ନୂଆଦିଲ୍ଲୀ,୦୫/୦୧:: କିଛି ବର୍ଷ ହେବ ସାଇବର ଅପରାଧ ସଂଖ୍ୟା ବହୁଗୁଣା ହୋଇଛି । ଡିଜିଟାଲ ଆରେଷ୍ଟ ସ୍କାମ୍‌ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଏହା ବିରୋଧରେ କଡ଼ା ରଣନୀତି ଆପଣାଉଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ ଆରେଷ୍ଟ ସ୍କାମ୍‌କୁ ନେଇ ଆଡଭାଇଜରୀ ଜାରି କରିଛନ୍ତି ଏବଂ ଏହାକୁ ନେଇ ସତର୍କ ରହିବା ପାଇଁ ଆହ୍ୱାନ ଦେଇଛନ୍ତି । ବର୍ଦ୍ଧିତ ଡିଜିଟାଲ ଆରେଷ୍ଟ ସ୍କାମ୍‌ଗୁଡ଼ିକ ଉପରେ ଲଗାମ ଲଗାଇବା ପାଇଁ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । 

ଏ କ୍ରମରେ ଜଣାଶୁଣା ସ୍କାମ୍‌ ୟୁପିଆଇ ଆଇଡି, ମୋବାଇଲ ନମ୍ବର, ନାଁ, ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ ଏବଂ ଇମେଲ ଆଡ୍ରେସ୍‌ଗୁଡ଼ିକର ଏକ ଅନ୍‌ଲାଇନ୍‌ ଡାଟାବେସ୍‌ ପ୍ରଚଳନ କରିଛନ୍ତି କେନ୍ଦ୍ର ସରକାର । ଏହି ଡାଟାବେସ୍‌ର କୋଡ୍‌ନେମ୍‌ ରହିଛି ୧୪ସି । ଏହା ନ୍ୟାସ୍‌ନାଲ ସାଇବର କ୍ରାଇମ୍‌ ରିପୋର୍ଟିଂ ପୋର୍ଟାଲରେ ଉପଲବ୍ଧ । ଏହି ଡାଟାବେସ୍‌କୁ ଯେକୌଣସି ବ୍ୟକ୍ତି ଆକ୍ସେସ୍‌ କରିପାରିବେ । ଜଣେ ଅଜଣା କଲର୍‌, ଯିଏକି ଲୋକଙ୍କୁ ଠକିବା ପାଇଁ ଚେଷ୍ଟା କରୁଥାଇପାରନ୍ତି ତାଙ୍କୁ ଚିହ୍ନଟ କରିବା ପାଇଁ ଏହା ସହାୟକ ହେବ । ସରକାରଙ୍କ କହିବାନୁସାରେ, ସ୍କାମ୍‌ଷ୍ଟରମାନଙ୍କ ପରିଚୟକୁ ସାର୍ବଜନୀନ କରି ଡିଜିଟାଲ ଆରେଷ୍ଟ ସ୍କାମ୍‌କୁ ରୋକିବା ପାଇଁ ୧୪ସି ଡାଟାବେସ୍‌ ତିଆରି କରାଯାଇଛି । ଯେଉଁଠି ଲୋକଙ୍କ ମଧ୍ୟରେ ଭୟ ଥାଏ ସେଇଠି ଡିଜିଟାଲ ଆରେଷ୍ଟ ସ୍କାମ୍‌ର ସମ୍ଭାବନା ରୁହେ । ଏକ ଅଜଣା ନମ୍ବରରୁ କଲ୍‌ ଆସେ, ଯେଉଁଠି କଲର୍‌ ନିଜକୁ ବରିଷ୍ଠ ପୁଲିସ୍‌ ଅଧିକାରୀ, କୋର୍ଟ ବିଚାରପତି, ସିବିଆଇ କିମ୍ବା ସୀମା ଶୁଳ୍କ ଅଧିକାରୀ ଅବା ଜଣେ ଉଚ୍ଚପଦସ୍ଥ ସରକାର ଅଧିକାରୀ ବୋଲି କହିଥାନ୍ତି ।