ପ୍ରମୂଖ ଖବର
  • ରାଜଧାନୀରେ ଧରାପଡ଼ିଲେ ନକଲି DSP, ୨ଲକ୍ଷରୁ ଅଧିକ ନକଲି ଟଙ୍କା ସହ ପୋଲିସ ୟୁନିଫର୍ମ ଜବତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ: ଆଜି ବି ଚାଲିପାରିଲାନି ପ୍ରଶ୍ନକାଳ, ୧୨ଟା ୯ ମିନିଟ୍ ଯାଏ ଗୃହ ମଲତବୀ
  • ||
  • ଗଞ୍ଜାମ : ପାହାଡ଼ ତଳୁ ନରକଙ୍କାଳ ଉଦ୍ଧାର ଘଟଣା: ମିଳିଲା ନାବାଳିକାଙ୍କ ପରିଚୟ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଉଦଳା : ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼: ୪ ଶିକାରୀ ଗିରଫ
  • ||
  • ଆମେରିକାର ଏକଚାଟିଆ ନୀତିକୁ କରାଯିବନି ବରଦାସ୍ତ: ୟୁରୋପର ଦୀର୍ଘମିଆଦୀ ରଣନୀତି, ଅସ୍ତ୍ର ଭଣ୍ଡାର ୩୦% ବଢ଼ାଯିବ
  • ||
  • ଦୁଇ ଦିନର ବିରତି ପରେ ସରଗରମ ହେବ ବିଧାନସଭା, ନାରୀ ନିର୍ଯାତନା ପ୍ରସଙ୍ଗରେ କମ୍ପିବ ଗୃହ
  • ||
  • ଆଇପିଏଲ୍‌ ୨୦୨୫: ଆଜି କ୍ୟାପିଟାଲ୍ସ- ସୁପରଜାଏଣ୍ଟ୍‌ସ ଫାଇଟ୍, ପୁରୁଣା ଦଳ, ନୂଆ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ହେବ ଟକ୍କର
  • ||
  • ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଜି କଣ୍ଟିଲୋରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ମଙ୍ଗଳବାରଠାରୁ ବଢ଼ିବ ତାତି
  • ||

୧୦ କେଜିର ଜାଲରେ ମାସେ ବନ୍ଦୀ, ଦେହସାରା ଶୃଙ୍ଖଳରେ ଆବଦ୍ଧ... ଅଲିଭରିଡ୍‌ଲେ ମା’ର ଯନ୍ତ୍ରଣା ଜର୍ଜରିତ ଚିତ୍ର

Published By : Prameya | February 19, 2025 12:27 PM

ବ୍ରହ୍ମପୁର, ୧୯/୦୨ (ସ୍ୱାଧୀନ ସାହୁ): ଦେହସାରା ଶୃଙ୍ଖଳରେ ଆବଦ୍ଧ । ୪ ଗୋଡ଼ ବନ୍ଦୀ । ବେକକୁ ଚାପି ଧରିଛି ଶକ୍ତ ପ୍ଲାଷ୍ଟିକ୍‌ । ଶରୀରରେ ଗୁଡ଼େଇ ତୁଡ଼େଇ ହୋଇ ପ୍ରାୟ ୧୦ ଫୁଟ୍‌ ଲମ୍ବି ଯାଇଛି ଜାଲ । ତା’ ପୁଣି ୧୦ କେଜି ଓଜନର । ‘ମାଛ ମାଫିଆ’ଙ୍କ ଦାୟିତ୍ୱହୀନତା ପାଇଁ ଏଭଳି ଶକ୍ତ ବନ୍ଧନରେ ପଡ଼ିଛି ଅଲିଭରିଡ୍‌ଲେ । ହେଲେ ଅଲିଭରିଡ୍‌ଲେ ମା’ର ମମତାକୁ ଏ ବନ୍ଧନ ରୋକିପାରିନି । ଶୃଙ୍ଖଳକୁ ଜାବୁଡ଼ି ଧରି ବହୁ ଯାତନା ସହିସହି କୂଳକୁ ଛୁଟି ଆସିଛି ଅଣ୍ଡା ଦେବା ଲାଗି ।

ଏଭଳି ଅଭାବନୀୟ ଚିତ୍ର ଆସିଛି ଋଷିକୁଲ୍ୟା ମୁହାଣରୁ । ପେଟ ଭିତରେ ଅମାପ ଯନ୍ତ୍ରଣା, ଦେହରେ ପାହାଡ଼ ଭଳି ବୋଝ ବୋହିବୋହି ଅଲିଭରିଡ୍‌ଲେ ବାଲିରେ ପାଦ ଚାପିଚାପି ଆସିବା ଘଟଣା ଭାବବିହ୍ୱଳ କରି ପକାଉଛି । ଏ ଚିତ୍ର ଯିଏ ଦେଖିଲା କହୁଥିଲା, ସତରେ ମା’ର ମମତା ଅତୁଳନୀୟ । ଯେତେ ବି ବାଧାବିଘ୍ନ ଆସୁ ସନ୍ତାନର ସୁରକ୍ଷା ପାଇଁ ସେ ସବୁ ତୁଚ୍ଛ । ବହୁ ଯନ୍ତ୍ରଣା ସହି ଗର୍ଭରେ ଥିବା ଶିଶୁକୁ ସେ ନୂଆ ଦୁନିଆ ଦେଖାଇଥାଏ । ସେ ମଣିଷ ହେଉ କି ପ୍ରାଣୀ । ମୁହାଣରେ ଆଜି ଶୃଙ୍ଖଳ ଘେରରେ ଏହି କଇଁଛର ମାତୃତ୍ୱର ନିଦର୍ଶନ ଦୃଶ୍ୟ ଏହାକୁ ପ୍ରମାଣିତ କରିଛି । 

ମଙ୍ଗଳବାର ଭୋର୍‌ର ଘଟଣା। ସମୁଦ୍ର ଜଳରାଶିରୁ ଋଷିକୁଲ୍ୟା ମୁହାଣମୁହାଁ ହେଉଥିଲା ଅଲିଭରିଡ୍‌ଲେ । ପୂରାଦେହ ମାଛଧରା ଜାଲରେ ଛନ୍ଦି ରଖିଥିଲା । ବେକ ସହ ୪ ଗୋଡ଼କୁ ଜାଲ ଗୁଡ଼ାଇ ହୋଇ ରହିଥିଲା । ପଛକୁ ଲମ୍ବିଥିଲା ୧୦ ଫୁଟ୍‌ ଯାଏ । ଜାଲ ଓ କଇଁଚ୍ଛ ଦେହରେ ବହୁ କ୍ଷୁଦ୍ର ସାମୁଦ୍ରିକ ଜୀବ ବସା କରି ସାରିଥିଲେ । ଜାଲକୁ ଘୋଷାରି ଅଣନିଃଶ୍ୱାସୀ ଅବସ୍ଥାରେ ସମୁଦ୍ର ଜଳରାଶିରୁ ବେଳାଭୂମିକୁ କଇଁଛଟି ଆସୁଥିଲା । ଗର୍ଭରେ ଥିବା ଶିଶୁଙ୍କୁ ନୂଆ ଦୁନିଆ ଦେଖାଇବା ପାଇଁ ସତେ ଯେପରି ସବୁ କଷ୍ଟ ଭୁଲି ଯାଇଥିଲା । ଏହାକୁ ଦେଖି ଜିଓଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ (ଜେଡ୍‌ଏସ୍‌ଆଇ)ର ଗବେଷକ ଆଶିଷ ଦାଶ ଓ ସ୍ୱେଚ୍ଛାସେବୀ, ବନ କର୍ମଚାରୀ ୫ରୁ ୭ ମିନିଟ୍‌ ଧରି ସତର୍କତାର ସହ ଜାଲକୁ କାଟିଥିଲେ । ଜାଲର ଓଜନ ଆନୁମାନିକ ୧୦ କିଲୋଗ୍ରାମ ହେବ । ବେଳାଭୂମିରେ ଅଣ୍ଡାଦାନ କରି ଫେରିଥିଲା ମା’ କଇଁଛ । 

ଗବେଷକ ଆଶିଷ କହିଛନ୍ତି, ସଚେତନତା ଅଭାବରୁ ସମୁଦ୍ର କୂଳରେ ଏହା ନିୟମିତ ଦେଖାଯାଉଛି । ମତ୍ସ୍ୟଜୀବୀ ନଷ୍ଟ ଜାଲକୁ ସମୁଦ୍ର ଜଳରାଶିରେ ପକାଉଛନ୍ତି । ସେଠାରେ ବୁଲୁଥିବା ପ୍ରାଣୀ ଏଥିରେ ଛନ୍ଦି ହେଉଛନ୍ତି । ଅନେକ ସମୟରେ ମୁତ୍ୟୁ ମଧ୍ୟ ହେଉଛି । ଅଣ୍ଡାଦାନ ସମୟରେ ଅନେକ କଇଁଛ ଜାଲରେ ବନ୍ଦୀ ଅବସ୍ଥାରେ ଆସୁଛନ୍ତି । ଜାଲକୁ କାଟି ତାହାକୁ ମୁକ୍ତ ଅଣ୍ଡାଦାନ ପାଇଁ ଛାଡୁଛୁ । ଏହି କଇଁଛ ଦେହରେ ମାସେରୁ ଅଧିକ ହେବ ୧୦ କେଜିର ଜାଲଟି ଲାଗିଥିଲା । ୱାର୍ଲଡ୍‌ ୱାଇଡ୍‌ ଫଣ୍ଡ୍‌ ଫର୍‌ ନେଚର୍‌ (ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌) ସଂଯୋଜିକା ସାଧ୍ୱୀ ସିନ୍ଦୁରା କହିଛନ୍ତି, ଗଣଅଣ୍ଡାଦାନ ସମୟରେ ଗଣନାରେ ନିୟୋଜିତ କର୍ମଚାରୀ ଓ ସ୍ୱେଚ୍ଛାସେବୀ ପ୍ରତିଦିନ ୫ରୁ ୭ କଇଁଛକୁ ଏହିପରି ଅବସ୍ଥାରେ ଦେଖୁଛନ୍ତି । ସେମାନେ ଏହାକୁ କାଟି ବାହାର କରିବା ସହ ବେଳାଭୂମିରୁ ଦୂରରେ ନେଇ ଜାଲକୁ ପକାଉଛନ୍ତି । ଅନେକ କଇଁଛଙ୍କୁ ସେମାନେ ଯନ୍ତ୍ରଣାମୁକ୍ତ କରୁଛନ୍ତି । ଏଭଳି କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି । ଏହାସହ ମତ୍ସ୍ୟଜୀବୀ ସତର୍କ ହୋଇ ସମୁଦ୍ରରେ ଏଭଳି ନଷ୍ଟ ଜାଲ୍‌କୁ ନ ଫିଙ୍ଗିବାକୁ ସେ ଆହ୍ୱାନ ଦେଇଛନ୍ତି ।

ଏହି ଖବରଟିକୁ ପଢନ୍ତୁ-ବିପଦରେ ଗଜରାଜ, ବର୍ଷକରେ ମରୁଛନ୍ତି ୮୧ ହାତୀ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.