ଛତ୍ରପୁର,୭/୯ : ଛତ୍ରପୁର ଥାନା ଅନ୍ତର୍ଗତ ବଡ଼ମାଧପୁର ହନୁମାନସାହିଠାରେ ଗତକାଲି ଅପରାହ୍ନ ୪ଟା ସମୟରେ ଜଣେ ଯୁବକକୁ ବାରାହ ଆକ୍ରମଣ କରିଛି । ଫଳରେ ଗତକାଲି ରାତି ୧୧ଟା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ବରଙ୍ଗ ଗ୍ରାମର ନିଳମାଧବ ପ୍ରଧାନ (୨୬)। ଗତକାଲି ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ ହେଲା। ପରେ ଅଧିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ଭୁବନେଶ୍ବର ସ୍ଥାନାନ୍ତରିତ ହେଉଥିବା ସମୟରେ ଖଲ୍ଲିକୋଟ ଘାଟିଠାରେ ଅବସ୍ଥା ଅଧିକ ଜଟିଳ ହେବାକୁ ଖଲ୍ଲିକୋଟ ମେଡ଼ିକାଲକୁ ସ୍ଥାନାନ୍ତରିତ ହେଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କଲେ।
ପରେ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇ ଛତ୍ରପୁର ପୋଲିସର ଉପସ୍ଥିତରେ ଶବ ବ୍ୟବଚ୍ଛେଦ ହୋଇ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ମୃତ ନିଳମାଧବ ଜଣେ ମେଳାପୀ ଓ ପରୋପକାରୀ ଯୁବକ। ତାଙ୍କର ମୃତ୍ୟୁରେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସରପଞ୍ଚ ପ୍ରତିନିଧି ଶିବ ଶଙ୍କର ସେଠୀ, ସମିତି ସଭ୍ୟଙ୍କ ସମେତ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ କିଶୋର ଚନ୍ଦ୍ର ରେଡ୍ଡୀ ପ୍ରମୁଖ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ସରକାରୀ ଅନୁକମ୍ପା ସହାୟତା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି। ନିଳମାଧବର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।