ନୂଆଦିଲ୍ଲୀ: ଭାରତ ସରକାର ରାଜପଥ ଯାତ୍ରାକୁ ଅଧିକ ସୁଗମ ଓ ମିତ୍ତବ୍ୟୟୀ କରିବା ପାଇଁ ଏକ ନୂଆ ଫାଷ୍ଟାଗ-ଆଧାରିତ ବାର୍ଷିକ ପାସ ଆରମ୍ଭ କରାବକୁ ଯାଉଛନ୍ତି। ଯାହା ଆସ୍ନାତ ଅଗଷ୍ଟ ୧୫ ତାରିଖରୁ କାର୍ଯ୍ୟକାରୀ ହେବାକୁ ଯାଉଛି। କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଦ୍ୱାରା ଘୋଷିତ ଏହି ପାସର ମୂଲ୍ୟ ୩,୦୦୦ ଟଙ୍କା ରହିଛି ଏବଂ ଏହା କେବଳ ଘରୋଇ ଗାଡ଼ି ବ୍ୟବହାରକାରୀମାନଙ୍କ ପାଇଁ ଡିଜାଇନ କରାଯାଇଛି। ଏହି ପାସ ଜାତୀୟ ରାଜପଥ (NH) ଏବଂ ଜାତୀୟ ଏକ୍ସପ୍ରେସୱେ (NE) ରେ ଏକ ବର୍ଷ ପାଇଁ ଅସୀମିତ ଯାତ୍ରା କିମ୍ବା ୨୦୦ ଟି ଟୋଲ-ମୁକ୍ତ ଯାତ୍ରା ପ୍ରଦାନ କରିବ।
କ’ଣ ରହିଛି ମୁଖ୍ୟ ବିଶେଷତା:
ମୂଲ୍ୟ ଓ ବୈଧତା: ଏହି ପାସର ମୂଲ୍ୟ ୩,୦୦୦ ଟଙ୍କା ହୋଇଥିବା ବେଳେ ଏହା ଏକ ବର୍ଷ ପାଇଁ କିମ୍ବା ୨୦୦ ଟି ଯାତ୍ରା ପାଇଁ ବୈଧ ରହିବ। ଆପଣଙ୍କୁ ଜମାଇରଖୁ ଯେ ନୂଆ ନିୟମ ମୁତାବକ, ପ୍ରତି ଯାତ୍ରାରେ ପ୍ରାୟ ୧୫ ଟଙ୍କା ଟୋଲ ଖର୍ଚ୍ଚ ହେବ। ଯେଉଁଠି ପୂର୍ବରୁ ପ୍ରାୟ ୫୦ ଟଙ୍କା ଖର୍ଚ୍ଚ ହେଉଥିଲା। ଏଣୁ ଏହି ନୂଆ ନିୟମ ଅଧିକ ସୁଲଭ ଯାତ୍ରା ପ୍ରଦାନ କରିବ।
ଯୋଗ୍ୟତା: ଏହି ପାସ କେବଳ ଅଣ-ବ୍ୟାବସାୟିକ ଘରୋଇ ଗାଡ଼ି ଯଥା କାର, ଜିପ ଏବଂ ଭ୍ୟାନ ପାଇଁ ଉଦ୍ଦିଷ୍ଟ। ବାଣିଜ୍ୟିକ ଗାଡ଼ି ଯେପରିକି ଟ୍ୟାକ୍ସି, ବସ କିମ୍ବା ଟ୍ରକ ଏହି ନୂଆ ନିୟମରେ ସାମିଲ ହୋଇନାହିଁ।
ଆକ୍ଟିଭେସନ ପ୍ରକ୍ରିୟା: ପାସଟି ରାଜମାର୍ଗ ଯାତ୍ରା ଆପ୍ କିମ୍ବା ଭାରତୀୟ ରାଷ୍ଟ୍ରୀୟ ରାଜପଥ ପ୍ରାଧିକରଣ (NHAI) ଏବଂ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ (MoRTH) ର ଅଫିସିଆଲ ୱେବସାଇଟ ମାଧ୍ୟମରେ ଆକ୍ଟିଭେସନ କରାଯାଇପାରିବ। ଏକ ସକ୍ରିୟ ଫାଷ୍ଟାଗ, ଗାଡ଼ିର ରେଜିଷ୍ଟ୍ରେସନ ନମ୍ବର (VRN) ସହ ଲିଙ୍କ ହୋଇଥିବା ଏବଂ ବ୍ଲାକଲିଷ୍ଟ ନହୋଇଥିବା ଆବଶ୍ୟକ। ପେମେଣ୍ଟର ୨ ଘଣ୍ଟା ମଧ୍ୟରେ ପାସ ଆକ୍ଟିଭେଟ ହୋଇଯିବ।
ଲାଭ: ଏହି ପାସ ଟୋଲ ପ୍ଲାଜାରେ ଅପେକ୍ଷା ସମୟକୁ ହ୍ରାସ କରିବା ସହ ଟ୍ରାଫିକ ଜାମ କମାଇବ ଏବଂ ବାରମ୍ବାର ଫାଷ୍ଟାଗ ରିଚାର୍ଜ କରିବାର ଚିନ୍ତା ଦୁର କରିବ। ଏହା ମାଧ୍ୟମରେ ନିୟମିତ ବ୍ୟବଧନରେ ଯାତ୍ରା କରୁଥିବା ଯାତ୍ରୀମାନେ ବର୍ଷକୁ ୧,୦୦୦ ରୁ ୭,୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ ବୋଲି ଅନୁମାନ କରାଯାଉଛି।
କିପରି କରିବେ ଆବେଦନ ?
