲି ମଇଦାନକୁ ଓହ୍ଲାଇ ପାରୁନାହାନ୍ତି ।
ଏତିକି ନୁହେଁ ଶିକ୍ଷା କ୍ୟାଲେଣ୍ଡର ମଧ୍ୟ ଜାରି କରୁନି ଉଚ୍ଚଶିକ୍ଷା ବିଭାଗ । କଲେଜ ଓ ବିଶ୍ୱବିଦ୍ୟାଳୟମାନେ ନିଜସ୍ୱ ଶିକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରିଛନ୍ତି । ଏପରିକି ଏଥିରେ ଛାତ୍ର ସଂସଦକୁ ସ୍ଥାନ ଦେଇଛନ୍ତି ସତ କିନ୍ତୁ ତାରିଖ ସରକାରଙ୍କ ନିଷ୍ପତ୍ତି ଉପରେ ଛାଡ଼ିଛନ୍ତି । ଅନ୍ୟପଟେ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟାକୁ ଦେଖିଲେ ପ୍ରଥମେ ବିଜ୍ଞପ୍ତି ପ୍ରକାଶ ହେବ । ଆଚରଣ ବିଧି ଲାଗୁ ହେବ । ନାମାଙ୍କନ ପତ୍ର ଦାଖଲ ହେବ । ପରେ ନାମାଙ୍କନ ପତ୍ର ପ୍ରତ୍ୟାହାର, ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ହେବ । ପ୍ରଚାର ପାଇଁ ୧୦ ଦିନର ସମୟ ମିଳିବା କଥା । ଏହାପରେ କାହିଁକି ମୁଁ ପ୍ରାର୍ଥୀ ହୋଇଛି ତା’ର ସଭା ହେବ । ତାପରେ ଭୋଟ, ଭୋଟ ଗଣତି, ନିର୍ବାଚିତ ପ୍ରାର୍ଥୀଙ୍କ ନାମ ଘୋଷଣା, ଶପଥ ଗ୍ରହଣ ସଭା ହେବା କଥା । ଏପଟେ ସମୟ ପାଖେଇଲାଣି ହେଲେ କୌଣସି ବିଜ୍ଞପ୍ତି ଆସୁନି । କେବଳ ସରକାର ସକାରାତ୍ମକ ଅଛନ୍ତି ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ରାଜ୍ୟରେ ଶେଷ ଥର ପାଇଁ ୨୦୧୭ରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା । ଏହାପରେ ଫନି ମହାବାତ୍ୟା, କୋଭିଡ୍ ମହାମାରୀ ଆଦି ବିଭିନ୍ନ ଆଳ ଦେଖାଇ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇଥିଲା ।