ଥୁଆମୂଳ, ୧୪/୧୦ : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଗୋପାଳପୁର ପଞ୍ଚାୟତର ଖମାରପଦର ନିକଟ ଇନ୍ଦ୍ରାବତୀ ନଦୀରେ ଆଜି ବାଲି କାଢୁଥିବା ସମୟରେ ଜଣେ ବୟସ୍କା ମହିଳା ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିବା ବେଳେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ଖମାରପଦର ଗ୍ରାମର ଲେତ୍ରା ମାଝୀଙ୍କ ସ୍ତ୍ରୀ ରୁକ୍ମଣୀ (୫୫)ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଖମାରପଦର ଗ୍ରାମର କିଛି ମହିଳା ନଦୀରୁ ବାଲି କାଢି ତାକୁ ବିକ୍ରି କରି ଦି ପଇସା ପାଉଥିଲେ। ଯେଉଁଥିରେ ତାଙ୍କର ପରିବାର ପ୍ରତିପୋଷଣ କରୁଥିଲେ । ପୁର୍ବ ଦିନ ଗୁଡ଼ିକ ଭଳି ଆଜି ମଧ୍ୟ ବାଲି କାଢିବାକୁ ଯାଇଥିଲେ ଏବଂ ଏଭଳି ଅଘଟଣର ଶିକାର ହୋଇଛନ୍ତି । ସୂଚନାପାଇ ଥୁଆମୂଳ ରାମପୁର ଅଗ୍ନିଶମ ବିଭାଗର ହାବିଲଦାର ବନମାଳୀ ପୁଜାରୀଙ୍କ ନେତୃତ୍ୱରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନଦୀ ଗର୍ଭରେ ବୁଡ଼ିଯାଇଥିବା ରୁକ୍ମଣୀର ମୃତଦେହ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ଥୁଆମୂଳ ରାମପୁର ପୋଲିସ ପକ୍ଷରୁ ସବ୍ ଇନ୍ସପେକ୍ଟର ଭାସ୍କର ଖୋସ୍ଲା ପହଞ୍ଚି ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି।