ନୂଆଦିଲ୍ଲୀ ୨୭/୧୦: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ)କୁ ଆଜିକାଲି ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି । ତେବେ ଆଗକୁ ଏହା ଯୁଦ୍ଧର ରୂପରେଖ ବଦଳାଇବାକୁ ଯାଉଛି । ଆମେରିକାର ଡିଫେନ୍ସ ଟେକ୍ନୋଲୋଜି କମ୍ପାନି ଶିଲ୍ଡ ଏଆଇ ଏବେ ନିଜର ନୂଆ ଷ୍ଟିଲ୍ଥ ଯୁଦ୍ଧବିମାନ ଏକ୍ସ-ବ୍ୟାଟ୍ ବିକଶିତ କରିଛି । ଏହା ବିଶ୍ୱର ପ୍ରଥମ ଏଆଇ ଯୁକ୍ତ ଯୁଦ୍ଧବିମାନ ବୋଲି କମ୍ପାନି ଦାବି କରିଛି । ଶିଲ୍ଡ ଏଆଇ ବିମାନକୁ ସ୍ୱତନ୍ତ୍ର ‘ହାଇଭ୍ମାଇଣ୍ଡ ସଫ୍ଟୱେର’ ସହ ଉଡ଼ାଇବାକୁ ଯୋଜନା କରୁଛି । ଫଳରେ ଯୁଦ୍ଧଭୂମିରେ ଜିପିଏସ୍ ବ୍ୟବସ୍ଥା ବାଧାପ୍ରାପ୍ତ ହେଲେ ବି ସେହି ଆଡ୍ଭାନ୍ସଡ ଏଆଇ ସିଷ୍ଟମ ଜରିଆରେ ଯୋଗାଯୋଗ ବିନା ବିମାନଟି କାମ କରିବାରେ ସମର୍ଥ ହେବ ।
ହାଇଭ୍ମାଇଣ୍ଡ ସଫ୍ଟୱେର ଅନ୍ବୋର୍ଡ ସେନ୍ସର ବ୍ୟବହାର କରି ବିମାନକୁ ଆଖପାଖର ବାତାବରଣକୁ ବୁଝିବା, ବିପଦ ଆସିଲେ ମାର୍ଗ ବଦଳାଇବା ଏବଂ ରିଅଲ ଟାଇମ୍ରେ ଟାର୍ଗେଟ୍କୁ ଚିହ୍ନଟ କରିବାରେ ସହାୟତା କରିବ । ସେହି ଅନୁସାରେ ପଦକ୍ଷେପ ଗ୍ରହଣ ଲାଗି ବିମାନଟି ଅପରେଟରଙ୍କୁ ଅନୁମତି ମାଗିବ । ଏହା ଏକୁଟିଆ କିମ୍ବା ଅନେକଗୁଡି଼ଏ ବିମାନ ସହ ମିଶି କାମ କରିପାରିବ । ଯାହାକୁ ଆମେରିକା ବାୟୁସେନା ‘କୋଲାବୋରେଟିଭ୍ କମ୍ବାଟ୍ ଏୟାରକ୍ରାଫ୍ଟ’ ବୋଲି କହିଥାଏ । ସେହିପରି ଏକ୍ସବ୍ୟାଟ୍କୁ ଉଡ଼ାଇବା ଲାଗି ପାଇଲଟଙ୍କର ଆବଶ୍ୟକତା ନାହିଁ । ଉଡ଼ାଣ କିମ୍ବା ଅବତରଣ ପାଇଁ ପାରମ୍ପରିକ ରନ୍ୱେ ବି ଦରକାର ପଡି଼ବନି । ବିନା ରନ୍ୱେରେ ଶକ୍ତିଶାଳୀ ଆକ୍ରମଣ କରିବାରେ ଏହା ସମର୍ଥ ହେବ ।
