ପୁରୀ,୨୧/୦୧: ଶ୍ରୀମନ୍ଦିର ଗର୍ଭଗୃହର ଭିଡ଼ିଓ ଭାଇରାଲ୍‌ ହେବା ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ନାଁ ରେ ସିଂହଦ୍ୱାର ଥାନାରେ ରୁଜୁ ହେଲା ମାମଲା । ଶ୍ରୀମନ୍ଦିର ଚାରି ଦ୍ବାରରେ ପୋଷ୍ଟର ମାରିଲା ପୁରୀ ପୋଲିସ । ନିୟମ ଉଲ୍ଲଙ୍ଘନକାରୀଙ୍କୁ ଦଣ୍ଡିତ କରାଯିବା ନେଇ ଉକ୍ତ ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ମନ୍ଦିର ପରିସରରେ ମୋବାଇଲ୍‌ ଫୋନ୍‌କୁ ସମ୍ପୂର୍ଣ୍ଣ ଭାବରେ ନିଷେଧ କରାଯାଇଛି । ଏହି ଘଟଣାର ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। 

ତେବେ ସୋମବାର ପୁଣି ଏକ ଡ୍ରୋନ୍‌ ଶ୍ରୀମନ୍ଦିର ଉପରେ ଉଡ଼ୁଥିବାର କିଛି ପୋଲିସ ଦେଖିଥିଲେ । ଉକ୍ତ ଡ୍ରୋନ୍‌କୁ ପୋଲିସ ଜବତ କରିଛି । ଏହି କାରଣରୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍‌ ଫୋନ୍‌ ନନେବା ପାଇଁ ଏବଂ ମନ୍ଦିର ଉପରେ ଡ୍ରୋନ୍‌ ନ ଉଡ଼ାଇବାକୁ ବ୍ୟାପକ ସଚେତନତା କରାଯିବ । ଏହି ନିୟମକୁ ଉଲ୍ଲଙ୍ଘନ କରିଲେ, ଆଇନ୍‌ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ପୁରୀ ଏସ୍‌ପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି ।