ନୂଆଦିଲ୍ଲୀ, ୯/୯ : ମୌସୁମୀ କେଉଁଠି ରୋମାଣ୍ଟିକ ତ ଆଉ କେଉଁଠି ମୃତ୍ୟୁର ଇନଭିଟେସନ। ଯେମିତିକି କାଶ୍ମୀର ଠାରୁ କେରଳ... ହିମାଚଳ ଠାରୁ ଉତ୍ତରାଖଣ୍ଡ... ମୌସୁମୀ ଆସିଲେ କେଉଁଠି ବାଦଲ ଫଟୁଛି ତ ଆଉ କେଉଁଠି ମାଟି ଅତଡ଼ା ଧସୁଛି । ଧ୍ଵଂସାବଶେଷ ତଳେ ଗାଁ ଗଣ୍ଡା ସହର ଦବି ଯାଉଛି । ଆକାଶରୁ ଯମଦୂତ ଭଳି ମାଡ଼ି ଆସୁଛି, କେଇ ସେକେଣ୍ଡରେ ଖନଭିନ କରିଦେଉଛି। କେବଳ ୨୦୨୫ ମୌସୁମୀ ଜନିତ ମୃତ୍ୟୁ ସଂଖ୍ୟା ହେଉଛି ୨୭୮ । ପ୍ରକୃତିର ଏହି ବିନାଶଲୀଳାର ନାଁ ହେଉଛି ଲ୍ୟାଣ୍ଡସ୍ଲାଇଡ୍ ବା ଭୂସ୍ଖଳନ ।
ଅଗଷ୍ଟ ୫... ଉତ୍ତରାଖଣ୍ଡରେ ଆକାଶରୁ ଖସିଲା ଅଚାନକ ମୃତ୍ୟୁ । ଲ୍ୟାଣ୍ଡସ୍ଲାଇଡରେ ପୂରା ଗାଁ ମାଟି ସମାଧି ନେଲା । ସେହିପରି ଅଗଷ୍ଟ ୧୪, ଜାମ୍ମୁ କାଶ୍ମୀର ବୈଷ୍ଣୋ ଦେବୀ ଘାଟୀରେ ପ୍ରକୃତି ଦେଖାଇଲା କରାଳ ରୂପ । ଭୂସ୍ଖଳନରେ ଚାଲିଗଲା ୬୮ ଜୀବନ । ହିମାଚଳ କଥା ନକହିବା ଭଲ। କାରଣ ଏହି ପାହାଡ଼ି ରାଜ୍ୟ ସତେ ଯେପରି ଲ୍ୟାଣ୍ଡସ୍ଲାଇଡ୍ର ପ୍ରାକ୍ଟିସ ଗ୍ରାଉଣ୍ଡ। ମୌସୁମୀ ଆସିବା ମାତ୍ରେ ଏଠି ପାହାଡ଼ ଧସିବା ଟା ଥୟ । ଏବେ ପ୍ରଶ୍ନ ଉଠୁଛି, ପ୍ରତିବର୍ଷ ପାହାଡ଼ ଏମିତି କାହିଁକି ଧସୁଛି ? ଏହା ପ୍ରାକୃତିକ ନା ମନୁଷ୍ୟକୃତ ? ଭାରତରେ କେଉଁ ସ୍ଥାନ ଗୁଡ଼ିକୁ ସବୁଠୁ ଅଧିକ ଭୂସ୍ଖଳନ ପ୍ରବଣ ? ଏହାର ମୁକାବିଲାରେ କାହିଁକି ସରକାର ଫେଲ ? କ’ଣ କିଛି ସ୍ଥାୟୀ ସମାଧାନ ନାହିଁ ? ପ୍ରତି ବର୍ଷ ବଡ଼ ଧରଣର କ୍ଷତି ହେବା ସତ୍ତ୍ଵେ କାହିଁକି ଏହି ଅଞ୍ଚଳରେ ବିକାଶ କରୁନାହାଁନ୍ତି ସରକାର ? କେଉଁଠି ରହୁଛି ଅସୁବିଧା ? ଟୁରିଜିମ... ବର୍ଡର... ନା ଅର୍ଥନୀତିର ଲୋଭ... ଜାଣନ୍ତୁ ସବୁ ପ୍ରଶ୍ନର ଉତ୍ତର ଏହି ରିପୋର୍ଟରେ...
