ଭୁବନେଶ୍ବର ୧୭।୪:  କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଶାକୁ ୪ ହଜାର କୋଟି ଟଙ୍କାର ସଡ଼କ ପ୍ରକଳ୍ପ ଭେଟି ଦେଇଛନ୍ତି । ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଗଡ଼କରୀ ରାଜ୍ୟ ପାଇଁ ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଥିଲେ ।  ଯାହା  ଓଡ଼ିଶାରେ ଯୋଗାଯୋଗ କ୍ଷେତ୍ରରେ ସୃଷ୍ଟି ହେବ ନୂଆ ଯୁଗ ।

୪ ହଜାର କୋଟି ଟଙ୍କାରୁ ଅଧିକ ନିବେଶରେ ମୋଟ୍ ୧୫୪ କିଲୋମିଟର ଦୀର୍ଘ ୧୯ଟି ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ୮ ଶହ କୋଟି ଟଙ୍କା ବ୍ୟୟରେ ୪୧କିମି ଦୈର୍ଘ୍ୟ ତାଳଚେର ଠାରୁ କାମାକ୍ଷାନଗର ୪ଲେନ୍‌  ରାଜପଥ ଓ  ୪୫କୋଟି ଟଙ୍କା ବ୍ୟୟରେ  ବାଲିକୁଦା, ଶିଖରପୁର ଏବଂ ବଡ଼ଚଣା ଠାରେ ଭେହିକୁଲର ଅଣ୍ଡରପାସ୍‌ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି  କେନ୍ଦ୍ରମନ୍ତ୍ରୀ ନିତିନ୍‌ ଗଡ଼କରୀ । ଏଥିସହ ୧୩ଟି ଜାତୀୟ ରାଜପଥ ପ୍ରକଳ୍ପ ଓ ୪ଟି ସିଆରଆଇଏଫ ବ୍ରିଜର  ଶିଳାନ୍ୟାସ କରିଛନ୍ତି । ଏସବୁ ପ୍ରକଳ୍ପ ଗୁଡ଼ିକ ହେଲା, ବଅଁରପାଳ-ଗୋଡ଼ିବନ୍ଧ ୪ଲେନ୍‌ ରାଜପଥ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅନ୍ତର୍ଗତ ବାଙ୍ଗିରିପୋଷି ଘାଟି ୪ଲେନ୍‌ ରାଜପଥ,  ଜାତୀୟ ରାଜପଥ ୧୬ରେ ୫ଟି ଭେହିକୁଲର ଅଣ୍ଡରପାସ୍‌ ଏବଂ ଗୋଟିଏ ଫ୍ଲାଏ ଓଭର, ନିର୍ଗୁଣ୍ଡି ଠାରେ ଭେହିକୁଲର ଅଣ୍ଡରପାସ ଏବଂ ଛତିଆଠାରେ ଫ୍ଲାଏ ଓଭର, ସିଂଘରା-ବିଞ୍ଜିବାହଲ ଖଣ୍ଡର ହାତୀଗତି ପଥରେ ୪ଲେନ୍‌ ଭାୟାଡକ୍ଟ ନିର୍ମାଣ, ପଳାଶୁଣି ଠାରେ ଗଙ୍ଗୁଆ ନାଳ ଉପରେ ଅତିରିକ୍ତ  ୨ଲେନ୍‌ ସେତୁ, ଟିଟିଲାଗଡ଼ ଟାଉନ୍‌ ବାଏପାସ୍‌, ଧର୍ମଗଡ଼ ଟାଉନ୍‌ ବାଏପାସ, କଳାହାଣ୍ଡି ଜିଲ୍ଲାରେ ରେତ୍‌ ନଦୀ ଓ ସଗଡ଼ା ନଦୀ  ଉପରେ ସେତୁ ନିର୍ମାଣ, ମଙ୍ଗଳପୁର-କୟାଁଗୋଲା ଆରଡ଼ି ଖଣ୍ଡର ପ୍ରଶସ୍ତି କରଣ, ଦାରିଙ୍ଗବାଡ଼ି ଘାଟୀ ପ୍ରଶସ୍ତି କରଣ, ପୂଜାରୀପାଲି ଘାଟି-ଜରିମୂଳିରେ ମହାନଦୀ ଉପରେ ସେତୁ ନିର୍ମାଣ, କଳାହାଣ୍ଡି ତେଲ ନଦୀ ଓ ହାତୀ ନଦୀ  ଉପରେ ସେତୁ ନିର୍ମାଣ ଆଦି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ସଡ଼କ ମନ୍ତ୍ରୀ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ସଡକ  ଆମେରିକା ଭଳି ହେବ । ରାଜ୍ୟର ବିକାଶ ପାଇଁ ଭିତ୍ତିଭୂମିର ବିକାଶ ଆବଶ୍ୟକ । ଓଡ଼ିଶାରେ ୨ଲକ୍ଷ କୋଟିର ପ୍ରକଳ୍ପ କାମ ଚାଲୁ ରହିଛି । ଆଗକୁ ୩ଲକ୍ଷ କୋଟିର ପ୍ରକଳ୍ପ କାମ ସରିବ । 

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଥିଲେ ଏହି ୪ ହଜାର କୋଟିର ପ୍ରକଳ୍ପ ଦ୍ୱାରା ଯାତାୟାତ ସୁବିଧା ହେବ, ଅର୍ଥନୈତିକ ବିକାଶ ହେବ । ପ୍ରଧାନମନ୍ତ୍ରୀ ମୋଦି ଭିତ୍ତିଭୂମି ଏବଂ ସଡ଼କ ନିର୍ମାଣ ପାଇଁ ପ୍ରାଥମିକତା ଦେଇଛନ୍ତି ।