ଭୁବନେଶ୍ୱର,୧୧/୦୫: ପ୍ରଚଣ୍ଡ ଖରା । ଘରୁ ବାହାରିଲେ ଦେହ ପୋଡ଼ିଯାଉଛି । ତେବେ କର୍ମଜୀବୀ ଏବଂ କଲେଜ ପଢୁଆ ଛାତ୍ରୀମାନେ ବାଧ୍ୟ ହୋଇ ଘରୁ ବାହାରୁଛନ୍ତି । ଖରାରେ ବାହାରିଲା କ୍ଷଣି ତ୍ୱଚା ଟ୍ୟାନ୍ (କଳା ରଙ୍ଗ) ହୋଇଯାଉଛି । ତେଣୁ ମହିଳାମାନେ ପାର୍ଲର ଯାଇ କରୁଛନ୍ତି ଡି-ଟ୍ୟାନ୍ । ଏହାବାଦ୍ ଗରମରେ ତ୍ୱଚାକୁ ସତେଜ ଓ ଉଜ୍ୱଳ ରଖିବା ପାଇଁ ବିଭିନ୍ନ ପ୍ରକାର ଫ୍ରୁଟ୍ସ୍ ଫେସିଆଲ୍ ମଧ୍ୟ ବେଶ ଆଦୃତ ହେଉଛି ।
ପାର୍ଲରରେ ଗୃହିଣୀଙ୍କଠାରୁ ଆରମ୍ଭ କରି କର୍ମଜୀବୀ, ଯୁବପିଢିଙ୍କ ଗହଳି ଲାଗୁଛି । ବିଶେଷକରି କଲେଜ ପଢୁଆ ପିଲାଙ୍କର ଅଧିକ ଆଗ୍ରହ ରହୁଛି । ଗ୍ରାହକଙ୍କୁ ଅଧିକ ଆକର୍ଷିତ କରିବା ପାଇଁ ପାର୍ଲରରେ ମଧ୍ୟ ବିଭିନ୍ନ ଅଫର୍ ଦିଆଯାଉଛି ।
ତ୍ୱଚାର ଯତ୍ନ କ୍ଷେତ୍ରରେ ପୁରୁଷ ମଧ୍ୟ ପଛରେ ପଡ଼ିନାହାନ୍ତି । ସେମାନେ ନିଜ ଚର୍ମକୁ ଖରା ତାଉରୁ ରକ୍ଷା କରିବା ପାଇଁ ପାର୍ଲରରେ ସମର୍ ସ୍କିନ୍ କେୟାରଠୁ ଆରମ୍ଭ କରି ଡି-ଟ୍ୟାନ୍, କ୍ଲିନ୍ଅପ୍, ଫେସିଆଲ ଆଦି କରୁଛନ୍ତି । ବିଶେଷକରି କ୍ଲିନ୍ଅପ୍ ଓ ଡି-ଟ୍ୟାନ୍ କରିବା ପାଇଁ ସେମାନେ ଅଧିକ ପ୍ରଧାନ୍ୟ ଦେଉଛନ୍ତି । ମୁହଁ, ବେକରେ ଡି-ଟ୍ୟାନ୍ କରାଇଲେ ଏହାର ମୂଲ୍ୟ ୩ ଶହ ଟଙ୍କାରୁ ଆରମ୍ଭ ହୋଇ ୨ ହଜାର ଟଙ୍କା ପର୍ଯ୍ୟନ୍ତ ରହୁଛି । ଅଧିକ ଦାମୀ ବ୍ରାଣ୍ଡର କ୍ରିମ୍ ବ୍ୟବହାର କଲେ ମୂଲ୍ୟ ଅଧିକ ରହୁଛି । ସମ୍ପୂର୍ଣ୍ଣ ଗୋଡ଼ ପାଇଁ ଡି-ଟ୍ୟାନ୍ର ମୂଲ୍ୟ ହଜାରେ ଟଙ୍କାରୁ ଓ ହାତ ପାଇଁ ୫ଶହ ଟଙ୍କାରୁ ଦାମ ଆରମ୍ଭ ହେଉଛି ।
ମହିଳା ଖରାରେ ନିଜ ମୁହଁକୁ ସତେଜ ଏବଂ ଉଜ୍ଜ୍ୱଳ ରଖିବା ପାଇଁ ଫେସିଆଲ ମଧ୍ୟ କରୁଛନ୍ତି । ବିଶେଷକରି ଫ୍ରୁଟ୍ସ ଫେସିଆଲ୍ ଏବଂ ହାଇଡ୍ରା ଫେସିଆଲକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଫ୍ରୁଟ୍ସ ଫେସିଆଲ ମଧ୍ୟରେ ରହିଛି ମିଣ୍ଟ୍, ବାନାନା, ଆଲୋଭେରା, ପପାୟା, ଷ୍ଟ୍ରବେରୀ। ଅଧିକ ଜଳୀୟ ଅଂଶ ରହୁଥିବାରୁ ଫ୍ରୁଟ୍ସ ଫେସିଆଲର ଚାହିଦା ଅଧିକ ରହୁଛି ଯାହାର ମୂଲ୍ୟ ୫ ଶହ ଟଙ୍କାରୁ ଆରମ୍ଭ ହେଉଛି । ଯେଉଁମାନେ ପାର୍ଲର ପାଇଁ ସମୟ ଦେଇପାରୁନାହାନ୍ତି ସେମାନେ ମୁଖ୍ୟତଃ ଘରୋଇ ଉପଚାରକୁ ଅଧିକ ପ୍ରାଧାନ୍ୟ ଦେବା ସହ ଅନ୍ଲାଇନ୍ରେ ଡି-ଟ୍ୟାନ୍ର ବିଭିନ୍ନ କ୍ରିମ୍ ଏବଂ ସମର୍ କେୟାର କିଟ୍ ଅର୍ଡର କରୁଛନ୍ତି ।
ଆଇଟିଇଆର୍ ଛକ ନିକଟରେ ଥିବା ଅଙ୍କିତା ପାର୍ଲରର ମାଲିକାଣୀ ବବିତା ନାୟକ କହନ୍ତି, ଦିନ ତୁଳନାରେ ରାତିରେ ମହିଳାମାନଙ୍କ ଗହଳି ଅଧିକ ରହୁଛି । ଅଧିକାଂଶ କର୍ମଜୀବୀ ମହିଳା ନିଜ କର୍ମକ୍ଷେତ୍ରରୁ ଆସିବା ପରେ ସନ୍ଧ୍ୟାରେ ପାର୍ଲରକୁ ଆସି ଡି-ଟ୍ୟାନ୍ କରାଉଛନ୍ତି।