ଭୁବନେଶ୍ୱର ୧୨/୦୨: ସିଙ୍ଗାପୁର ସ୍ଥିତ ଏକ କୋର୍ଟ ଜଣେ ୯୭ ବର୍ଷୀୟ ବ୍ୟକ୍ତିଙ୍କୁ ବିବାହ ପାଇଁ ମାନସିକ ରୂପେ ସୁସ୍ଥ ଘୋଷଣା କରିଛନ୍ତି । ଦୀର୍ଘ ବର୍ଷ ଧରି ଜଣେ ମହିଳାଙ୍କ ସମ୍ପର୍କରେ ରହିବା ପରେ ୯୭ ବର୍ଷ ବୟସରେ ତାଙ୍କୁ ବିବାହ କରିବାକୁ ସେ ନିଷ୍ପତ୍ତି ନେଲେ । କିନ୍ତୁ ଏହା ଏତେ ସହଜ ନ ଥିଲା । ବୃଦ୍ଧଙ୍କ ବିବାହରେ ତାଙ୍କ ପୁଅ ବାଧକ ସାଜିଲା । ବାପାଙ୍କ ନିଷ୍ପତ୍ତି ବିରୋଧରେ ସେ କୋର୍ଟରେ ମକଦ୍ଦମା କଲା । ତଥାପି ସେ ହାର ମାନିଲେ ନାହିଁ । ପୁଅ ବିରୋଧରେ ମକଦ୍ଦମା ଜିତିଲେ ଏବଂ ପ୍ରେମିକାଙ୍କୁ ବିବାହ କରିବାର ଅଧିକାର ହାସଲ କଲେ ।
୧୯୫୦ ମସିହାରେ ବୃଦ୍ଧ ପ୍ରଥମ ବିବାହ କରିଥିଲେ । ଉଭୟଙ୍କର ୩ ପୁଅ ହେଲେ । ୧୯୭୧ରେ ତାଙ୍କର ନିଜ ମହିଳା ସଚିବଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଲା । ଉଭୟଙ୍କର ଗୋଟିଏ ପୁଅ ମଧ୍ୟ ହେଲା । ତାଙ୍କ ପତ୍ନୀ ଏହି ପ୍ରେମ ସମ୍ପର୍କ ବିଷୟରେ ଜାଣିଥିଲେ ବୋଲି କୁହାଯାଏ । ୨୦୧୪ରେ ପତ୍ନୀଙ୍କ ଦେହାନ୍ତ ପରେ ସେ ନିଜ ପ୍ରେମିକାଙ୍କୁ ଘରକୁ ଆଣିଲେ । ୨୦୨୧ରେ ସେ ପ୍ରେମିକାଙ୍କୁ ବିବାହ କରିବାକୁ ଘୋଷଣା କରିବା ପରେ ପରିବାରରେ ବିବାଦ ଚରମରେ ପହଞ୍ଚିଲା । ବୃଦ୍ଧ ବାପାଙ୍କ ପୁନର୍ବିବାହ ଯୋଜନା ଶୁଣି ତାଙ୍କ ୨ୟ ପୁଅ ପରିବାର ଅଦାଲତର ଦ୍ୱାରସ୍ଥ ହେଲେ । ବାପାଙ୍କୁ ଆଇନଗତ ରୂପେ ଅକ୍ଷମ ଘୋଷଣା କରିବାକୁ କୋର୍ଟକୁ ଅନୁରୋଧ କଲେ । ସେ ଅଭିଯୋଗ କଲେ, ୨୦୧୭ ମସିହାରେ ବାପା ପଡ଼ିଯିବାରୁ ଡିମେନ୍ସିୟାର ଶିକାର ହୋଇଥିଲେ । ସେ ନିଷ୍ପତ୍ତି ନେବାରେ ସକ୍ଷମ ନୁହନ୍ତି । ତାଙ୍କ ପ୍ରେମିକା ତାଙ୍କୁ ଅବାଟରେ ନେଉଛନ୍ତି । ବୃଦ୍ଧ ୧୯୬୦ରେ ସ୍ଥାପିତ ଏକ କେମିକାଲ କମ୍ପାନିର ମାଲିକ ।