୧. ଫାଷ୍ଟାଗ ସ୍ଥିତି ଯାଞ୍ଚ କରନ୍ତୁ: ଆପଣଙ୍କ ଫାଷ୍ଟାଗ ସକ୍ରିୟ ଏବଂ ଗାଡ଼ିର ଉଇଣ୍ଡସିଲ୍ଡରେ ଲାଗିଥିବା ଏବଂ VRN ସହ ଲିଙ୍କ ହୋଇଥିବା ନେଇ ନିଶ୍ଚିତ କରନ୍ତୁ।
୨. ଅଫିସିଆଲ ପ୍ଲାଟଫର୍ମ ବ୍ୟବହାର: ରାଜମାର୍ଗ ଯାତ୍ରା ଆପ୍ କିମ୍ବା NHAI ୱେବସାଇଟ (www.nhai.gov.in) ମାଧ୍ୟମରେ ଏହି ନୂତନ ସେବା ପାଇବା ପାଇଁ ଆବେଦନ କରନ୍ତୁ।
୩. ଗାଡ଼ିର ବିବରଣୀ ପ୍ରଦାନ: ଗାଡ଼ିର ରେଜିଷ୍ଟ୍ରେସନ ନମ୍ବର ଏବଂ ଫାଷ୍ଟାଗ ଆଇଡି ଆଦି ବିବରଣୀ ପ୍ରଦାନ କରନ୍ତୁ।
୪. ଦେୟ ରାଶି ପ୍ରଦାନ: ୩,୦୦୦ ଟଙ୍କାର ଏକକାଳୀନ ଦେୟ ରାଶି UPI, ନେଟ ବ୍ୟାଙ୍କିଙ୍ଗ କିମ୍ବା କାର୍ଡ ମାଧ୍ୟମରେ ପୁରା କରନ୍ତୁ।
୫. ନିଶ୍ଚିତକରଣ: ଯାଞ୍ଚ ସଫଳ ହେବା ପରେ ପାସ ଆକ୍ଟିଭେଟ ହେବ ଏବଂ ଆପଣଙ୍କୁ SMS ମାଧ୍ୟମରେ ନିଶ୍ଚିତକରଣର ଅପଡେଟ ମିଳିଯିବ।
ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ:
ଅଣ-ସ୍ଥାନାନ୍ତରଣୀୟ: ପାସଟି କେବଳ ନିବନ୍ଧିତ ଗାଡ଼ି ପାଇଁ ବୈଧ ଏବଂ ଅନ୍ୟ ଗାଡ଼ିରେ ବ୍ୟବହାର କରାଯାଇପାରିବ ନାହିଁ।
ବ୍ୟବହାର କରିବାର ସୀମା: ଏହା କେବଳ NHAI ଦ୍ୱାରା ପରିଚାଳିତ ଜାତୀୟ ରାଜପଥ ଓ ଏକ୍ସପ୍ରେସୱେରେ ବୈଧ। ଏହା ବ୍ୟତିତ ରାଜ୍ୟ ରାଜପଥ (SH) କିମ୍ବା ସ୍ଥାନୀୟ ପରିଚାଳିତ ରାସ୍ତାରେ ସାଧାରଣ ଫାଷ୍ଟାଗ ନିୟମ ପ୍ରଯୁଜ୍ୟ ହେବ।
ପୁନଃନବୀକରଣ: ୨୦୦ ଯାତ୍ରା କିମ୍ବା ଏକ ବର୍ଷ ଶେଷ ହେବା ପରେ ପାସକୁ ପୁଣିଥରେ ଆକ୍ଟିଭେଟ କରାଯାଇପାରିବ।
ଏହି ଯୋଜନାର ଲକ୍ଷ୍ୟ:
ଏହି ଯୋଜନା ଡିଜିଟାଲ ଟୋଲ ପେମେଣ୍ଟକୁ ପ୍ରୋତ୍ସାହନ ଦେବା, ଟୋଲ ପ୍ଲାଜାରେ ଜାମ ହ୍ରାସ କରିବା ଏବଂ ନିୟମିତ ଯାତ୍ରୀଙ୍କ ପାଇଁ ଖର୍ଚ୍ଚ କମ କରିବା ଆଦି ଲକ୍ଷ୍ୟ ରଖାଯାଇଛି। ଏହା ସହିତ, ସରକାର ଭବିଷ୍ୟତରେ ସେନ୍ସର ଓ GPS-ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପାୟନ କରିବାକୁ ଯୋଜନା କରୁଛନ୍ତି। ଯାହା ଟୋଲ ବୁଥ ଗୁଡିକୁ ହଟାଇବା ସହ ଯାତ୍ରାକୁ ଅଧିକ ସୁଗମ କରିବ।
ଏହି ପାସ ନିୟମିତ ଯାତ୍ରୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେବ ବୋଲି ଆଶା କରାଯାଉଛି। ଯାହା ରାଜମାର୍ଗରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସୁଗମ ଓ ମିତ୍ତବ୍ୟୟୀ ଯାତ୍ରାର ଏକ ସୁନ୍ଦର ଅଭିଜ୍ଞତା ପ୍ରଦାନ କରିବ।