ନୂଆଦିଲ୍ଲୀ,୦୩/୦୯: ପଞ୍ଜାବ, ହିମାଚଳ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର, ହରିୟାଣା, ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରବଳ ବର୍ଷା ଜାରି ରହିଛି । ପଞ୍ଜାବରେ ଗତ ୪ ଦଶନ୍ଧି ଭିତରେ ସବୁଠୁ ବଡ଼ ଧରଣର ବନ୍ୟା ହୋଇଛି । ୧୯୮୮ରେ ଆସିଥିବା ବିନାଶକାରୀ ବନ୍ୟାଠାରୁ ବି ଏହା ଅଧିକ ପ୍ରଭାବ ପକାଇଛି । ପଠାନକୋଟ, ଫିରୋଜପୁର ସମେତ ପ୍ରାୟ ୨୩ ଜିଲ୍ଲା ସପ୍ତାହେ ହେଲାଣି ବନ୍ୟାପାଣି ଘେରରେ ଅଛି । ପଞ୍ଜାବରେ ୧,୩୧୩ ଗାଁର ୩.୫ ଲକ୍ଷରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଅଦ୍ୟାବଧି ୩୦ ଜଣଙ୍କ ମୃତ୍ୟୁ ଘଟିଲାଣି । ସେପଟେ ଦିଲ୍ଲୀରେ ଯମୁନା ନଦୀ ଉଛୁଳି ଘରେ ପାଣି ପିଶିଛି । ପ୍ରାୟ ୧୦ ହଜାରେ ଲୋକଙ୍କୁ ସ୍ତାନାନ୍ତରଣ କରାଯାଇଛି । ଯମୁନା ଜଳସ୍ତର ୨୦୬ ମିଟର ମାର୍କ ଅତିକ୍ରମ କରିଛି ।

ହରିୟାଣାର ଭିବାନି, ହିସାର, ସିରସା, ଯମୁନାନଗର, କୁରୁକ୍ଷେତ୍ର, ପଞ୍ଚକୁଲା ସମେତ ଚଣ୍ଡିଗଡ଼ରେ ସ୍କୁଲ ଛୁଟି କରାଯାଇଛି । ଗୁରୁଗ୍ରାମରେ କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ କୁହାଯାଇଛି ।  ସେପଟେ ଦିଲ୍ଲୀରେ ଯମୁନା ନଦୀ ଜଳ ସ୍ତର ବଢ଼ିବାରେ ଲାଗିଛି । ମଙ୍ଗଳବାର ଯମୁନା ନଈ ଉଛୁଳି ଟ୍ରାନ୍ସ-ଯମୁନା କ୍ଷେତ୍ରରେ କେତେକ କଲୋନୀ ଭିତରେ ପାଣି ପଶିଯାଇଥିଲା । ଯମୁନା ବଜାର, ମୟୁର ବିହାର ଏବଂ ଆଖପାଖ ଅଞ୍ଚଳର କଲୋନୀଗୁଡ଼ିକରେ ରହୁଥିବା ଲୋକଙ୍କୁ ସେମାନଙ୍କ ଜରୁରି ଆସବାବପତ୍ର ଧରି ଆଶ୍ରୟ ଶିବିରକୁ ଯିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି । ଯମୁନା ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ବନ୍ୟା ମୁକାବିଲା ଯୋଜନାକୁ ସକ୍ରିୟ କରିଛନ୍ତି । ଦିଲ୍ଲୀ-ଏନ୍‌ସିଆର୍‌ର ଅନେକ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ରାସ୍ତାଘାଟ ପାଣିରେ ବୁଡ଼ିଛି । ଗୁରୁଗ୍ରାମରେ ବର୍ଷା ଯୋଗୁ ଯାତାୟାତ ଏକପ୍ରକାର ଠପ୍‌ ହୋଇଯାଇଛି । ଏଥିଯୋଗୁ ଭୟଙ୍କର ଟ୍ରାଫିକ୍‌ ଜାମ୍‌ ସ୍ଥିତି ଉପୁଜିଛି । ଲୋକେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଫସି ରହିଥିବାର ଦୃଶ୍ୟ ଭାଇରାଲ ହେଉଛି । 

ଚଳିତ ମୌସୁମୀରେ ଦିଲ୍ଲୀରେ ୧,୦୦୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଗଲାଣି । ଗତ ମାସରେ ଦିଲ୍ଲୀ ବର୍ଷା ବାର୍ଷିକ ହାରାହାରି ରେକର୍ଡ (୭୭୪ ମିମି) ଭାଙ୍ଗିଥିଲା । ଡାଟା ଅନୁସାରେ ଅଗଷ୍ଟ ୩୧ ସୁଦ୍ଧା ଦିଲ୍ଲୀରେ ୯୬୩.୪ ମିମି ବର୍ଷା ରେକର୍ଡ କରାଯାଇଥିଲା । ସେପ୍ଟେମ୍ବର ୧ରେ ଏହା ୧୦୦୦ ମିମି ଟପିଛି । ୩ ଦିନ ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପଞ୍ଜାବରେ  ବନ୍ୟା ପ୍ରଭାବିତଙ୍କ ଉଦ୍ଧାର କାର୍ଯ୍ୟରେ ୨୩ ଏନଡିଆରଏଫ ଟିମ୍, ସେନା, ବାୟୁସେନା, ନୌସେନା ଏବଂ ବିଏସ୍‌ଏଫ ଟିମ୍‌ ନିୟୋଜିତ ହୋଇଛନ୍ତି । ଏଯାବତ ୧୫,୬୮୮ ଲୋକଙ୍କୁ ଉଦ୍ଧାର କରାଯାଇଛି । ଆସନ୍ତା ୭ ଯାଏଁ ରାଜ୍ୟର ସମସ୍ତ ସ୍କୁଲ୍, କଲେଜ, ବିଶ୍ବବିଦ୍ୟାଳୟ ଛୁଟି ଘୋଷଣା ହୋଇଛି