ନୂଆଦିଲ୍ଲୀ,୨୬/୦୯:  ହିନ୍ଦୁ ସମାଜରେ କନ୍ୟାଦାନର ପରମ୍ପରା ରହିଛି । ଜଣେ ମହିଳାଙ୍କ ବିବାହ ପରେ ତାଙ୍କର ଗୋତ୍ର (କୁଳ ଓ ବଂଶ) ବଦଳିଯାଏ । ଏଭଳି କ୍ଷେତ୍ରରେ ଜଣେ ବିଧବା କିମ୍ବା ନିଃସନ୍ତାନ ମହିଳାଙ୍କ ମୃତ୍ୟୁ ଘଟିଲେ ତାଙ୍କ ସମ୍ପତ୍ତି ଉପରେ କେବଳ ତାଙ୍କ ଶ୍ୱଶୁର ଘର ବା ସ୍ୱାମୀଙ୍କ ପରିବାର ଲୋକଙ୍କ ଅଧିକାର ରହିଛି । ସମ୍ପୃକ୍ତ ମହିଳାଙ୍କ ପିତାମାତା କିମ୍ବା ସେମାନଙ୍କ ପରିବାରକୁ ତାହା ମିଳିବ ନାହିଁ । ଏକ ମାମଲାର ଶୁଣାଣି କରିବା ଅବସରରେ ସୁପ୍ରିମକୋର୍ଟ ଏଭଳି ରାୟ ଶୁଣାଇଛନ୍ତି ।

ହିନ୍ଦୁ ଉତ୍ତରାଧିକାର ଆଇନ ୧୯୫୬ର ଧାରା ୧୫ (୧)(ଖ)କୁ  ଚ୍ୟାଲେଞ୍ଜ କରି ଆଗତ ଏକ ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହା କହିଛନ୍ତି । ଏହି ଆଇନରେ କୁହାଯାଇଛି କି ଯଦି କୌଣସି  ବିଧବା କିମ୍ବା ନିଃସନ୍ତାନ ମହିଳାଙ୍କର ମୃତ୍ୟୁ ହୁଏ ଏବଂ ସେ ତାଙ୍କର ସମ୍ପତ୍ତି କାହା ନାମରେ କରିନଥାନ୍ତି ସେଭଳି କ୍ଷେତ୍ରରେ ତାଙ୍କ ଶ୍ୱଶୁର ଘର ଲୋକେ ଉକ୍ତ ସମ୍ପତ୍ତି ପାଇବାକୁ ହକ୍‌ଦାର । ଶୁଣାଣି ବେଳେ ସୁପ୍ରିମକୋର୍ଟର ଏକମାତ୍ର ମହିଳା ବିଚାରପତି ବି.ଭି ନାଗରତ୍ନା କହିଥିଲେ ଯେ ଆମର ହିନ୍ଦୁ ସମାଜରେ ଯେଉଁ ସଂରଚନା ପୂର୍ବରୁ ପ୍ରଚଳିତ ରହିଛି ତାକୁ ନୀଚ କରିବାକୁ ଚେଷ୍ଟ କରାନଯାଉ । ମହିଳାଙ୍କର ଅଧିକାର ନିହାତି ଆବଶ୍ୟକ । କିନ୍ତୁ ସାମାଜିକ ସଂରଚନା ଓ ମହିଳାଙ୍କୁ ଅଧିକାର ପ୍ରଦାନ କରିବା କ୍ଷେତ୍ରରେ ସନ୍ତୁଳନ ଜରୁରି । ହିନ୍ଦୁ ସମାଜର ଏକ ସଂରଚନା ରହିଛି । ଆପଣ ଏହାକୁ  ତଳେ ପକାଇପାରିବେ ନାହିଁ । ହଜାର ହଜାର ବର୍ଷ ଧରି ଚାଲିଆସୁଥିବା  କୌଣସି ପରମ୍ପରାକୁ ଆମ ରାୟ ଭାଙ୍ଗୁ ବୋଲି ଆମେ ଚାହୁଁନା ।

ସୁପ୍ରିମକୋର୍ଟ ଦୁଇଟି ମାମଲା ଉପରେ ଶୁଣାଣି କରିଥିଲେ । ପ୍ରଥମଟି ଥିଲା କୋଭିଡ-୧୯ରେ ଏକ ଯୁବଦମ୍ପତିଙ୍କ ମୃତ୍ୟୁ ପରେ ସେମାନଙ୍କ ସମ୍ପତ୍ତି ଉପରେ ସ୍ୱାମୀଙ୍କ ମା' ଓ ପତ୍ନୀଙ୍କ ମା' ହକ୍‌ ଜାହିର କରିଥିଲେ ।  ଅନ୍ୟ ଏକ ମାମଲା ଏକ ନିଃସନ୍ତାନ ଦମ୍ପତିଙ୍କ ସହ ଜଡ଼ିତ । ସେମାନଙ୍କ  ମୃତ୍ୟୁ ପରେ ସ୍ୱାମୀଙ୍କ ଭଉଣୀ ସମ୍ପତ୍ତି ଉପରେ ଦାବି କରିଥିଲେ ।  ଜଷ୍ଟିସ୍‌ ନାଗରତ୍ନା କହିଥିଲେ ଯେ ବିବାହ ପରେ ପତ୍ନୀଙ୍କ ଦାୟିତ୍ୱ ତାଙ୍କ  ସ୍ୱାମୀ, ଶାଶୁ, ଶ୍ୱଶୁର, ପୁଅଝିଅ ସର୍ବୋପରି ଶ୍ୱଶୁର ଘର ପରିବାର ହିଁ  ନେଇଥାନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ସେ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ  ସ୍ଥିର କରିପାରନ୍ତି ନଚେତ ଦ୍ୱିତୀୟ ବିବାହ କରିପାରନ୍ତି । ପତ୍ନୀ ଛାଡପତ୍ର  କ୍ଷେତ୍ରରେ ନିଜର ସ୍ୱାମୀଙ୍କ ଠାରୁ ହିଁ ଭରଣପୋଷଣ ଦାବି କରିଥାନ୍ତି ।  ନିଜ ପିତାମାତା କିମ୍ବା ଭାଇଙ୍କ ଦାବି କରି ନଥାନ୍ତି ।