ନୂଆଦିଲ୍ଲୀ,୦୫/୦୯: ରୋଜର ବିନ୍ନୀଙ୍କ ଇସ୍ତଫା ପରେ ରାଜୀବ ଶୁକ୍ଳା ବିସିସିଆଇର କାମଚଳା ଅଧ୍ୟକ୍ଷ ଅଛନ୍ତି । ବିସିସିଆଇର ପରବର୍ତ୍ତୀ ସଭାପତି କିଏ ହେବେ ? ଏହାକୁ ନେଇ ମାନସ ମନ୍ଥନ ଚାଲିଛି । ଜଣେ ଟପ୍‌ କ୍ରିକେଟର ଏହି ପଦବୀରେ ରହିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଖାଲି ସେତିକି ନୁହେଁ, ବିସିସିଆଇ ଅଧ୍ୟକ୍ଷ ଦୌଡ଼ରେ ଆଗରେ ରହିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯଦି ସେହି କ୍ରିକେଟର ପଦବୀ ଗ୍ରହଣ କରିବାକୁ ପ୍ରସ୍ତୁତ ନହୁଅନ୍ତି ତେବେ ଏହି ପଦବୀ ଅନ୍ୟ ଜଣଙ୍କୁ ଦିଆଯିବ । ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ପରେ ପୂର୍ବତନ କ୍ରିକେଟର ରୋଜର ବିନ୍ନିଙ୍କୁ ବିସିସିଆଇର ପରବର୍ତ୍ତୀ ସଭାପତି ନିଯୁକ୍ତ କରାଯାଇଥିଲା । କିନ୍ତୁ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଛି। କାରଣ ଲୋଧା କମିଟିର ସୁପାରିଶ ଅନୁଯାୟୀ, ଅଧିକାରୀଙ୍କ ସର୍ବାଧିକ ବୟସ ସୀମା କେବଳ ୭୦ ବର୍ଷ । ରୋଜର ବିନ୍ନି ଜୁଲାଇ ୧୯ରେ ୭୦ ବର୍ଷ ବୟସରେ ପାଦ ଥାପିଛନ୍ତି । ଏହି ନିୟମ ଅନୁସାରେ ତାଙ୍କୁ ପଦବୀ ଛାଡିବାକୁ ପଡିଛି । ତାଙ୍କ ସ୍ଥାନରେ ରାଜୀବ ଶୁକ୍ଳା କାମଚଳା ଅଧ୍ୟକ୍ଷ ହୋଇଛନ୍ତି ।

ସେପ୍ଟେମ୍ବର ଶେଷରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡର ବାର୍ଷିକ ସାଧାରଣ ବୈଠକରେ କିଛି ଶୀର୍ଷ ପଦବୀ ପାଇଁ ଚୟନ ହେବ ।  ଯେଉଁଥିରେ ବୋର୍ଡ ସଭାପତି ଏବଂ ଇଣ୍ଡିଆନ ପ୍ରିମିୟର ଲିଗ ଅଧ୍ୟକ୍ଷ ପଦବୀ ମଧ୍ୟ ଅନ୍ତର୍ଭୁକ୍ତ । ବର୍ତ୍ତମାନର IPL ଅଧ୍ୟକ୍ଷ ଅରୁଣ ଧୂମାଲ ୬ ବର୍ଷ ପଦବୀ ପୂରଣ କରିବା ପରେ ବାଧ୍ୟତାମୂଳକ ଭାବରେ ୩ ବର୍ଷର କୁଲିଂ ଅଫ୍ ବ୍ରେକରେ ଯିବାର ସମ୍ଭାବନା ଅଛି । ତାଙ୍କ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବରେ ଅନେକ ନାମ ଉପରେ ଚର୍ଚ୍ଚା ହେଉଛି । ବର୍ତ୍ତମାନ ଦେବଜିତ ସାଇକିଆ ତାଙ୍କ ପଦବୀରେ ରହିବେ । ଯିଏକି ଯୁଗ୍ମ ସଚିବ (୨ ବର୍ଷ ୩ ମାସ) ଏବଂ ସଚିବ (୯ ମାସ) ଭାବରେ ମୋଟ ୩ବର୍ଷ ପୂରଣ କରିଛନ୍ତି । ଯୁଗ୍ମ ସଚିବ ରୋହନ ଗୌନ୍ସ ଦେଶାଇ ଏବଂ ପ୍ରଭତେଜ ଭାଟିଆ ମଧ୍ୟ ସେମାନଙ୍କ ପଦବୀରେ ରହିବେ ।

