ପାଟଣାଗଡ଼,୩/୧୧: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ତେଣ୍ଡାପଦର ପଞ୍ଚାୟତ ରତାଖଣ୍ଡି ଗାଁ ପାଖ ଗୋଚର ଜମି ଜଙ୍ଗଲ ଠାରୁ ଶନିବାର ନିଖୋଜ ଥିବା ଜଗଦାନନ୍ଦ ଷାଣ୍ଡଙ୍କ ଝିଅ ସୁନିତା ଷାଣ୍ଡ(୨୦) ଙ୍କ ଗଲିତ ମୃତଦେହ ଉଦ୍ଧାର କରିଥିଲା ପାଟଣାଗଡ଼ ପୁଲିସ। ଏ ଘଟଣାରେ ଯୁବତୀଙ୍କ ପ୍ରେମିକ ଦେଓଗାଁ ଥାନା ମାଟୁପାଲି ଗାଁର ରାଜୁ ମିର୍ଦ୍ଧା (୨୭)କୁ ପୁଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। କିନ୍ତୁ ସୁନିତାଙ୍କ ମୃତ୍ୟୁ ଘଟଣାରେ ପୁଲିସ ପ୍ରେମିକକୁ ଗିରଫ କରି ଏଭଳି ଏକ ସ୍ପର୍ଶକାତରତା ଘଟଣାରୁ ହାତ ଛାଡ଼ିବାକୁ ଉଦ୍ୟମ ଜାରି ରଖିଥିବା ପରିବାର ପକ୍ଷରୁ ଅଭିଯୋଗ ହେଉଛି। 
ମୃତ ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଝିଅ ସୁନିତାଙ୍କ ସହ ମାଟୁପାଳି ଗାଁର ରାଜୁ ମିର୍ଦ୍ଧାଙ୍କ ସହ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ଥିଲା। କିଛିଦିନ ହେଲା ସୁନିତା ଅନ୍ୟ କାହା ପ୍ରେମ ସମ୍ପର୍କ ରଖିଥିବା ନେଇ ସନ୍ଦେହ କରି ରାଜୁ ଫୋନରେ ବାରମ୍ବାର ଗାଳିଗୁଲଜ କରିଆସୁଥିଲା। ଫଳରେ ସୁନିତା ମାନସିକ ସ୍ତରରେ ଚାପଗ୍ରସ୍ତ ହୋଇ ଆସୁଥିଲା। ଉକ୍ତ ପ୍ରେମ ସମ୍ପକକୁ ନେଇ ଯୁବତୀଙ୍କ ପରିବାର ଲୋକେ ଜାଣି ଝିଅକୁ ବୁଝାସୁଝା କରି ଏ ଘଟଣାରୁ ଦୂରେଇରହିବା ପାଇଁ ପରମର୍ଶ ଦେଇଥିଲେ। କିନ୍ତୁ ଝିଅ ପାଖରେ ମୋବାଇଲ ଫୋନ ଥିବାରୁ ପ୍ରେମିକ ସହ କଥାବାର୍ତ୍ତା ହୋଇଆସୁଥିଲା। ତେବେ ଗତ ମାସ  ୮ ତାରିଖ ରାତ୍ରିରେ ପ୍ରେମିକ ଜଣକ ଝିଅ ସୁନିତାକୁ ବିଭିନ୍ନ ପ୍ରକାର ବୁଝାସୁଝା କରି ରତାଖଣ୍ଡି ଗାଁ ମୁଣ୍ଡକୁ ସାକ୍ଷାତ ପାଇଁ ଡାକିଥିଲା। ସେଠାରୁ ଉଭୟ ଏକ ବାଇକରେ ଫେରାର ହୋଇଯାଇଥିଲେ। ଯାହାକୁ ନେଇ ପରିବାର ବର୍ଗ ପାଟଣାଗଡ଼ ଥାନାରେ ଝିଅ ନିଖୋଜ ଥିବା ନେଇ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। 
ଅପରପକ୍ଷରେ ଝିଅର ମୃତ ଦେହ ପଡ଼ିଥିବା ସ୍ଥାନଠାରୁ ଦୂରରେ ତାର ଜିନ୍ସ ପ୍ୟାଣ୍ଟ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ତମାମ ସୁରାକରୁ ଯବତୀଙ୍କୁ ଦୁଷ୍କର୍ମ ହୋଇଥିବା ସନ୍ଦେହ କରାଯାଉଛି। ଏହି ମାମଲାରେ ପ୍ରେମିକ ରାଜୁ ସହ ଅନେକଙ୍କ ସମ୍ପୃକ୍ତି ରହିଥିବା ଅନୁମାନ କରାଯାଉଥିବାବେଳେ ଏହାର ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆସିବ ବୋଲି ପରିବାର ବର୍ଗ ସହ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏ ଘଟଣାରେ ମୃତ ଯୁବତୀଙ୍କ ପ୍ରେମିକକୁ ଆଜି କୋର୍ଟ ଚାଲାଣ କରାଯାଇଛି ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଥାନାଧିକାରୀ ହରିବନ୍ଧୁ ଗଡ଼ତ୍ୟା ସୂଚନା ଦେଇଛନ୍ତି। ଏହି ଘଟଣାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାପାଇଁ ପରିବାର ବର୍ଗ ଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତି।