ଭୁବନେଶ୍ୱର,୦୯/୧୧:  ହଷ୍ଟେଲରେ ରହି କମ୍ପିଟେଟିଭ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣେ ଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ରୁ ୪ ଲକ୍ଷ ଟଙ୍କା ଆତ୍ମସାତ ହୋଇଯାଇଛି । ଖଣ୍ଡଗିରି ଥାନା  ଅଞ୍ଚଳରେ ଥିବା ଏକ ଘରୋଇ ବ୍ୟାଙ୍କ  ଆକାଉଣ୍ଟ୍‌ରୁ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ବ୍ୟାଙ୍କ ଶାଖା  ପରିଚାଳକଙ୍କ ନାମରେ ଥାନାରେ ଏତଲା  ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ଅଭିଯୋଗ ମୁତାବକ,  ମୟୂରଭଞ୍ଜ କପ୍ତିପଦା ଅଞ୍ଚଳର  ଉଷାରାଣୀ ବେହେରା ବରମୁଣ୍ଡାରେ  ଏକ ହଷ୍ଟେଲରେ ରହି କମ୍ପିଟେଟିଭ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ ।  ଅକ୍ଟୋବର ୨୭ ତାରିଖରେ ହଠାତ୍‌  ତାଙ୍କ ଆକାଉଣ୍ଟ୍‌ରୁ ୧ ଲକ୍ଷ ଟଙ୍କା ଉଠି  ଯାଇଥିଲା । ପରଦିନ ଉଷାରାଣୀ ଉକ୍ତ  ବ୍ୟାଙ୍କରେ ପହଞ୍ଚି ଶାଖା ପରିଚାଳକଙ୍କୁ  ଆକାଉଣ୍ଟ୍‌କୁ ବ୍ଲକ କରିବା ପାଇଁ କହିବା  ସହ ଆକାଉଣ୍ଟ୍‌ରେ ଥିବା ଅବଶିଷ୍ଟ ଟଙ୍କାକୁ ଅନ୍ୟ ଆକାଉଣ୍ଟ୍‌କୁ ଟ୍ରାନ୍ସଫର  କରିବାକୁ କହିଥିଲେ । ହେଲେ ଶାଖା  ପରିଚାଳକ ଟଙ୍କା ଟ୍ରାନ୍ସଫର ହୋଇ ପାରିବନାହିଁ ବୋଲି କହି ବିଦା କରି ଦେଇଥିଲେ । ୨୯ ତାରିଖରେ ପୁଣି  ତାଙ୍କ ଆକାଉଣ୍ଟ୍‌ରୁ ୩ ଥରରେ ୩  ଲକ୍ଷ ଟଙ୍କା କଟି ଯାଇଥିଲା । ସମୁଦାୟ  ୪ ଲକ୍ଷ ଟଙ୍କା କଟିଯିବା ପରେ ତାଙ୍କର  ଶାଖା ପରିଚାଳକଙ୍କ ଉପରେ ସନ୍ଦେହ  ଉପୁଜିଥିଲା । ତେଣୁ ଗତକାଲି ଏନେଇ  ଉଷାରାଣୀ ଖଣ୍ଡଗିରି ଥାନାରେ ଶାଖା ପରିଚାଳକଙ୍କ ବିରୋଧରେ ଏତଲା  ଦେଇଥିଲେ । ପୁଲିସ ଥାନା କେସ୍‌  ନଂ-୭୮୫/୨୪ରେ ଏକ ମାମଲା  ରୁଜୁକରି ତଦନ୍ତ ଆରମ୍ଭ କରିଛି।