ନୂଆଦିଲ୍ଲୀ,୦୫/୧୧: ଦକ୍ଷିଣ ଆଫ୍ରିକାକୁ ହରାଇ ପ୍ରଥମ ଥର ମହିଳା ବିଶ୍ୱ କପ୍ ଜିତିଛି ଭାରତୀୟ ମହିଳା କ୍ରିକେଟ୍ ଟିମ୍ । ଏହି ବିଜୟ ପରେ ଟିମ୍ ସଦସ୍ୟମାନଙ୍କ ବ୍ରାଣ୍ଡ୍ ଭ୍ୟାଲ୍ୟୁରେ ଦେଖିବାକୁ ମିଳିଛି ବଡ଼ ଉଛାଳ । ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତୀୟ ମହିଳା କ୍ରିକେଟ୍ ଟିମ୍ର ଖେଳାଳୀମାନଙ୍କ ପାଇଁ ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟ ଶୁଳ୍କ ପୂର୍ବରୁ ହିଁ ୨୫%ରୁ ୧୦୦% ପର୍ଯ୍ୟନ୍ତ ବଢ଼ିଯାଇଛି ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜେମିମା ରୋଡ୍ରିଗ୍ସ, ସ୍ମୃତି ମନ୍ଧାନା, ହରମନ୍ପ୍ରୀତ କୌର, ଦୀପ୍ତି ଶର୍ମା, ଶେଫାଳି ବର୍ମା ଏବଂ ଅନ୍ୟ ଖେଳାଳୀମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକରେ ଫଲୋୟର୍ସଙ୍କ ସଂଖ୍ୟାରେ ଦେଖାଦେଇଛି ବିଶାଳ ବୃଦ୍ଧି । କିଛି ଖେଳାଳୀଙ୍କ ଅନୁଗାମୀଙ୍କ ସଂଖ୍ୟା ଦୁଇ ଗୁଣ କିମ୍ବା ୩ ଗୁଣା ହୋଇଯାଇଛି । ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟ ସଂକ୍ରାନ୍ତ ଏନ୍କ୍ୱାରୀ ବି ବଡ଼ ଆକାରରେ ବଢ଼ିଛି । ଖେଳାଳୀଙ୍କ ଚାହିଦା ଏବେ କାହିଁରେ କ’ଣ । ଖେଳାଳୀଙ୍କୁ ପରିଚାଳନା କରୁଥିବା ଅନ୍ୟତମ ଏଜେନ୍ସି ବେସ୍ଲାଇନ୍ ଭେଞ୍ଚର୍ସର ପ୍ରବନ୍ଧ ନିର୍ଦ୍ଦେଶକ ତୁହିନ ମିଶ୍ରା କୁହନ୍ତି, ଆଜି ସକାଳରୁ ହିଁ ବ୍ରାଣ୍ଡ୍ ସହ ଜଡ଼ିତ ଏନ୍କ୍ୱାରୀ ସଂଖ୍ୟାରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । କେବଳ ବିଜ୍ଞାପନ ନୁହେଁ ବରଂ ରିନ୍ୟୁଆଲରେ ବୃଦ୍ଧି ଦେଖିବାକୁ ମିଳିଛି । ରିନ୍ୟୁଆଲ ଶୁଳ୍କରେ ୨୫ରୁ୩୦% ବୃଦ୍ଧି ଘଟିଛି । ଅଷ୍ଟ୍ରେଲିଆ ବିରୋଧରେ ସେମିଫାଇନାଲରେ ସାନ୍ଦାର ୧୨୭ ରନ୍ କରି ବିଶ୍ୱର ଧ୍ୟାନ ଆକର୍ଷଣ କରିଥିବା କ୍ରିକେଟର ଜେମିମା ରୋଡ୍ରିଗ୍ସଙ୍କ ବ୍ରାଣ୍ଡ୍ ଭ୍ୟାଲ୍ୟୁରେ କଥିତ ଭାବେ ୧୦୦% ବୃଦ୍ଧି ଘଟିଛି ।
