କାଶୀପୁର : କାଶୀପୁର ବ୍ଲକ ଟିକିରି ରେଳ ଷ୍ଟେସନ ପାଖ ତୋଟାଗୁଡ଼ା ନିକଟ ରେଳ ରାସ୍ତାରୁ, ଆଜି ସକାଳେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଟିକିରି ଥାନା ଅନ୍ତର୍ଗତ ମୁସରି ପଦର ଗ୍ରାମର ଅଖିଳ ମାଝୀ (୬୦) ବୋଲି ଜଣା ଯାଇଛି। ଗତକାଲି ଅପରାହ୍ନରେ ଅଖିଳ ମାଝୀ ଘରୁ ବାହାରି ଥିଲେ। ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ନ ଥିବାରୁ ପରିବାର ଲୋକେ ଖୋଜି ଥିଲେ। ଆଜି ସକାଳେ ତୋଟାଗୁଡ଼ା ଗ୍ରାମ ନିକଟ ରେଳ ରାସ୍ତାରେ କ୍ଷତବିକ୍ଷତ ଅବସ୍ଥାରେ ଥିବା ଏକ ମୃତଦେହ ପଡ଼ି ଥିବାର ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଥିଲେ।
ଏହା ପରେ ରେଳବାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଥିଲେ। ପୁଲିସ ଉପସ୍ଥିତିରେ ଶବକୁ ଚିହ୍ନଟ କରାଯାଇ ଥିଲା। ରେଳରାସ୍ତା ପାର ହେବା ସମୟରେ କୌଣସି ଏକ ଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ହୋଇ ଥିବାର ସନ୍ଦେହ କରାଯାଇଛି। ମୃତକ ପରିବାରକୁ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି।