ଭୁବନେଶ୍ୱର, ୨୦/୧୧ : ଆସନ୍ତା ୨୩ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି । ୨୧ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଘୂର୍ଣ୍ଣିବଳୟ ସୃଷ୍ଟି ପରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୨୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ପରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଅବପାତ ରୂପ ନେବ । ଅବପାତ ପରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ଅଛି । ଏହା ଘନୀଭୂତ ହୋଇ ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳକୁ ଯାଇପାରେ ।
ଲଘୁଚାପ ପ୍ରଭାବରେ ୨୬ ତାରିଖରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ୨୬ରୁ ୨୮ ତାରିଖ ଯାଏ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ପୂର୍ବାନୁମାନ କରିଛନ୍ତି । ସେହିଭଳି ମଙ୍ଗଳବାର ୧୪ ସହରର ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଜି.ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍ ବା ୭.୨ଡିଗ୍ରୀ ରହିଛି । ଫୁଲବାଣୀରେ ୧୦ ଡିଗ୍ରୀ, ଦାରିଙ୍ଗିବାଡ଼ିରେ ୧୦.୫, ରାଉରକେଲାରେ ୧୧.୯, ଭବାନୀପାଟଣା ଓ ଝାରସୁଗୁଡ଼ାରେ ୧୨.୨, ଅନୁଗୁଳରେ ୧୨.୮, ନବରଙ୍ଗପୁରରେ ୧୩, ବଲାଙ୍ଗୀରରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ୫ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୨ ଦିନ ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, କନ୍ଧମାଳ ଓ କଳାହାଣ୍ଡିର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।