ସୂଚନା ଅନୁସାରେ, ଏହି ଏଆଇ ଯୁକ୍ତ ଯୁଦ୍ଧବିମାନର ଅପରେସନାଲ୍ ରେଞ୍ଜ ୨୦୦୦ ନଟିକାଲ୍ ମାଇଲରୁ ଅଧିକ । ଏହା ବାୟୁରୁ-ବାୟୁ ଏବଂ ବାୟୁରୁ-ଭୂପୃଷ୍ଠ ଉପରେ ଆକ୍ରମଣ କରିବା ଭଳି ଅସ୍ତ୍ରଶସ୍ତ୍ର ନେଇ ଯାଇପାରିବ । ଏହାର ସବୁଠୁ ବଡ଼ ସ୍ୱତନ୍ତ୍ରତା ହେଲା ଭର୍ଟିକାଲ୍ ଟେକ୍ଅଫ୍ ଓ ଲ୍ୟାଣ୍ଡିଂ (ଭିଟିଓଏଲ୍)ସିଷ୍ଟମ । ଏକ ସ୍ୱତନ୍ତ୍ର ଲଞ୍ଚ- ଆଣ୍ଡ-ଡେଲିଭରି ଭେଇକିଲ୍ ସହାୟତାରେ ଏହା ବିନା ରନ୍ୱେରେ ଉଡ଼ାଣ ଏବଂ ଅବତରଣ କରିପାରିବ । ଅର୍ଥାତ୍ ବିମାନଟି ଜାହାଜର ଡେକ୍, ଦ୍ୱୀପ କିମ୍ବା ରନ୍ୱେ ନଥିବା ସ୍ଥାନରେ ଯେକୌଣସି ସ୍ଥାନରେ ଅପରେଟ୍ କରିପାରିବ । ସେହିପରି ଗୁଇନ୍ଦା ସୂଚନା ସଂଗ୍ରହ, ସର୍ଭିଲାନ୍ସ ଏବଂ ଉଦ୍ଧାର ମିଶନ୍ରେ ବି ଏହାକୁ ନିୟୋଜିତ କରିହେବ ।
ଶିଲ୍ଡ ଏଆଇ ପକ୍ଷରୁ କୁହାଯାଇଛି ଯେ, ଆସନ୍ତାବର୍ଷ ଏହାର ପରୀକ୍ଷଣ ଆରମ୍ଭ ହେବ । ୨୦୨୮ ମଧ୍ୟରେ ଏହାକୁ ସଂପୂର୍ଣ୍ଣ ଭାବେ ମାନ୍ୟତା ମିଳିବାର ଆଶା ରହିଛି । ଏପରି ହେଲେ ୨୦୨୯ରେ କମ୍ପାନି ଉତ୍ପାଦନ ଆରମ୍ଭ କରିବ । ତେବେ ବିମାନର ଦାମ୍ ସଂପର୍କରେ କିଛି ସ୍ପଷ୍ଟ ହୋଇନାହିଁ । ଅବଶ୍ୟ ଏଫ୍-୧୬ ଭଳି ପ୍ରସିଦ୍ଧ ବିମାନ ତୁଳନାରେ ଏହାର ଦାମ୍ କମ୍ ରହିବ ବୋଲି କମ୍ପାନି କହିଛି । ଆଉ କିଛି ରିପୋର୍ଟ ଅନୁସାରେ ଏକ୍ସ-ବ୍ୟାଟ୍ର ଦାମ୍ ଭାରତୀୟ ମୁଦ୍ରାରେ ୨୨୪.୧ କୋଟି ରହିପାରେ ।
ସାନ୍ ଡିଏଗୋସ୍ଥିତ ଏହି କମ୍ପାନି ଏଆଇ ଯୁକ୍ତ ଡ୍ରୋନ୍ ସିଷ୍ଟମ ବନାଇବାରେ ପାରଙ୍ଗମ । ଆମେରିକୀୟ ବାୟୁସେନା, ସ୍ପେଶାଲ ଅପରେସନ୍ କମାଣ୍ଡ ଏବଂ ଅନେକ ବିଦେଶୀ ସେନା ଏହାର ଡ୍ରୋନ୍ ଏବଂ ଅଟୋନୋମି ସଫ୍ଟୱେର ବ୍ୟବହାର କରିଛନ୍ତି । ଏକ୍ସବ୍ୟାଟ୍ ପୂର୍ବରୁ କମ୍ପାନିର ଏମ୍କ୍ୟୁ-୩୫- ଭି-ବ୍ୟାଟ୍ ଡ୍ରୋନ୍ ଖୁବ୍ ଚର୍ଚ୍ଚାରେ ରହିଥିଲା । ତାକୁ ୨୦୨୧ରେ ଦେଶର ନୌସେନାରେ ସାମିଲ କରାଯାଇଥିଲା । ଏହି ଡ୍ରୋନ୍ ଜିପିଏସ୍ ଏବଂ ଯୋଗାଯୋଗ ବିନା ବି କାମ କରିପାରେ ।