ଆହୁରି ପଢ଼ନ୍ତୁ...ଏପ୍ଷ୍ଟିନ ଇଚ୍ଛାପତ୍ରରେ ରହସ୍ୟମୟୀ ମହିଳା, ମୃତ୍ୟୁ ପୂର୍ବରୁ ପ୍ରେମିକାଙ୍କୁ ଶେଷ ଫୋନ୍ କଲ୍
ସେ ନିଜ ଇଚ୍ଛାପତ୍ରରେ ସଂଶୋଧନ କରି ନିଜ ୨ୟ ପୁଅ ଓ ନାତିକୁ ସମ୍ପତ୍ତିରୁ ବେଦଖଲ କଲେ ଏବଂ ୨୯ ଲକ୍ଷ ଡଲାର ଓ କମ୍ପାନିର ସମ୍ପତ୍ତି ଫେରାଇବାକୁ ଦାବି କରି ପାଲଟା ମକଦ୍ଦମା କଲେ । ମକଦ୍ଦମାର ପ୍ରତିଶୋଧରେ ସେ ନିଜ ନାତିକୁ ଘରୁ ବେଦଖଲ କରିବାକୁ ମଧ୍ୟ ଚେଷ୍ଟା କଲେ । ଚିକିତ୍ସା ପ୍ରମାଣରୁ ଜଣାପଡ଼େ, ବୃଦ୍ଧଙ୍କର ବୟସ ବୃଦ୍ଧି ଯୋଗୁ ସଂଜ୍ଞାନାତ୍ମକ ପତନ ଓ କ୍ଷୁଦ୍ରକାଳୀନ ସ୍ମୃତିଭ୍ରମ ସମସ୍ୟା ଥିଲା । କିନ୍ତୁ ସେ ବିବାହ ଓ ସମ୍ପତ୍ତି ସମ୍ବନ୍ଧୀୟ ନିଷ୍ପତ୍ତି ନେବାରେ ସମ୍ପୂର୍ଣ୍ଣ ସକ୍ଷମ ଥିଲେ । ମାମଲାର ଶୁଣାଣିରେ ବିଚାରପତି ଶୋଭା ନାୟର କହିଲେ, ୯୭ ବର୍ଷୀୟ ଏହି ବ୍ୟକ୍ତି ଡିମେନ୍ସିୟା ପୀଡ଼ିତ ବୋଲି ଦାବି ସତ୍ତେ୍ୱ ତାଙ୍କ ପୁଅ ୨୦୧୯ରେ କମ୍ପାନିର ସିଇଓ ରୂପେ ତାଙ୍କୁ ମଞ୍ଜୁରି ଦେଇଥିଲେ । ୨ୟ ପୁଅର ମକଦ୍ଦମାକୁ ଖାରଜ କରି ବିଚାରପତି କହିଲେ, ୯୭ ବର୍ଷୀୟ ବ୍ୟକ୍ତି ୫୦ ବର୍ଷରୁ ସେହି ମହିଳାଙ୍କ ସମ୍ପର୍କରେ ଥିଲେ । ମହିଳା ତାଙ୍କ ସମ୍ପତ୍ତି ହଡ଼ପ କରିବା, ତାଙ୍କୁ ଧୋକା କିମ୍ବା ଶୋଷଣ କରିଥିବାର କୌଣସି ପ୍ରମାଣ ମଧ୍ୟ ନାହିଁ । ପୁଅ ତାଙ୍କ ପୂର୍ବରୁ ମକଦ୍ଦମା ଦାଖଲ କରିଥିବାରୁ ବୃଦ୍ଧଙ୍କୁ ୨ୟ ବିବାହ ଲାଗି ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ ।