ଭୁବନେଶ୍ୱର,୧୪/୦୬: ଏଣିକି  ବିଭିନ୍ନ ପ୍ରକାରର ସରକାରୀ ସୁବିଧା ପାଇଁ "ଆଧାର' ବାଧ୍ୟତାମୂଳକ ହେବ ।  ଜାତି, ଆୟ, ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ହେଉ କି ଜମିଜମା ରେକର୍ଡ ଓ ପଞ୍ଜୀକରଣ ପାଇଁ ଆଧାର  ନମ୍ୱର ଦେବାକୁ ପଡ଼ିବ । ନଚେତ ଆଧାର ଆବେଦନ କରି ଏହାର ନମ୍ବର ଦେବାକୁ  ପଡ଼ିବ । ସତ୍ୟପାଠ ଦେବାକୁ ପଡ଼ିବ ।  କେବଳ ସେତିକି ନୁହେଁ ସରକାରଙ୍କ ବିଭିନ୍ନ ଯୋଜନାରେ ସବ୍‌ସିଡି ଓ ପ୍ରତ୍ୟକ୍ଷ  ଲାଭ ହସ୍ତାନ୍ତର(ଡିବିଟି)ସୁବିଧାର ହିତାଧିକାରୀଙ୍କ ପାଇଁ ମଧ୍ୟ ଆଧାର ନମ୍ୱର ବାଧ୍ୟତାମୂଳକ କରାଯାଇଛି । ସରକାରୀ ସେବା ପ୍ରକ୍ରିୟାକୁ ସରଳ, ପାରଦର୍ଶୀ ଓ ବ୍ୟାପକ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଶୁକ୍ରବାର ରାଜସ୍ୱ ଓ  ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ  ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ଜାରି  ହୋଇଛି ।  

ବିଭିନ୍ନ ପ୍ରକାରର ସାର୍ଟିଫିକେଟ୍‌ର ଜାଲିଆତି ରୋକିବା ପାଇଁ ଏଭଳି  ପଦକ୍ଷେପ ନିଆଯାଇଛି । ବାମହାତ ବୁଢ଼ା ଅଙ୍ଗୁଠି ଚିହ୍ନକୁ ପ୍ରମାଣ ଭାବେ ବ୍ୟବହାର କରିବାକୁ ବିଜ୍ଞପ୍ତିରେ ନିର୍ଦ୍ଦେଶ ଦିଆଯାଇଛି । ୨୦୧୬ ଆଧାର  ଆଇନର ଧାରା ୭ ଅନୁଯାୟୀ, ଏହା  ସରକାରୀ ସେବା ବିତରଣକୁ ସରଳ କରିବ, ପାରଦର୍ଶିତା ଆଣିବା ସହ ହିତାଧିକାରୀମାନଙ୍କୁ ସିଧାସଳଖ ଲାଭ ପହଞ୍ଚାଇବ । ଯେଉଁମାନଙ୍କର ଆଧାର  ନମ୍ୱର ନାହିଁ କିମ୍ୱା ଆଧାର ନିମନ୍ତେ ପଞ୍ଜୀକରଣ କରିନାହାନ୍ତି, ସେମାନଙ୍କୁ  ଜନସେବା କେନ୍ଦ୍ର କିମ୍ୱା ଆଧାର କେନ୍ଦ୍ରକୁ ଯାଇ ନିଜର ଆଧାର ପ୍ରସ୍ତୁତ କରିବାକୁ ପଡ଼ିବ । 

ରାଜ୍ୟ ସରକାରଙ୍କ  ପକ୍ଷରୁ ଓକାକ୍‌ ଓ ଏନ୍‌ଆଇସି  କେନ୍ଦ୍ରରେ "ଆଧାର' ପଞ୍ଜୀକରଣର  ସୁବିଧା କରାଯାଇଛି । କୌଣସି ବ୍ଲକ  ଓ ତହସିଲରେ "ଆଧାର' ପଞ୍ଜୀକରଣ କେନ୍ଦ୍ର ନ ଥିଲେ ରାଜସ୍ୱ ବିଭାଗ ପକ୍ଷରୁ  ୟୁଏଆଇଡିଏଆଇ ରେଜିଷ୍ଟ୍ରାରଙ୍କ ସହ  ସମନ୍ୱୟ କରି ସୁବିଧାଜନକ ସ୍ଥାନରେ ଏହି ସୁବିଧା ଯୋଗାଇ ଦିଆଯିବ । ଆଧାର ନମ୍ୱର ମିଳିବା ପର୍ଯ୍ୟନ୍ତ ଆବେଦନକାରୀ ଆଧାର ଆବେଦନର  ସ୍ଲିପ୍‌ ସହ ବ୍ୟାