ବଡ଼ଗାଁ,୨୬/୧୦: ବଡ଼ଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମର ୫୦ ମିଟର ପରିଧି ମଧ୍ୟରେ ଥିବା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସ୍କ୍ରବ୍ ଟାଇଫସ ପୋକ କାମୁଡ଼ାରେ ଜଣେ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି । ସେ ହେଲେ ରାମ କମାର ।
ଗ୍ରାମବାସୀଙ୍କ କହିବାନୁସାରେ ଗତ ୨ ମାସ ପୂର୍ବରୁ ଏହି ଗ୍ରାମର ସୀତା ସାହୁ (୪୧) ସ୍କ୍ରବ୍ ଟାଇଫସ ପୋକ କାମୁଡ଼ାରେ ଆକ୍ରାନ୍ତ ହୋଇ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଗତ ମାସରେ କୈଳାସ ସାହୁଙ୍କୁ ଏହି ପୋକ କାମୁଡ଼ିଥିଲା । ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ସେହିପରି ମୃତ କୈଳାସଙ୍କ ଦାଦା ବିଦ୍ୟାଧର ସାହୁଙ୍କୁ ଭୀଷଣ ଜ୍ୱର ହେବାରୁ ତାଙ୍କୁ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ରକ୍ତ ପରୀକ୍ଷାରେ ନମୁନାରେ ସ୍କ୍ରବ୍ ଟାଇଫସ ପୋକ୍ କାମୁଡ଼ିଥିବା ସ୍ପଷ୍ଟ ହୋଇଥିଲା । ସେ ବର୍ତ୍ତମାନ ସୁସ୍ଥ ଥିବାର ସୂଚନା ମିଳିଥିବାବେଳେ ତାଙ୍କ ଘର ନିକଟରେ ରହୁଥିବା ରାମ କମାରଙ୍କୁ ଭୀଷଣ ଜ୍ୱର ହୋଇଥିଲା । ସେ ରାଉରକେଲାର ଏକ ଘରୋଇ ନର୍ସିଂ ହୋମ୍ରେ ରକ୍ତ ପରୀକ୍ଷା କରିଥିଲେ । ରିପୋର୍ଟରେ ସ୍କ୍ରବ୍ ଟାଇଫସ ପୋକ କାମୁଡ଼ିଥିବା ଜଣାପଡ଼ିଛି ।