ସରଳ ଭାଷାରେ ବୁଝିବାକୁ ଗଲେ ବର୍ଷା ହେବା ପରେ ପାହାଡ଼ର ମାଟି ପାଣିକୁ ଶୋଷିନିଏ, ଏହାର ଓଜନ ବଢିଯାଏ। ମାଟି ଭାରି ହେବା ଯୋଗୁଁ ଏହା ପାହାଡ଼ ଉପରୁ ତଳକୁ ଖସିବାକୁ ଲାଗେ। ଏହାକୁ ଭୂସ୍ଖଳନ କୁହାଯାଏ। ତେବେ କେବଳ ମୌସୁମୀ ବର୍ଷା ଭୂସ୍ଖଳନର କାରଣ ନୁହେଁ। ଭୂମିକମ୍ପ ଫଲଟ ଲାଇନ ଓ ଆଗ୍ନେୟଗିରି ଉଦଗୀକରଣ ଏହାର ପ୍ରମୁଖ କାରଣ। ତେବେ ଏ ଦୁଇଟି ତ ହେଲା ପ୍ରାକୃତିକ କାରଣ। ଏହି ମୃତ୍ୟୁ ଲୀଳାକୁ ନିମନ୍ତ୍ରଣ ଦେବାରେ ମଣିଷ ବି କିଛି କମ ନୁହେଁ... ଯେମିତି କି ପାହାଡ଼ିଆ ଅଞ୍ଚଳରେ ଖୁଲମଖୁଲା ଭାବରେ ଗଛ କଟା ଯାଉଛି । ମାଇନିଂ ଆଳରେ ପାହାଡ଼ ଖୋଳାଯାଉଛି। ପ୍ଲାଣ୍ଟେସନ କଲା ଭଳି କଂକ୍ରିଟ ଜଙ୍ଗଲ ମାଡ଼ି ଯାଉଛି । ଏବେ ସବୁଠୁ ବଡ଼ ପ୍ରଶ୍ନ... ଏହି ବିନାଶଲୀଳା ରୋକିବାକୁ ଭାରତ ସରକାର କିଛି ପଦକ୍ଷେପ ନେଇଛନ୍ତି ନା ଖାଲି ନୀରବଦ୍ରଷ୍ଟା ସାଜିଛନ୍ତି ? ଏହାର ଉତ୍ତର ହେଉଛି ହଁ... ବିପର୍ଯ୍ୟୟ ପରିଚାଳନା ପାଇଁ ସରକାର ବହୁ ପଲିସି ଆଣିଛନ୍ତି । ୨୦୦୫ରେ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ପାସ ହୋଇଥିଲା । ଏହାର ଲକ୍ଷ୍ୟ ଥିଲା ବିପର୍ଯ୍ୟୟ ପୂର୍ବରୁ ପ୍ରସ୍ତୁତି ଓ ଏହା ପରେ ଲୋକଙ୍କୁ ତ୍ଵରିତ ଉଦ୍ଧାର। ଏହାପରେ ୨୦୧୯ରେ ନ୍ୟାସନାଲ ଲ୍ୟାଣ୍ଡସ୍ଲାଇଡ ରିସ୍କ ମ୍ୟାନେଜମେଣ୍ଟ ଷ୍ଟ୍ରାଟେଜି ନାଁରେ ପୁଣି ରଣନୀତି ପ୍ରସ୍ତୁତ କରାଗଲା। ଲକ୍ଷ୍ୟ ଥିଲା ଲାଇସ୍ଲାଇଡ ହଟସ୍ପଟ ସ୍ଥାନକୁ ମ୍ୟାପିଂ କରିବା । ପାହାଡ଼ ଗୁଡ଼ିକର ଲଗାତର ମନିଟରିଂ କରିବା, ଲୋକଙ୍କ ପାଖକୁ ତୁରନ୍ତ ରିଲିଫ ପଠାଇବା। ମୋଟାମୋଟି ଭାବେ କହିବାକୁ ଗଲେ ସରକାର