ଅନୁଗୁଳ, ୩୧।୮: ଅନୁଗୁଳ ବ୍ଲକ୍ ବନ୍ତଳା ଥାନା ଲୋକେଇପଶି ଗାଁରେ ଅଘଟଣା । କୂଅରେ ପଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା । ମୃତ ବ୍ୟକ୍ତି ଜଣକ ହେଲେ ଲୋକେଇପଶି ଗ୍ରାମର ହରିହର ଦାସଙ୍କ ୪୮ ବର୍ଷୀୟ ପୁଅ ସୁକାନ୍ତ ଦାସ। ପରିବାର ଲୋକଙ୍କ କହିବା ମୁତାବକ, ସୁକାନ୍ତଙ୍କର ଘର ପାଖରେ ଗୋଟିଏ କୂଅ ଅଛି । ସେଠାରେ ପଡ଼ିଯାଇଥିଲେ ।  

ରବିବାର ସକାଳେ ସେ କୂଅ ନିକଟକୁ ଯାଇଥିବାବେଳେ ଅସାବଧାନତା ଯୋଗୁଁ ଖସି ପଡ଼ିଥିବା ଅନୁମାନ କରାଯାଉଛି । ସକାଳ ୯ଟା ବେଳେ ସୁକାନ୍ତ କୂଅରେ ପଡ଼ିଥିବା ସାହିର କିଛି ଲୋକ ଦେଖିବାକୁ ପାଇଥିଲେ । ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ୍ତଳା ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୁଲିସ ଏକ ଆପମୃତ୍ୟୁ ମାମଲା ରୁଜୁ କରାଇ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।