ନୂଆଦିଲ୍ଲୀ,୦୩/୧୧: ଜଳବାୟୁ ପରିବର୍ତ୍ତନ ଯୋଗୁ ବଢୁଛି ସମୁଦ୍ର ସ୍ତର । ଶ୍ରମ ଉତ୍ପାଦକତାରେ ଦେଖାଦେଉଛି  ବୃହତ୍‌ ହ୍ରାସ । ଆଗାମୀ ଦିନରେ ଭାରତୀୟ ଅର୍ଥନୀତି ଉପରେ ଏହାର ବିଶାଳ ପ୍ରଭାବ ଦେଖିବାକୁ ମିଳିବ । ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଥିବା ସମସ୍ୟା ଦ୍ୱାରା ୨୦୭୦ ସୁଦ୍ଧା ଭାରତର ଜିଡିପି ୨୪.୭%  ଧୋଇଯିବ ବୋଲି ଆଶଙ୍କା ପ୍ରକାଶ କରିଛି ଏସିଆନ୍‌ ଡେଭଲପ୍‌ମେଣ୍ଟ ବ୍ୟାଙ୍କ (ଏଡିବି)। ଏହା ଭାରତକୁ ଏସିଆ- ପ୍ରଶାନ୍ତ ଅଞ୍ଚଳର ଅନ୍ୟତମ ସର୍ବାଧିକ  ପ୍ରଭାବିତ ରାଷ୍ଟ୍ରରେ ପରିଣତ କରିବ  ବୋଲି ଏଡିବି କହିଛି । 

ଯଦି ଗ୍ରୀନ୍‌ହାଉସ୍‌ ଗ୍ୟାସ ନିର୍ଗମନ  ସ୍ଥିତି ଅତି ଖରାପ ରୁହେ ତେବେ  ବିକାଶମୁଖୀ ଏସିଆ-ପ୍ରଶାନ୍ତ ଅଞ୍ଚଳରେ  ମୋଟ ଘରୋଇ ଉତ୍ପାଦ(ଜିଡିପି) ୨୦୭୦  ସୁଦ୍ଧା ୧୭.୯% ସଂକୁଚିତ ହେବ ।  ଏପରିକି ୨୧୦୦ ମସିହା ସୁଦ୍ଧା ଏହି ହ୍ରାସ  ୪୧%କୁ ବଢ଼ିପାରେ ବୋଲି ଏଡିବି ଏହାର  ରିପୋର୍ଟ ‘ଏସିଆ-ପାସିଫିକ୍‌ କ୍ଲାଇମେଟ୍‌  ରିପୋର୍ଟ’ରେ ଉଲ୍ଲେଖ କରିଛି । 

ତେବେ ଜଳବାୟୁ ପରିବର୍ତ୍ତନର  ସର୍ବାଧିକ ପ୍ରଭାବ ବାଂଲାଦେଶ ଉପରେ  ପଡ଼ିପାରେ ବୋଲି ରିପୋର୍ଟରେ  କୁହାଯାଇଛି । ଜଳବାୟୁ ପରିବର୍ତ୍ତନଜନିତ  ସମସ୍ୟାଗୁଡ଼ିକ ଯୋଗୁ ୨୦୭୦ ସୁଦ୍ଧା  ବାଂଲାଦେଶ ଜିଡିପି ୩୦.୫% ଖସିପାରେ ।  ଭିଏତ୍‌ନାମରେ ପ୍ରଭାବ ୩୦.୨%,  ଇଣ୍ଡୋନେସିଆରେ ୨୬.୮% ଏବଂ  ଭାରତରେ ୨୪.୭% ରହିବ ବୋଲି  ରିପୋର୍ଟରେ ଅନୁମାନ କରାଯାଇଛି । 

ସେହିଭଳି ଏହି ସମସ୍ୟା ଯୋଗୁ  ଉଚ୍ଚ-ଆୟ ଦକ୍ଷିଣପୂର୍ବ ଏସିଆର ଜିଡିପି  ୨୨%, ପାକିସ୍ତାନର ଜିଡିପି ୨୧.୧%,  ପାସିଫିକ୍‌ର ୧୮.୬% ଏବଂ ଫିଲିପାଇନ୍ସର  ଜିଡିପି ୧୮.୧% ଖସିପାରେ ବୋଲି  ଆକଳନ କରାଯାଇଛି ।  

ରିପୋର୍ଟରେ ଆହୁରି ସତର୍କ  କରାଯାଇଛି ଯେ, ଯଦି ଜଳବାୟୁ ସମସ୍ୟା  ବଢ଼େ ତେବେ ୨୦୭୦ ସୁଦ୍ଧା ଏସିଆ- ପ୍ରଶାନ୍ତ ଅଞ୍ଚଳର ୩୦ କୋଟି ପର୍ଯ୍ୟନ୍ତ  ଲୋକେ ଉପକୂଳ ବନ୍ୟା ବିପତ୍ତିର ସାମ୍ନା  କରିବେ । ଏହା ଦ୍ୱାରା ବହୁ ଟ୍ରିଲିୟନ  ଡଲାର କୋଷ୍ଟାଲ ପ୍ରପର୍ଟି ଧୂଳିସାତ୍‌  ହୋଇଯିବ ।  

ସମୁଦ୍ରର ବର୍ଦ୍ଧିତ ସ୍ତର ଏବଂ ଶ୍ରମ  ଉତ୍ପାଦକତା ହ୍ରାସ ଯୋଗୁ ଏସିଆ ପ୍ରଶାନ୍ତ  ଅଞ୍ଚଳରେ ବ୍ୟାପକ କ୍ଷତି ହେବ । ନିମ୍ନ  ଆୟ ଏବଂ ଦୁର୍ବଳ ଅର୍ଥନୀତିଗୁଡ଼ିକ ଅଧିକ  ପ୍ରଭାବିତ ହେବେ । ବିଶାଳ ଉପକୂଳ  ଜନସଂଖ୍ୟାଯୁକ୍ତ ରାଷ୍ଟ୍ରଗୁଡ଼ିକୁ ଜଳବାୟୁ  ପରିବର୍ତ୍ତନ ସର୍ବାଧିକ ବାଧିବ । ଗରିବ  ଲୋକେ ଏହା ଦ୍ୱାରା ଅଧିକ ପ୍ରଭାବିତ  ହେବେ ବୋଲି ଏଡିବି ପ୍ରକାଶ କରିଛି ।  

୨୦୨୧ରେ ବିଶ୍ୱରେ ମୋଟ  ଗ୍ରୀନ୍‌ହାଉସ୍‌ ଗ୍ୟାସ ନିର୍ଗମନରେ ଅଧା  ଯୋଗଦାନ ରଖିଥିଲା ଏସିଆ-ପାସିଫିକ୍‌ ।  ଚୀନ୍‌, ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ  ଏସିଆ ଏଥିପାଇଁ ବଡ଼ ଆକାରରେ ଦାୟୀ  ରହିଥିବା ଏଡିବି ଏହାର ‘ଏସିଆ- ପାସିଫିକ୍‌ କ୍ଲାଇମେଟ୍‌ ରିପୋର୍ଟ’ରେ  ପ୍ରକାଶ କରିଛି ।  

ଏଡିବିର ସଭାପତି ମାସାତ୍‌ସୁଗୁ  ଆସାକାୱା କହିଛନ୍ତି ଯେ, ଜଳବାୟୁ  ପରିବର୍ତ୍ତନ ଯୋଗୁ ଏସିଆ-ପାସିଫିକ୍‌ରେ  ଝଡ଼ବାତ୍ୟା, ତାତି ଏବଂ ବନ୍ୟା ଲଗାତର  ବଢୁଛି । ଏହା ଅର୍ଥନୀତି ଏବଂ ମାନବ  ଜୀବନ ପାଇଁ ବଡ଼ ବିପଦ ପାଲଟିଛି ।  ଅତି ବିଳମ୍ବ ହୋଇଯିବା ପୂର୍ବରୁ ତ୍ୱରିତ  ଏବଂ ଉତ୍ତମ-ସଂଯୋଜିତ ଜଳବାୟୁ  ପଦକ୍ଷେପ ନିଆଯାଇ ସ୍ଥିତିକୁ ନିୟନ୍ତ୍ରଣ  କରିବାକୁ ପଡ଼ିବ ।  

ଅତିରିକ୍ତ ବିଶ୍ୱ ତାପନ ଯୋଗୁ ଭାରତ  ଏବଂ ଚୀନ୍‌ ସୀମାରେ ଭୂସ୍ଖଳନ ଏବଂ  ବନ୍ୟା ବିପଦକୁ ନେଇ ରିପୋର୍ଟରେ  ଉଲ୍ଲେଖ କରାଯାଇଛି । ଆଗକୁ ବାତ୍ୟା  ଏବଂ ଝଡ଼ ଆଦି ଅଧିକ ଧ୍ୱଂସକାରୀ  ପାଲଟିବ ଏବଂ ଜଳବାୟୁ ଉପରେ  ନିର୍ଭରଶୀଳ କୃଷି କ୍ଷେତ୍ରରେ ଉତ୍ପାଦନ  ବଡ଼ ମାତ୍ରାରେ ହ୍ରାସ ପାଇବ ବୋଲି  ରିପୋର୍ଟରେ ଉଲ୍ଲେଖ କରାଯାଇଛି ।  

ଜଳବାୟୁ ଲକ୍ଷ୍ୟକୁ ପୂରଣ କରିବା  ପାଇଁ ଏସିଆ-ପ୍ରଶାନ୍ତ ଅଞ୍ଚଳ ଅକ୍ଷୟ  ଶକ୍ତିକୁ ଗ୍ରହଣ କରିବା ସହ କାର୍ବନ ବଜାର  ବିକଶିତ କରିପାରିବେ ବୋଲି ରିପୋର୍ଟରେ  ପରାମର୍ଶ ଦିଆଯାଇଛି । ଜଳବାୟୁ ପରିବର୍ତ୍ତନ ଏବେ  ସାରା ବିଶ୍ୱପାଇଁ ନୂଆ ଆହ୍ୱାନ ଭାବେ  ଛିଡ଼ା ହୋଇଛି । ଏହା ଦେଶଗୁଡ଼ିକର  ଧନଜୀବନ ଉପରେ ନକରାତ୍ମକ ପ୍ରଭାବ  ପକାଉଥିବାରୁ ଏ ନେଇ ଅଭିନବ କୌଶଳ  ରୂପରେ ଏବେ ଫୋକସ ଜାରି ରହିଛି।