ନୂଆଦିଲ୍ଲୀ: ବ୍ରିଟେନ୍ରେ ମୁସଲିମ୍ ବିରୋଧୀ ହିଂସା ବୃଦ୍ଧି ପାଇବାରେ ଲାଗିଛି । ବ୍ରିଟେନ୍ର ଏକ ମସଜିଦରେ ଶ୍ରଦ୍ଧାଳୁ ଥିବା ବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି । ଶନିବାର ଘଟିଥିବା ଏହି ଭୟଙ୍କର ଘଟଣା ସୟମରେ ମସଜିଦ ଭିତରେ ଦୁଇ ଜଣ ଲୋକ ଥିଲେ ବୋଲି ପୁଲିସ କହିଛି । ତେବେ ଏହି ଘଟଣା ପଛରେ ‘ହେଟ୍ କ୍ରାଇମ’(ଘୃଣା ଅପରାଧ) ନେଇ ପୁଲିସ ସନ୍ଦେହ କରୁଥିବା ବେଳେ ତଦନ୍ତ ଆରମ୍ଭ କରିଛି । ବ୍ରାଇଟନ ନିକଟରେ ଥିବା ମସଜିଦରେ ସ୍ଥାନୀୟ ସମୟ ରାତି ୧୦ଟାରେ ନିଆଁ ଲଗାଯାଇଥିଲା । ମାଞ୍ଚେଷ୍ଟରର ଏକ ଆରାଧନାସ୍ଥଳରେ ଆକ୍ରମଣ ହେବାର କିଛି ଦିନ ପରେ ଏହି ଘଟଣା ଘଟିଛି ।
ସିଏନଏନ ରିପୋର୍ଟ ଅନୁସାରେ, ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମସଜିଦ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ପରେ ମସଜିଦର ପାହାଚରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ । ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । କିନ୍ତୁ ମସଜିଦ ସାମ୍ନା ଭାଗ ଏବଂ ପାଖରେ ପାର୍କିଂ ହୋଇଥିବା ଗାଡ଼ି ଜଳିଯାଇଛି । ମସ୍ଜିଦର ସଭାପତି ଏବଂ ଜଣେ ଶ୍ରଦ୍ଧାଳୁ ଚା’ ପିଉଥିବା ବେଳେ ବାହାରେ ଏକ ଭୟଙ୍କର ଶବ୍ଦ ଶୁଣିବାକୁ ପାଇଥିଲେ । ସେମାନେ ଭୟରେ ମସଜିଦ ଛାଡ଼ି ବାହାରକୁ ପଳାଇ ଯାଇଥିଲେ ।
ଦୁର୍ବୃତ୍ତ ମସଜିଦ୍କୁ ସର୍ବାଧିକ କ୍ଷତି ପହଞ୍ଚାଇବା ପାଇଁ ଉଦ୍ଦେଶ୍ୟ ନେଇ ଆସିଥିଲେ ବୋଲି ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଏହି ଛୋଟ ମସଜିଦରେ ପ୍ରାୟ ୧୦ ରୁ ୧୫ ଜଣ ଶ୍ରଦ୍ଧାଳୁ ରହିବାର ବ୍ୟବସ୍ଥା ରହିଛି । ସେମାନେ ରାତି ୮:୧୫ ରେ ପ୍ରାର୍ଥନା ପାଇଁ ଏକତ୍ରିତ ହୁଅନ୍ତି। ଏହା ବନ୍ଦ ହେବା ପରେ, ଅଧ୍ୟକ୍ଷଙ୍କ ସମେତ ଅନ୍ୟ ଜଣେ ସ୍ୱେଚ୍ଛାସେବୀ ସେଠାରେ ରହିଥିଲେ । ଯଦି ଅଧିକ ଶ୍ରଦ୍ଧାଳୁ ଥିବା ସମୟରେ ଏହି ଆକ୍ରମଣ ହୋଇଥାନ୍ତା, ତେବେ ପରିସ୍ଥିତି ଆହୁରି ଭୟଙ୍କର ହୋଇଥାନ୍ତା, ଏଥିରେ କୌଣସି ସନ୍ଦେହ ନାହିଁ ।