ଭୁବନେଶ୍ୱର,୨୯/୯: ଜଣେ ପୁଲିସ ବାବୁଙ୍କ ସ୍ତ୍ରୀ ଚାକିରି ପାଇଁ ବାହାରକୁ ଯାଉଥିଲେ । ଯାହାର ଫାଇଦା ଉଠାଇ ସ୍ୱାମୀଜଣକ ପ୍ରେମିକାକୁ ଘରକୁ ଡକାଇ ମଉଜ କରୁଥିଲେ । ଅଚାନକ୍ ସ୍ତ୍ରୀ ପହଞ୍ଚିଯିବାରୁ ହରଡ଼ଘଣା ପଡ଼ିଲେ ସ୍ୱାମୀ । ରଙ୍ଗେ ହାତ ଧରାପଡ଼ିଗଲେ । କୋଳଥିଆ ଅଞ୍ଚଳରେ ରହୁଥିବା ଜଣେ ପୁଲିସ ବାବୁଙ୍କ ଏହି ପରକୀୟା ପ୍ରୀତି ସାମ୍ନାକୁ ଆସିଛି ।
ପୁଲିସ ବାବୁଜଣକ ହେଲେ ଫିରୋଜ କୁମାର ପରିଡ଼ା । ସେ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀ (ବିପିଏସ୍ପିଏ)ରେ ୮ ବର୍ଷ ଧରି ସିପାହୀ ଭାବେ ଚାକିରି କରୁଛନ୍ତି । ସ୍ୱାମୀ-ସ୍ତ୍ରୀ କୋଳଥିଆ ଅଞ୍ଚଳରେ ଭଡ଼ାସୂତ୍ରରେ ରହୁଛନ୍ତି । ଉଭୟଙ୍କ ଗୋଟିଏ ପୁଅ ଅଛି । ଫିରୋଜଙ୍କ ସ୍ତ୍ରୀ ରସୁଲଗଡ଼ର ଏକ ଘରୋଇ ସଂସ୍ଥାରେ ଚାକିରି କରୁଛନ୍ତି । ସେ ପ୍ରତିଦିନ ସକାଳ ୯ଟାରୁ ଘରୁ ଅଫିସ୍ ଅଭିମୁଖେ ବାହାରି ଯାନ୍ତି । ଆଉ ସନ୍ଧ୍ୟାରେ ଫେରନ୍ତି । ଯାହାର ଫାଇଦା ଉଠାଇ ଫିରୋଜ ଘରକୁ ତାଙ୍କ ପ୍ରେମିକାକୁ ଆଣୁଥିଲେ ବୋଲି ତାଙ୍କ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି ।
ତାଙ୍କ ସ୍ତ୍ରୀ କହିଥିଲେ, ୨ ଦିନ ତଳେ ସେ ଅଫିସ୍ ଯାଉଥିବା ବେଳେ ଟିଫିନ୍ ବାକ୍ସ ଆଣିବାକୁ ଭୁଲିଯାଇଥିଲେ । ସେ ଅଧା ରାସ୍ତାରୁ ଅଚାନକ୍ ଘରକୁ ଫେରିଥିଲେ । ଅନେକଥର କବାଟ ବାଡ଼େଇବାରୁ ଫିରୋଜ କବାଟ ଖୋଲିଲେନି । ଅଧ ଘଣ୍ଟା ପରେ ଅଧା କବାଟ ଖୋଲି କ’ଣ କାମ ଅଛି ବୋଲି କହିବାରୁ ତାଙ୍କର ସନ୍ଦେହ ଉପୁଜିଥିଲା । ଅନେକ ଯୁକ୍ତିତର୍କ ପରେ ଫିରୋଜ ଶେଷରେ କବାଟ ଖୋଲିଥିଲେ । ବେଡ୍ରୁମ୍ର କପ୍ବୋର୍ଡରେ ଜଣେ ଯୁବତୀ ଲୁଚିଥିବା ଦେଖି ସ୍ତ୍ରୀଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଆଉ ସ୍ୱାମୀଙ୍କ ସବୁ କାରସାଦି ପଦାରେ ପଡି଼ଥିଲା । ସ୍ୱାମୀଙ୍କ ରାସଳୀଲାର ପ୍ରମାଣ ରଖିବା ପାଇଁ ସେ ପିସିଆର ଭ୍ୟାନକୁ ଡକାଇ ସମସ୍ତ ଘଟଣା ଜଣାଇଥିଲେ । ରବିବାର ଫିରୋଜଙ୍କ ସ୍ତ୍ରୀ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।