ପୁରୀ, ୨୩/୧୦ : ରାସ୍ତା ଭାବି ପୁରୀ ସମୁଦ୍ର ବାଲିରେ ସ୍କୁଟର ପୂରେଇଦେଲା ମଦ୍ୟପ । ଆଉ ବାଲିରୁ ଗାଡ଼ି କାଢ଼ିବାକୁ ଯାଇ ହୋଇଛି ଝାଳନାଳ । ଏହାର ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଶୁଣିବାକୁ ମିଳୁଛି ନିଶାରେ ଚୁର୍ ଯୁବକ ଜଣକ କୁଆଡ଼େ ରିଲ୍ସ କରିବାକୁ ସମୁଦ୍ର ନିକଟକୁ ନିଜ ସ୍କୁଟରକୁ ନେଇଥିଲେ । ହେଲେ ବିଡ଼ମ୍ବନା, ସ୍କୁଟରଟି ସିନା ସମୁଦ୍ର ବାଲି ଭିତରକୁ ପଶିଗଲା ମାତ୍ର ଆଉ ବାହାର କରି ହେଲାନାହିଁ । ମଦ୍ୟପ ଯୁବକ ସ୍କୁଟରକୁ ବାହାର କରିବାକୁ ଝାଳନାଳ ହୋଇଗଲେ । ଉପସ୍ଥିତ ଲୋକେ ଏହାର ବେଶ୍ ମଜା ଉଠାଇଥିଲେ । ଆଉ ଏହାର ଭିଡିଓ କରିଥିଲେ । ଏପଟେ ସ୍କୁଟର କାଢ଼ିବାକୁ ଯାଇ ଚାଳକର ମଦ ଆଉ ରିଲ୍ସ ନିଶା ଉତୁରି ଯାଇଛି।
ରିଲ୍ସ ନିଶା ପାଇଁ ଯୁବ ଗୋଷ୍ଠୀ ଏବେ ମତୁଆଲା ହେବାରେ ଲାଗିଛନ୍ତି। ରିଲ୍ସ ନିଶାରେ ଦୁଃସାହାସିକ କାର୍ଯ୍ୟ କରୁଛନ୍ତି। ଏହି ମଧ୍ୟରେ ପୁରୀ ସମୁଦ୍ରରେ କିଛି ଯୁବକ ରାତି ସମୟରେ ସ୍କୁଟି ନେଇ ଭିଡିଓ କରିଥିବା ଘଟଣା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ୍ ହେଉଛି। ସମୁଦ୍ରରେ ବିଭିନ୍ନ ସମୟରେ ବଡ଼ ଲହଡ଼ି ସାଙ୍ଗକୁ ରିପ୍ କରେଣ୍ଟ ଆସୁଛି। ଯଦି ଏହି ଯୁବକ ଜଣଙ୍କ ବଡ଼ ଲହଡ଼ି କିମ୍ବା ରିପ୍ କରେଣ୍ଟରେ ପଡିଥାନ୍ତେ ନିହାତି ଏକ ବଡ଼ ଅଘଟଣ ଘଟିଥାନ୍ତା ବୋଲି ଅନୁମାନ କରାଯାଉଛି। ଦୁଃସାହାସିକ କାର୍ଯ୍ୟ କରୁଥିବା ଏହି ଯୁବକମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ସେହିପରି ମଙ୍ଗଳବାର ରିଲ୍ସ ନିଶାରେ ଟ୍ରେନ୍ ଧକ୍କାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ଘଟଣା ସାମ୍ନାକୁ ଆସିଥିଲା।