ଜେମିମାଙ୍କୁ ପରିଚାଳନା କରୁଥିବା ଏଜେନ୍ସି, ଜେଏସ୍ଡବ୍ଲ୍ୟୁ ସ୍ପୋର୍ଟସର ମୁଖ୍ୟ ବାଣିଜ୍ୟିକ ଅଧିକାରୀ କରଣ ଯାଦବ କହିଲେ, ଅଷ୍ଟ୍ରେଲିଆ ବିରୋଧରେ ମ୍ୟାଚ୍ ଶେଷ ହେଉ ହେଉ ଏଣ୍ଡୋର୍ସମେଣ୍ଟ ରିକ୍ୱେଷ୍ଟର ବନ୍ୟା ଦେଖିବାକୁ ମିଳିଲା । ଆମେ ୧୦ରୁ ୧୨ ବ୍ରାଣ୍ଡ୍ ସହ ଆଲୋଚନା କରୁଛୁ । ରିପୋର୍ଟ ଅନୁସାରେ, ଜେମିମା ଏବେ ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟ୍ ପାଇଁ ୭୫ ଲକ୍ଷ ଟଙ୍କାରୁ ଦେଢ଼ କୋଟି ଟଙ୍କା ପର୍ଯ୍ୟନ୍ତ ଫି’ ନେଉଛନ୍ତି । ସବୁଠୁ ଅଧିକ ଆୟ କରୁଥିବା ମହିଳା କ୍ରିକେଟର ସ୍ମୃତି ମନ୍ଧାନା ପୂର୍ବରୁ ହିଁ ୧୬ ବ୍ରାଣ୍ଡ୍ର ପ୍ରଚାର କରୁଛନ୍ତି, ଯେଉଁଥିରେ ଏଚ୍ୟୁଏଲ୍ର ରେକ୍ସୋନା ଡିଓଡ୍ରାଣ୍ଟ, ନାଇକି, ହ୍ୟୁଣ୍ଡାଇ, ହର୍ବାଲାଇଫ୍, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଗଲ୍ଫ ଅଏଲ୍ ଏବଂ ପିଏନ୍ବି ମେଟ୍ଲାଇଫ୍ ଇନ୍ସ୍ୟୁରାନ୍ସ ଆଦି ସାମିଲ । ନିଜ ପ୍ରଚାର ଜରିଆରେ ୨୫ ବର୍ଷୀୟ ମନ୍ଧାନା କଥିତ ଭାବେ ପ୍ରତି ବ୍ରାଣ୍ଡ୍ ପିଛା ଦେଢ଼ରୁ ୨ କୋଟି ଟଙ୍କା ଆୟ କରନ୍ତି ।
କେତେକ ପ୍ରମୁଖ ବ୍ରାଣ୍ଡ୍ଗୁଡ଼ିକ ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ଅଭିନନ୍ଦନ ବାର୍ତ୍ତା ପୋଷ୍ଟ୍ କରି ଭାରତର ମହିଳା ବିଶ୍ୱ କପ୍ ବିଜୟର ଫାଇଦା ଉଠାଇଛନ୍ତି । ହର୍ମନ୍ପ୍ରୀତ କୌର, ଦୀପ୍ତି ଶର୍ମା ଏବଂ ରିଚା ଘୋଷଙ୍କୁ ପ୍ରାୟୋଜିତ କରୁଥିବା କମ୍ପାନି ପ୍ୟୁମା ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଥିଲା । ମହିଳା କ୍ରିକେଟ୍ ଟିମ୍ର ବିଶ୍ୱ କପ୍ ବିଜୟ ପରେ ସେମାନଙ୍କ ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟରେ ବିଶାଳ ବୃଦ୍ଧି ଦେଖିବାକୁ ମିଳିଛି । ଶିଳ୍ପ ଅଧିକାରୀମାନଙ୍କ କହିବାନୁସାରେ, ଲୋକପ୍ରିୟତା ଦୃଷ୍ଟିକୋଣରୁ କ୍ୟାପ୍ଟେନ ହର୍ମାନ୍ପ୍ରୀତ୍ କୌର୍ ଏବଂ ଭାଇସ୍କ୍ୟାପ୍ଟେନ୍ ସ୍ମୃତି ମନ୍ଧାନାଙ୍କ ଏଣ୍ଡୋର୍ସମେଣ୍ଟ୍ ଫି’ ୩୦ରୁ ୫୦% ବଢ଼ିପାରେ । ଏହି ଦୁଇ କ୍ରିକେଟର ଏବେ ପ୍ରାୟ ୨୦ଟି ବ୍ରାଣ୍ଡ୍ର ପ୍ରଚାର କରୁଛନ୍ତି । ପ୍ରକାଶଯୋଗ୍ୟ, ଏବେ ପ୍ରପର୍ଟି ଡେଭଲପର ଓମେକ୍ସ ହର୍ମାନ୍ପ୍ରୀତ୍ କୌରଙ୍କୁ ଏହାର ନୂଆ ବ୍ରାଣ୍ଡ୍ ଆମ୍ବାସଡ଼ର ଘୋଷଣା କରିଛି ।