ନୂଆଦିଲ୍ଲୀ  ୨୨/୦୮: ଓରେଗନ୍‌ ତଟରେ ପାଣିତଳେ ସ୍ଥିତ ଆଗ୍ନେୟଗିରି ‘ଆକ୍ସିଆଲ ସିମାଉଣ୍ଟ୍‌’ରେ ପ୍ରତିଦିନ ୧୦୦୦ରୁ ଅଧିକ ଛୋଟ ଝଟ୍‌କା ଅନୁଭୂତ ହେଉଛି । ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି, ଚଳିତ ବର୍ଷ ମହାସାଗର ପୃଷ୍ଠଠୁ ୪,୫୦୦ ଫୁଟ ତଳେ ଏକ ବଡ଼ ଧରଣର ଅଗ୍ନି ଉଦ୍‌ଗୀରଣ ହୋଇପାରେ । ପାଣିତଳେ ଥିବା ଆକ୍ସିଆଲ ସିମାଉଣ୍ଟ୍‌ ଆଗ୍ନେୟଗିରି ମହାସାଗର ତଳୁ ୩,୬୦୦ ଫୁଟରୁ ଅଧିକ ଉଚ୍ଚକୁ ଉଠେ । ତଟଠୁ ଏହା ପ୍ରାୟ ୩୦୦ ମାଇଲ ଦୂରରେ ଅବସ୍ଥିତ । ଏହା ଏକ ସବ୍‌ମରିନ୍‌ ଶିଲ୍‌ଡ ଭୋଲ୍‌କାନୋ । ୧୯୯୮, ୨୦୧୧ ଓ ୨୦୧୫ ମସିହାରେ ଏଥିରୁ ଅଗ୍ନି ଉଦ୍‌ଗୀରଣ ହୋଇଥିଲା ।

ଓରେଗନ୍‌ ଷ୍ଟେଟ୍‌ ୟୁନିଭର୍ସିଟିର ଆଗ୍ନେୟଗିରି ବିଶେଷଜ୍ଞ ବିଲ୍‌ ଚାଡ୍‌ୱିକ୍‌ କହିଛନ୍ତି, ବର୍ଷେ ତଳେ, ଆକ୍ସିଆଲ ଶୁପ୍ତ ଜଣାପଡୁଥିଲା । କିନ୍ତୁ ଏବେ ଏହା ଜାଗ୍ରତ ଏବଂ ୨୦୨୫ ଶେଷ ସୁଦ୍ଧା ଏହା ଅଗ୍ନି ଉଦ୍‌ଗିରଣ କରିବ ବୋଲି ଆମର ଆଶଙ୍କା । ଅଗ୍ନି ଉଦ୍‌ଗିରଣ କିଛି ଦିନଠୁ ଆରମ୍ଭ କରି କିଛି ମାସ ପର୍ଯ୍ୟନ୍ତ ଜାରି ରହେ । ଚାଡ୍‌ୱିକ୍‌ କହିଛନ୍ତି, ଆକ୍ସିଆଲ ସିମାଉଣ୍ଟ୍‌ ଆଗ୍ନେୟଗିରି ଭିତରେ ମାଗ୍‌ମା ସୃଷ୍ଟି ହେଉଥିବାରୁ ବର୍ଷ ଆରମ୍ଭରୁ ଏହା ବେଲୁନ୍‌ ଭଳି ଫୁଲୁଛି । ପାଣିତଳ ପର୍ବତ ଶୃଙ୍ଖଳା ଜୁଆନ୍‌ ଡି ଫୁକା ରିଜ୍‌ ଉପରେ ଆକ୍ସିଆଲ ସିମାଉଣ୍ଟ୍‌ ଅବସ୍ଥିତ । ଦୁଇ ଟେକ୍ଟୋନିକ୍‌ ପ୍ଲେଟ୍‌- ଜୁଆନ ଡି ଫୁକା ପ୍ଲେଟ୍‌ ଓ ପାସିଫିକ୍‌ ପ୍ଲେଟ୍‌ ପରସ୍ପରଠୁ ଅଲଗା ହେଉଥିବା ସ୍ଥାନରେ ଏହି ଶୃଙ୍ଖଳା ସୃଷ୍ଟି ହୋଇଛି । ଆଗ୍ନେୟଗିରି ଚତୁଃପାଶ୍ୱର୍ ଅଞ୍ଚଳରେ ମଧ୍ୟ ଭୂକମ୍ପ ଗତିବିଧି ଅନୁଭୂତ ହେଉଛି । ଗତ ଜୁନ୍‌ରେ ବୈଜ୍ଞାନିକମାନେ ଏହି ଆଗ୍ନେୟଗିରି ନିକଟରେ ଗୋଟିଏ ଦିନରେ ୨ ହଜାରରୁ ଅଧିକ ଭୂକମ୍ପ ରେକର୍ଡ କରିଥିଲେ । 

ଓରେଗନ୍‌ ରାଜ୍ୟର କଲେଜ୍‌ ଅଫ୍‌ ଆର୍ଥ୍‌, ଓସନ୍‌ ଆଟ୍‌ମୋସ୍‌ପିୟରିକ୍‌ ସାଇନ୍ସେସ୍‌ର ବୈଜ୍ଞାନିକମାନେ ଏକ ବ୍ଲଗ୍‌ରେ ଉଲ୍ଲେଖ କରିଛନ୍ତି, ଯଦିଓ ଆଗ୍ନେୟଗିରିର ପୁନରାବୃତ୍ତି ହାର କମ୍‌ବେଶି ହେଉଛି । କିନ୍ତୁ କେବେ ଅଗ୍ନି ଉଦ୍‌ଗୀରଣ ହେବ, ତାହା ସେମାନେ ସ୍ପଷ୍ଟ କରି ପାରିନାହାନ୍ତି । ଚାଡ୍‌ୱିକ୍‌ କହିଛନ୍ତି, ମହାସାଗର ପୃଷ୍ଠରେ ଅଗ୍ନି ଉଦ୍‌ଗୀରଣର ପ୍ରଭାବ ଜଣାପଡ଼େ ନାହିଁ । ପାଣିରେ ହାଇଡ୍ରୋଫୋନ୍‌ ରଖିଲେ, ଏହାର ଗତିବିଧି ଶୁଣିହେବ । କାରଣ ଏଠାରେ ବିଭିନ୍ନ ଗତିବିଧି ଚାଲିଛି । ଅଗ୍ନି ଉଦ୍‌ଗୀରଣ ପୃଥିବୀରେ ସୁନାମି କିମ୍ବା ଭୂକମ୍ପର କାରଣ ହେବ ନାହିଁ । ମହାସାଗରରେ ଏହା ବିପୁଳ ପରିମାଣର ଲାଭା ଉତ୍ପନ୍ନ କରିବ ।