ବ୍ରହ୍ମପୁର,୦୬/୧୦: ହାତ ଧରି ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ । ମଥାରେ ଦେଇଥିଲେ ସିନ୍ଦୂର । ଉଭୟ ଉଭୟଙ୍କ ପାଇଁ  ସୁଖ, ଦୁଃଖର ସାଥି ଥିଲେ । ସାତ ଜନ୍ମର ସାଥି ହେବେ ବୋଲି କଥା ଦେଇଥିଲେ । ହେଲେ କରୋନାରେ ପତ୍ନୀ ହାତ ଛାଡ଼ି ଆରପାରିକୁ ଚାଲିଗଲେ । ପ୍ରତ୍ୟେକ ଦିନ ତାଙ୍କୁ ମନେ ପକାଇ ଭାଙ୍ଗି ପଡ଼ିଛନ୍ତି ସ୍ୱାମୀ ପ୍ରଶାନ୍ତ ନାୟକ । ତାଙ୍କ  ସ୍ମୃତିରେ ସିଲିକନ୍‌ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ସେ ଆଉ ନାହାନ୍ତି ସତ ହେଲେ ପାଖରେ ଥିଲା ପରି ଲାଗୁଛି । ଏହି ମୂର୍ତ୍ତି ପତ୍ନୀଙ୍କ ଅନୁପସ୍ଥିତିକୁ  ସାମାନ୍ୟ ଦୂରେଇ ଦେଇଥିବା କହିଛନ୍ତି ପ୍ରଶାନ୍ତ । 

ବ୍ରହ୍ମପୁର ଜଗବନ୍ଧୁ ସାହିର ବ୍ୟବସାୟୀ  ପ୍ରଶାନ୍ତ ନାୟକ ୧୯୯୭ ମସିହାରେ କିରଣବାଳାଙ୍କୁ  ବିବାହ କରିଥିଲେ । କୋଭିଡ ସମୟରେ ତାଙ୍କ  ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ପ୍ରଶାନ୍ତ  ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ପ୍ରଶାନ୍ତଙ୍କ ଦୁଇ ଝିଅ  ମେଘନା ଓ ମେହେକ, ପୁଅ ଆୟାନ ମାଆଙ୍କୁ  ହରାଇ ଦୁଃଖରେ ମ୍ରିୟମାଣ ହୋଇଯାଇଥିଲେ ।  ସାମାଜିକ ଗଣମାଧ୍ୟମରେ ସିଲିକନ ମୂର୍ତ୍ତି  ଦେଖିଥିଲେ ଏବଂ ଏହା ଜୀବନ୍ତ ଦେଖାଯାଉଥିବାରୁ  ପ୍ରଭାବିତ ହୋଇଥିଲେ ପରିବାର । ଝିଅ ଓ ପୁଅଙ୍କ  ଅନୁରୋଧକ୍ରମେ ସେହି ବର୍ଷ ନଭେମ୍ବରରେ  ମୂର୍ତ୍ତି ତିଆରି କରିବା ପାଇଁ ବେଙ୍ଗାଲୁରୁର ଜଣେ  ଶିଳ୍ପୀଙ୍କୁ ଯୋଗାଯୋଗ କରିଥିଲେ ପ୍ରଶାନ୍ତ । ତାଙ୍କ  ଘରେ ପହଞ୍ଚି ଶିଳ୍ପୀ ପୁରୁଣା ଫଟୋ ମଧ୍ୟରୁ  ଗୋଟିଏ ଫଟୋ ଚୟନ କରିଥିଲେ । ତାହାକୁ ସେ  ଜୀବନ୍ତ ରୂପ ଦେଇଥିଲେ । ୮ ମାସ ପରେ ଉକ୍ତ  ମୂର୍ତ୍ତିକୁ ତିଆରି କରି ସ୍ୱତନ୍ତ୍ର ଗାଡ଼ିରେ ବ୍ରହ୍ମପୁର ଆଣିଛନ୍ତି। ମୂର୍ତ୍ତି ତିଆରି ପାଇଁ ୮ ଲକ୍ଷ ଟଙ୍କା  ଶିଳ୍ପୀ ନେଇଛନ୍ତି । ସେହିପରି ଟ୍ରାନ୍ସପୋର୍ଟ ପାଇଁ  ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଘରେ ପ୍ରତିଦିନ  ଉକ୍ତ ମୂର୍ତ୍ତିକୁ ସଜା ଯାଉଛି । ପ୍ରଶାନ୍ତଙ୍କ ସାନ  ଝିଅ ମେହେକ ପ୍ରତିଦିନ ମାଆଙ୍କ ପ୍ରତିମୂର୍ତ୍ତିକୁ  ଶାଢ଼ି, ସୁନା ଅଳଙ୍କାର ପିନ୍ଧାଇ ସଜାଉଛନ୍ତି । ବ୍ୟବସାୟ ସହିତ ସମସ୍ତ କ୍ଷେତ୍ରରେ  ପତ୍ନୀ ତାଙ୍କୁ ସହଯୋଗ କରିବା ସହ ପ୍ରେରଣା  ଦେଉଥିଲା । ତାଙ୍କ ମୃତ୍ୟୁ ପରେ ସଭିଏଁ ମର୍ମାହତ ହୋଇ ରହିଥିଲୁ । ବର୍ତ୍ତମାନ ଏହି  ପ୍ରତିମୂର୍ତ୍ତି ତାଙ୍କର ଅନୁପସ୍ଥିତିକୁ ସାମାନ୍ୟ  ଦୂର ଦେଇପାରିଛି ବୋଲି ପ୍ରଶାନ୍ତ କହିଛନ୍ତି ।