ସିଷ୍ଟମକୁ ପ୍ରଥମରୁ ଗାଇଡଲାଇନ ଓ ଷ୍ଟ୍ରାଟେଜିରେ ଲେସ କରି ମୁକାବିଲା କରିବାକୁ ଚେଷ୍ଟା କରୁଛନ୍ତି । ଯାହାଦ୍ଵାରା କୌଣସି ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିକୁ କମ କରାଯାଇପାରିବ। ତେବେ ସରକାରଙ୍କ ଏହି ସବୁ ପଲିସି କ’ଣ ବିପର୍ଯ୍ୟୟ ରୋକିବାକୁ ପର୍ଯ୍ୟାପ୍ତ ? ଏହାର ଉତ୍ତର ହେଲା ପ୍ରକୃତିର କୋପରୁ ରକ୍ଷା ପାଇବାକୁ ହେଲେ ଆମକୁ ବି ଅଭ୍ୟାସ ବଦଳାଇବାକୁ ପଡ଼ିବ। ବୃକ୍ଷରୋପଣ ବଢ଼ାଇବାକୁ ପଡ଼ିବ। ଏହି କାମ ଖାଲି ସରକାରଙ୍କର ନୁହେଁ, ଏହା ଆମ ଦାୟିତ୍ଵ। ସେହିପରି ପାହିଡ଼ିଆ ଅଞ୍ଚଳ ସିଡି ପ୍ରଣାଳୀରେ ଚାଷ । ଏହା ମାଟିକୁ ଧସିବାରୁ ରୋକିଥାଏ। ଅର୍ଥାତ ଭୂସ୍ଖଳନ ରୋକିବାର ସ୍ଥାୟୀ ସମାଧାନ କଷ୍ଟସାଧ୍ୟ ହେଲେବି ଅସମ୍ଭବ ନୁହେଁ।
ସବୁଠୁ ବଡ଼ ପ୍ରଶ୍ନ ଭାରତର କେଉଁ ସବୁ ଅଞ୍ଚଳ ଭୂସ୍ଖଳନ ପ୍ରବଣ ? କେଉଁଠି ସବୁଠୁ ଅଧିକ ଲ୍ୟାଣ୍ଡସ୍ଲାଇଡ ହୁଏ ? ଭାରତର ପ୍ରଥମ ଜୋନ ହେଉଛି ନର୍ଥ-ଇଷ୍ଟ। ଅରୁଣାଚଳ ଠାରୁ ନେଇ ମିଜୋରାମ, ଓ ସିକ୍କିମ ଯାଏଁ। ଏଠାରେ ୫୦ ପ୍ରତିଶତ ଲ୍ୟାଣ୍ଡସ୍ଲାଇଡ ହୁଏ। ଦ୍ଵିତୀୟ ଜୋନ ହେଉଛି ହିମାଳୟର ବରଫାବୃତ ଅଞ୍ଚଳ । ଏଠାରେ ରହିଛି ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ଜାମ୍ମୁ କାଶ୍ମୀର। ତୃତୀୟ ପ୍ରଭାବିତ ଅଞ୍ଚଳ ହେଉଛି ପଶ୍ଚିମ ଘାଟ ପର୍ବତମାଳା। ଏଠାରେ ତ ଭୂସ୍ଖଳନ ସାଧାରଣ କଥା। ସେହିପରି ଚତୁର୍ଥ ଜୋନ ହେଉଛି ପୂର୍ବଘାଟ ପର୍ବତମାଳା । ମୋଟାମୋଟି ଭାବେ ଭାରତରେ ୪ଟି ସମ୍ଵେଦନଶୀଳ ଜୋନ ରହିଛି ।
ପ୍ରତିବର୍ଷ କୋଟି କୋଟି ଟଙ୍କାର କ୍ଷତି ସତ୍ତ୍ଵେ ସରକାର ଏହି ସ୍ଥାନ ଗୁଡ଼ିକୁ ଖାଲି କରିବା ବଦଳରେ ଏଠାରେ କାହିଁକି ଉନ୍ନତିକରଣ କରୁଛନ୍ତି ? ସରକାରଙ୍କ ଅସୁବିଧା କ’ଣ ରହୁଛି ? ଏହାର ଉତ୍ତର ହେଉଛି ସରକାର ଏହି ଅଞ୍ଚଳ ଗୁଡ଼ିକୁ ଖାଲି କରିବା ଅର୍ଥ ଦେଶର ବ୍ୟାକବୋନକୁ ଧକ୍କା ମାରିବା ସହ ସମାନ। ଏହି ସବୁ ଅଞ୍ଚଳଗୁଡ଼ିକ ପର୍ଯ୍ୟଟନର ପ୍ରମୁଖ ସ୍ଥାନ। ଏଠାକାର ସୁନ୍ଦରତା ଦେଶ ବିଦେଶରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ଏହା ଉପରେ ହୋଟେଲ ଶିଳ୍ପ, ଟ୍ୟାକ୍ସି ଓ ଘରୋଇ ଅର୍ଥ ନିବେଶ ଉପରେ ନିର୍ଭର କରେ। ଆଉ ଏକ ପ୍ରମୁଖ କାରଣ ହେଉଛି ବର୍ଡର ସିକ୍ୟୁରିଟି ଫ୍ୟାକ୍ଟର । ତେଣୁ ଦେଶର ସୁରକ୍ଷା ପାଇଁ ଏହି ସବୁ ଅଞ୍ଚଳରେ ରୋଡ, ବ୍ରିଜ, ଟନେଲ ତିଆରି କରିବା ସରକାରଙ୍କ ପ୍ରମୁଖ ଦାୟିତ୍ଵ। ଯାହାଦ୍ଵାରା ସେନା ସହଜରେ ସୀମା ପର୍ଯ୍ୟନ୍ତ ପହଞ୍ଚିପାରିବ। ପାହାଡ଼ିଆ ଅଞ୍ଚଳରେ ବିକାଶ ପଛରେ କେଉଁଠି ନା କେଉଁଠି ଆମେ ବି ଦାୟୀ। କାରଣ ଏହି ସବୁ ଅଞ୍ଚଳକୁ ଯେତେବେଳେ ଆମେ ବୁଲିବାକୁ ଯାଉ, ଲଗଜୁରିଅସ ହୋଟେଲ, ଟ୍ୟାକ୍ସି, ହାଇୱେ, ଓ ଅଡଭେଞ୍ଚର୍ସ ସ୍ପୋର୍ଷ୍ଟର ଆଶା ରଖୁଛେ। ଯାହାକି ସରକାରଙ୍କ ଉପରେ ଚାପ ପକାଇବାର ଆଉ ଏକ କାରଣ। ଶେଷରେ କହିବାକୁ ଗଲେ ଲ୍ୟାଣ୍ଡସ୍ଲାଇଡ ରୋକିବାକୁ ସରକାରଙ୍କ ପାଖରେ ଦୁଇଟି ରାସ୍ତା । ବିକାଶ ରୋକି ଲୋକଙ୍କ ରୋଜଗାର ପ୍ରଭାବିତ କରିବେ କିମ୍ଵା ବିକାଶ କରି ପ୍ରାକୃତିକ ବିପର୍ଯ୍ୟୟକୁ ଡାକିଆଣିବେ । ଏହାର ଉତ୍ତର ହେଉଛି ବିକାଶ ସରକାରଙ୍କ ମଜବୁରି, ଚଏସ ନୁହେଁ। ହେଲେ ସରକାର ଯେଉଁବି ବିକଳ୍ପକୁ ବାଛିବେ ତାହାର ଫଳ ସେଠାକାର ନୀରିହ ଲୋକଙ୍କୁ ହିଁ ଭୋଗିବାକୁ ପଡ଼ିବ।