​​​​​​​ମାଲକାନଗିରି,୧୫।୯ (ଆପ୍ର ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଗାରିଆବନ୍ଦ ପୋଲିସ ନିକଟରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ଜଣେ ମହିଳା ମାଓ ନେତ୍ରୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଏହି କୁଖ୍ୟାତ ମାଓ ନେତ୍ରୀଙ୍କ ନାମ ଜାନସୀ ଓରଫ ଭାଚେଲା ମାତାମି  ସେ ମୃତ କୁଖ୍ୟାତ ମାଓବାଦୀ ସତ୍ୟମ ଗାୱାଡେଙ୍କ ପତ୍ନୀ ।

ଜାନସୀ ମୂଳତଃ ମହାରାଷ୍ଟ୍ରର ବାସିନ୍ଦା ସେ ୨୦୦୫ ମସିହାରୁ ନକ୍ସଲ ସଂଗଠନ ସହିତ ଜଡିତ ରହି ବିଭିନ୍ନ ସ୍ତରରେ ଦାୟିତ୍ୱ ନିର୍ବାହ କରିଛନ୍ତି। ସେ ପ୍ରେସ୍ ଏବଂ ପ୍ରଚାର କାର୍ଯ୍ୟଠାରୁ ଆରମ୍ଭ କରି କ୍ଷେତ୍ର କମିଟି ସଦସ୍ୟ, ଡେପୁଟି କମାଣ୍ଡର, କମାଣ୍ଡର ଏବଂ ଶେଷରେ ନାଗାରି କ୍ଷେତ୍ର କମିଟି ସଚିବ ଭାବେ କାର୍ଯ୍ୟ କରିଥିଲେ। ୨୦୧୧ ମସିହାରେ ସେ ମାଓ ନେତା ତଥା ଡିଭିସିଏମ୍ ସତ୍ୟମ ଗାୱାଡେଙ୍କୁ ବିବାହ କରିଥିଲେ। ଏହା ପରେ ଦୁହେଁ ଦୀର୍ଘ ସମୟ ଧରି ମୈନପୁର ଡିଭିଜନରେ ନକ୍ସଲ କାର୍ଯ୍ୟକଳାପ ଚଳାଇଥିଲେ।

୨୦୧୪ ମସିହାରେ ଏକ ଏନକାଉଣ୍ଟରରେ ସତ୍ୟମ ଗାୱାଡେଙ୍କ ମୃତ୍ୟୁ ପରେ ମଧ୍ୟ ଜାନସି ସଂଗଠନରେ ରହିଥିଲେ ୨୦୨୨ ମସିହାରୁ ସଚିବ ଭାବରେ କାର୍ଯ୍ୟ କରି ଅନେକ ହିଂସାକାଣ୍ଡର ନେତୃତ୍ଵ ନେଇଥିଲେ। ତେବେ ସ୍ବାମୀଙ୍କ ମୃତ୍ୟୁ ପରେ ସେ ମାଓ ସଙ୍ଗଠନରେ ନିଜକୁ ଏକାକୀ ଅନୁଭବ କରୁଥିଲେ।  ସଙ୍ଗଠନ ନୀତି ଆଦର୍ଶ ହରାଇ ଦୁର୍ବଳ ହେଉଥିବା ଏବଂ ସୁରକ୍ଷା ବଳର ଘନ ଘନ ଅପରେସନ ଯୋଗୁଁ ସେ ସାଧାରଣ ଜୀବନଯାପନ କରିବାକୁ ନିଷ୍ପତ୍ତି ନେଇ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି। ସରକାରୀ ନୀତି ନିୟମ ଅନୁଯାୟୀ ତାଙ୍କୁ ଥଇଥାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।