ନୂଆଦିଲ୍ଲୀ,୦୧/୧୦: ଲୋକପ୍ରିୟ ଆସାମ ତଥା ବଲିଉଡ୍‌ ଗାୟକ ଜୁବୀନ୍ ଗର୍ଗଙ୍କ ମୃତ୍ୟୁ ମାମଲା ଏକ ନୂଆ ମୋଡ଼ ନେଇଛି । ମାମଲାରେ ୨ ଜଣ ଗିରଫ ହୋଇଛନ୍ତି । ଶ୍ୟାମକାନୁ ମହାନ୍ତ ଓ ସିଦ୍ଧାର୍ଥ ଶର୍ମାଙ୍କୁ ଗିରଫ କରିଛି ଆସାମ ପୁଲିସ । ଦିଲ୍ଲୀରୁ ଦୁହିଙ୍କୁ ଗିରଫ କରିବା ପରେ ଗୌହାଟୀ ଅଣାଯାଇଛି । ଜୁବୀନ୍‌ଙ୍କ ମୃତ୍ୟୁକୁ ନେଇ ତାଙ୍କ ମ୍ୟାନେଜରଙ୍କ ନାମରେ ଏଫଆଇଆର ଦାୟର ହୋଇଥିଲା । ଯାହାର ତଦନ୍ତ ଭାର ସିଆଇଆଡିକୁ ହସ୍ତାନ୍ତର କରିଥିଲେ ଆସାମ ସରକାର । ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ୍‌ରେ ଯୋଗଦେବାକୁ ଯାଇଥିବା ଜୁବିନ୍‌ଙ୍କର ମୃତ୍ୟୁ ହୋଇଥିଲା । ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ୍‌ରେ ମୁଖ୍ୟ ଆୟୋଜକ ଥିଲେ ଶ୍ୟାମକାନୁ ମହାନ୍ତ । ଜୁବିନ୍ ଗର୍ଗଙ୍କ ମ୍ୟାନେଜର ଥିଲେ ସିଦ୍ଧାର୍ଥ ଶର୍ମା । କାମ୍ରୁପ ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ (ସିଜେଏମ୍) ଉଭୟଙ୍କୁ  ୧୪ ଦିନିକିଆ ପୁଲିସ୍ ହେପାଜତକୁ ପଠାଇଛ ।

​​​​​​​ପୁଲିସ୍ ସୂଚନା ଅନୁସାରେ, ଶ୍ୟାମକାନୁ ମହନ୍ତ ସିଙ୍ଗାପୁରରେ ଲୁଚିଥିଲା । ଉଭୟଙ୍କ ନାମରେ ଲୁକ୍ ଆଉଟ୍ ନୋଟିସ୍ ଜାରି ହୋଇଥିଲା । ଅକ୍ଟୋବର ୬ରେ ଗୌହାଟୀ ସିଆଇଡି ଅଫିସ୍‌ରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଥିଲା । ସିଙ୍ଗାପୁରରୁ ଦିଲ୍ଲୀ ଆସୁଥିବାବେଳେ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରୁ ଶ୍ୟାମକାନୁ ମହନ୍ତଙ୍କୁ ଗିରଫ କରିଛି ପୁଲିସ । ସିଦ୍ଧାର୍ଥ ଶର୍ମା ଗୁରୁଗ୍ରାମରେ ଥିବା ତାଙ୍କ ଆପଟମେଣ୍ଟରୁ ଗିରଫ ହୋଇଛନ୍ତି । ଆସାମ ଡିଜିପି ହରମିତ୍ ସିହଂ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସିଆଇଡି ଓ ଏସିଆଇଟି ନେତୃତ୍ୱରେ ତଦନ୍ତ ଚାଲିଛି ।

ଜୁବୀନ୍‌ ହଂକଂ ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାରେ ଯୋଗ ଦେବାକୁ ସିଙ୍ଗାପୁର ଯାଇଥିଲେ । ସେପ୍ଟେମ୍ବର ୧୯ ତାରିଖରେ ସେଠାରେ ସ୍କୁବା ଡାଇଭିଂ କରିବା ବେଳେ ଦୁର୍ଘଟଣାର ଶିକାର ହୋଇ ଆଖି ବୁଜିଥିଲେ । ଜୁବୀନ୍‌ଙ୍କ ମୃତ୍ୟୁ ପରେ ଫେଷ୍ଟିଭାଲ ଆୟୋଜକ ଶ୍ୟାମକାନୁ ମହନ୍ତ ଓ ମ୍ୟାନେଜର ସିନ୍ଧାନ୍ତ ଶର୍ମାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଫଳରେ ଆସାମ ସରକାର ତଦନ୍ତ ଦାୟିତ୍ୱ ସିଆଇଡିକୁ ହସ୍ତାନ୍ତର କରିଥିଲେ । ୫୨ ବର୍ଷୀୟ ଜୁବୀନ୍‌ଙ୍କ ଅନ୍ତିମ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେ ଲାଇଫ୍ ଜ୍ୟାକେଟ ପିନ୍ଧି ପାଣିକୁ ଡେଉଁଥିବାର ଦେଖାଯାଇଛି । ଡାଇଭିଂ କରିବା ସମୟରେ ସେ ପ୍ରାଣ ହରାଇଥିଲେ । ଏହା ପରେ ତାଙ୍କୁ ପାଣିରୁ ବାହାର କରାଯାଇ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସିଙ୍ଗାପୁରରେ ତାଙ୍କର ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମାମଲାର ତଦାରଖ କରୁଛନ୍ତି ।


ଜୁବୀନ୍‌ ଗର୍ଗ ଆସାମ, ନେପାଳୀ ସମେତ ଅନ୍ୟ ଆଞ୍ଚଳିକ ସିନେମାରେ ଗୀତ ଗାଇଛନ୍ତି । ବଲିଉଡରେ ବହୁ ହିଟ୍ ଗୀତ ଗାଇଛନ୍ତି । ଗ୍ୟାଙ୍ଗଷ୍ଟାର ଫିଲ୍ମର 'ୟା ଅଲି', ହ୍ରିତିକ ରୋଶନଙ୍କ ଅଭିନୀତ କ୍ରିସ ୩ର 'ଦିଲ ତୁହି ବତା', ଓ ପ୍ୟାର କା ସାଇଡ ଇଫେକ୍ଟ ସିନେମାର 'ଜାନେ କ୍ୟା ଚାହେ ମନ' ଭଳି ଗୀତ ଗାଇ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ୪୦ ଭାଷାରେ  ୩୮ ହଜାର ଗୀତ ଗାଇଛନ୍ତି ।