ଭଞ୍ଜନଗର, ୭/୧୦: ନଦୀରେ ଗାଧୋଇବା ବେଳେ ଭାସି ଯାଇଥିଲେ ଯୁବକ। ଦିନକ ପରେ ଉଦ୍ଧାର ହେଲା ଶବ। ଭଞ୍ଜନଗର ବ୍ଲକ ହରିଗଡ ପଞ୍ଚାୟତ ବଦାଙ୍ଗୀ ଗ୍ରାମର ବିଜୟ କୁମାର ସାହୁ ସୋମବାର ସନ୍ଧ୍ୟାରେ ହଗୁରୀ ନଦୀକୁ ଗାଧୋଇବାକୁ ଯାଇ ଭାସି ଯାଇଥିଲେ। ଆଜି ସକାଳୁ ଭଞ୍ଜନଗର ଦମକଳ ବାହିନୀ ମୃତଦେହ ଉଦ୍ଧାର କରିଛି। ତାରା ସିଂ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଛି।
ସୂଚନାନୁଯାୟୀ, ଭଞ୍ଜନଗର ବ୍ଲକ ହରିଗଡ ପଞ୍ଚାୟତର ବଦାଙ୍ଗୀ ଗ୍ରାମର ବିଜୟ କୁମାର ସାହୁ (୫୦ ବର୍ଷ) ଗତକାଲି ସନ୍ଧ୍ୟାରେ ହଗୁରୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଇବା ବେଳେ ଅସାବଧାନତାବଶତଃ ନଦୀରେ ଭାସି ଯାଇଥିଲେ। ବିଜୟଙ୍କ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ନଦୀ କୂଳରେ ଖୋଜାଖୋଜି କରିଥିଲେ। ପରେ ଏନେଇ ଭଞ୍ଜନଗର ଦମକଳ କେନ୍ଦ୍ରକୁ ସୂଚନା ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବିଜୟଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ଆଜି ସକାଳୁ ପୁଣି ଖୋଜାଖୋଜି କରିବା ବେଳେ ଗାଁ ଠାରୁ ଏକ କିମି ଦୂର ନିମସାହି ବାରି ମାଳରେ ନଦୀ ଭିତରେ ଏକ ବାଉଁଶ ବୁଦାରେ ଶବ ଲାଗିଥିବା ଦେଖି ସେଠାରୁ ଉଦ୍ଧାର କରିଥିଲେ। ଖବର ପାଇ ତାରା ସିଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଛି। ଏନେଇ ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି।