ଟୋକିଓ, ୧୫/୦୯: ଜାମାଇକାର ଓବ୍ଲିକ  ସେଭିଲ ଓ ଆମେରିକାର ମେଲିସା ଜେଫରସନ- ଉଡେନ ଯଥାକ୍ରମେ ବିଶ୍ୱର ନୂଆ ଦ୍ରୁତତମ ପୁରୁଷ  ଓ ମହିଳା ହେବାର ଗୌରବ ଲାଭ କରିଛନ୍ତି । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍‌ର  ୨୦ତମ ସଂସ୍କରଣର ଦ୍ୱିତୀୟ  ଦିବସରେ ଥିଲା ସବୁଠୁ  ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ ୧୦୦  ମିଟର ଦୌଡ଼ । ଉଭୟ ପୁରୁଷ  ଓ ମହିଳାରେ ବିଶ୍ୱକୁ  ମିଳିଥିଲେ ନୂଆ ବିଶ୍ୱ ଚାମ୍ପିଅନ । ପୁରୁଷ  ୧୦୦ ମିଟରରେ ଜାମାଇକାର ଦବ୍‌ଦବା ଦେଖିବାକୁ  ମିଳିଥିଲା ।

୨୪ ବର୍ଷୀୟ ସେଭିଲ ପ୍ରଥମ ବିଶ୍ୱ  ଟାଇଟଲ ଜିତିବାରେ ସଫଳ ହୋଇଥିଲେ । ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୯.୭୭ ସେକେଣ୍ଡ  ସହ ଟାଇଟଲ ହାସଲ କରିଥିଲେ । ୟୁସେନ  ବୋଲ୍ଟଙ୍କ ପରେ ପ୍ରଥମ ଜାମାଇକା ପୁରୁଷ ଧାବକ  ଭାବେ ବିଶ୍ୱ ଚାମ୍ପିଅନ ହୋଇଛନ୍ତି ସେଭିଲ । ସାଥି  କିଷନେ ଥମ୍ପସନ ୯.୮୨ ସେକେଣ୍ଡ ସହ ରୌପ୍ୟ  ଏବଂ ଆମେରିକାର ନୋଆ ଲାଇଲ୍ସ ସିଜନର  ଶ୍ରେଷ୍ଠ ପ୍ରଦର୍ଶନ ୯.୮୯ ସେକେଣ୍ଡ ଦେଇ ବ୍ରୋଞ୍ଜ  ଜିତିଥିଲେ । ସେଭିଲଙ୍କର ଏହା ଦ୍ୱିତୀୟ ବିଶ୍ୱ ଚାମ୍ପିଅନସିପ୍‌ ପଦକ । ପୂର୍ବ ସଂସ୍କରଣରେ ସେ  ୪+୧୦୦ ମିଟର ରିଲେରେ ବ୍ରୋଞ୍ଜ ଜିତିଥିଲେ । ବୋଟସ୍ୱାନାର ୨୦୦ ମିଟରରେ ପ୍ୟାରିସ ଅଲିମ୍ପିକ୍ସ  ଚାମ୍ପିଅନ ଏବଂ ୧୦୦ ମିଟରରେ ରୌପ୍ୟ ବିଜେତା  ଲେଟସିଲେ ତେବୋଗୋ ଫାଇନାଲରେ ତ୍ରୁଟିପୂର୍ଣ୍ଣ  ଆରମ୍ଭ ଯୋଗୁ ଅଯୋଗ୍ୟ ଘୋଷିତ ହୋଇଥିଲେ ।

ମହିଳାରେ ଆମେରିକାର ୨୪ ବର୍ଷୀୟା  ମେଲିସା ଜେଫରସନ-ଉଡେନ ନୂଆ ଚାମ୍ପିଅନସିପ୍‌  ରେକର୍ଡ (୧୦.୬୧ ସେକେଣ୍ଡ) ସହ  ଜୀବନରେ ପ୍ରଥମ ବିଶ୍ୱ  ଟାଇଟଲ ହାସଲ କରିଥିଲେ । ଜାମାଇକାର ଟିନା କ୍ଲେଟନ  ନିଜର ବ୍ୟକ୍ତିଗତ ଶ୍ରେଷ୍ଠ  ପ୍ରଦର୍ଶନ (୧୦.୭୬)  ଦେଇ ରୌପ୍ୟ ଏବଂ ସେଣ୍ଟ  ଲୁସିଆର ଅଲିମ୍ପିକ୍ସ ଚାମ୍ପିଅନ ଜୁଲିଏନ ଆଲଫ୍ରେଡ୍‌ (୧୦.୮୪  ) ବ୍ରୋଞ୍ଜ ପଦକ ଜିତିଥିଲେ ।

ଜେଫରସନ ପ୍ୟାରିସ ଅଲିମ୍ପିକ୍ସରେ ୧୦୦  ମିଟରରେ ବ୍ରୋଞ୍ଜ ଓ ୪ଢ୧୦୦ ମିଟର ରିଲେରେ  ସ୍ୱର୍ଣ୍ଣ ଜିତିଥିଲେ । ସେମିତି ବିଶ୍ୱ ଚାମ୍ପିଅନସିପର  ୨୦୨୨ ଓ ୨୦୨୩ ରିଲେରେ ସ୍ୱର୍ଣ୍ଣ ଜିତିଥିଲେ ।