ଆଇପିଏଲ ଅଧ୍ୟକ୍ଷ ପଦ ପାଇଁ ପୂର୍ବତନ ମୁମ୍ବାଇ କ୍ରିକେଟ ଆସୋସିଏସନ ସଚିବ ସଞ୍ଜୟ ନାୟକ ଏବଂ ବର୍ତ୍ତମାନର ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳାଙ୍କ ନାମ ଚର୍ଚ୍ଚାରେ ଅଛି । ହେଲେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । ଯଦି କଂଗ୍ରେସ ନେତା ରାଜୀବ ଶୁକ୍ଳା ପୁଣି ଥରେ ଆଇପିଏଲ ଅଧ୍ୟକ୍ଷ ହୁଅନ୍ତି, ତେବେ ବିହାର କ୍ରିକେଟ ଆସୋସିଏସନ ସଭାପତି ଏବଂ ରାଜ୍ୟ ବିଜେପି ନେତା ରାକେଶ ତିୱାରୀ ବିସିସିଆଇ ଉପାଧ୍ୟକ୍ଷ ପଦ ପାଇଁ ଦାବିଦାର ହୋଇପାରନ୍ତି । ସେପ୍ଟେମ୍ବର ଶେଷ ସପ୍ତାହରେ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇପାରେ । କିଛି ପଦବୀ ପାଇଁ ନିର୍ବାଚନ ହେବ ଏବଂ ବିସିସିଆଇର ନିୟମ ଅନୁଯାୟୀ ଚଳିତ ବର୍ଷ ନିର୍ବାଚନ ଅନୁଷ୍ଠିତ ହେବ । ଜାତୀୟ କ୍ରୀଡ଼ା ପ୍ରଶାସନ ଆଇନ କାର୍ଯ୍ୟକାରୀ ହେବାକୁ କିଛି ସମୟ ଲାଗିପାରେ, ତେଣୁ ବିସିସିଆଇ ଏତେ ସମୟ ଅପେକ୍ଷା କରିବ ନାହିଁ । ଜୁଲାଇରେ ୭୦ତମ ଜନ୍ମଦିନ ପୂରଣ କରିଥିବା ରୋଜର ବିନ୍ନିଙ୍କୁ ସମ୍ବିଧାନ ଅନୁଯାୟୀ ପୁନଃନିର୍ବାଚିତ କରାଯାଇପାରିବ ନାହିଁ ।

ବିସିସିଆଇର ସଭାପତିଙ୍କ ଚୟନ ରୋଚକ ହେବ । କାରଣ ଜଣେ ବଡ଼ ଭାରତୀୟ ଖେଳାଳି ଏହି ରେସରେ ରହିଛନ୍ତି  । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ପିଟିଆଇକୁ କହିଛନ୍ତି, "ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରମାନଙ୍କ ମଧ୍ୟରେ ଏକ ଧାରଣା ଅଛି ଯେ ଜଣେ ପ୍ରତିଷ୍ଠିତ କ୍ରିକେଟର ସର୍ବଦା ସଭାପତି ନିର୍ବାଚିତ ହେବା ଉଚିତ । ସୌରଭ ଗାଙ୍ଗୁଲି ଜଣେ ଟପ୍ ଭାରତୀୟ ଅଧିନାୟକ ଥିଲେ ଏବଂ ରୋଜର ବିନ୍ନି ଭାରତର ପ୍ରଥମ ବିଶ୍ୱକପ୍ ବିଜୟୀ ପ୍ଲେୟାର  ଥିଲେ । ତଥାପି, ଏହି ଶୀର୍ଷ ପଦବୀ ପାଇଁ କେତେ ଜଣ ପ୍ରତିଷ୍ଠିତ କ୍ରିକେଟର ଆଗ୍ରହୀ ହେବେ ତାହା ଏକ ବଡ଼ ପ୍ରଶ୍ନ ।"