ନୂଆଦିଲ୍ଲୀ : ବିହାରର ଦରଭଙ୍ଗା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି। ଜଣେ ଯୁବକଙ୍କର ଦୁର୍ଘଟଣା ପରେ ଚିକିତ୍ସା ବେଳେ ମୃତ୍ୟୁ ହୋଇ ଯାଇ ଥିଲା। ପରିବାର ଲୋକ ଡିଏମସିଏଚ୍‌ରେ ପହଞ୍ଚି ତାଙ୍କୁ ନିଜର ନିଖୋଜ ପୁତ୍ର ଭୋଳା କୁମାର ରାମ ଭାବେ ଚିହ୍ନି ପାରି ଥିଲେ। ୧ମାର୍ଚ୍ଚରେ ମୃତକଙ୍କ ଅନ୍ତିମ ସଂସ୍କାର ମଧ୍ୟ ପରିବାର ଲୋକ କରି ଦେଇ ଥିଲେ। ସେହି ଯୁବକ ଗତ ଗୁରୁବାର ଦିନ ଜୀବନ୍ତ ଘରକୁ ଫେରିଛନ୍ତି। ଯୁବକ ଜଣକ ନିଜ ଭାଇ ସହ ଏସସି ଏସଟିର ଏକ୍ସକ୍ଲୁସିଭ୍‌ ଜଜ୍‌ ଶୈଳେନ୍ଦ୍ର କୁମାରଙ୍କ ସମ୍ମୁଖରେ ହାଜର ହୋଇ ବଞ୍ଚିଥିବା କଥା ଜଣାଇ ଥିଲେ। ଏହାପରେ ଯୁବକଙ୍କୁ ବୟାନ ଦେବାକୁ ମାଜିଷ୍ଟ୍ରେଟ୍‌ଙ୍କ ପାଖକୁ ପଠାଯାଇ ଥିଲା।

କୋର୍ଟରେ ହାଜର ହୋଇଥିବା ଯୁବକ ମବି ଥାନା ଅଞ୍ଚଳର ସିମରା ଗାଁ ନିବାସୀ ଜଗଦେବ ରାମଙ୍କ ପୁତ୍ର ଭୋଲା କୁମାର ରାମ। ସେ ନିଜର ଭାଇ ଧିରଜ କୁମାର ରାମ ଏବଂ ଓକିଲ ମୁକେଶ କୁମାରଙ୍କ ସହ କୋର୍ଟରେ ପହଞ୍ଚି ଥିଲେ। ଓକିଲ ମୁକେଶ କୁମାରଙ୍କ ଅନୁସାରେ, ଭୋଳାଙ୍କୁ କିଛି ଲୋକ ନେପାଳରେ ରଖି ଥିଲେ। ସେଠାରୁ ହ୍ୱାଟ୍ସଆପ୍‌ କଲିଂ ମାଧ୍ୟମରେ ସେହି ଲୋକମାନେ ଭୋଳାଙ୍କ ଭାଇ ଧିରଜଙ୍କୁ ସଂପର୍କ କରି ଥିଲେ, ଧିରଜ ତାଙ୍କ କଥାକୁ ବିଶ୍ୱାସ କଲେ ନାହିଁ। ସେତେବେଳେ ସେହି ଲୋକେ ଭିଡ଼ିଓ କଲ୍ କରି ଧିରଜଙ୍କୁ ଦେଖାଇ ଥିଲେ। 

ଏହାପରେ ଧିରଜ ନିଜର କିଛି ବନ୍ଧୁଙ୍କ ସହ ନେପାଳ ଗଲେ। ଧିରଜ ସେଠାରେ ଭୋଳାଙ୍କ ସହ ପୁରୁଣା କଥାକୁ ନେଇ ପଚରାଉଚରା କଲେ। ଭୋଳା ସବୁ ସଠିକ୍‌ ଭାବେ ଜବାବ ଦେବା ପରେ ଧିରଜଙ୍କର ବିଶ୍ୱାସ ହୋଇଥିଲା ଯେ, ସେ ହିଁ ତାଙ୍କର ଭାଇ ଭୋଳା। ଯାହାର ସେ ଅନ୍ତିମ ସଂସ୍କାର କରି ସାରିଛନ୍ତି, ସେ ଆଉ କିଏ ଅନ୍‌ୟ ବ୍ୟକ୍ତି ଥାଇ ପାରନ୍ତି। 

ଏପଟେ ସୂତ୍ରାନୁସାରେ , ଭୋଳା କୋର୍ଟଙ୍କୁ କହିଛନ୍ତି ଯେ, ରାଜ ମୈଦାନରେ କ୍ରିକେଟ୍‌ ଖେଳିବା ପରେ କିଛି ଲୋକ ତାଙ୍କୁ ରୁମାଲ ଶୁଙ୍ଘାଇ ବେହୋସ କରି ନିଜ ସହ ନେଇ ଯାଇ ଥିଲେ। ହୋସ୍‌ରେ ଆସିବା ପରେ ସେ ନିଜକୁ ନେପାଳରେ ଏକ ରୁମ୍‌ରେ ଥିବାର ପାଇଲେ। ଯୁବକଙ୍କ ବଞ୍ଚିଥିବା ଖବର ସହର ସାରା ଚର୍ଚ୍ଚାର ବିଷୟ ପାଲଟିଛି।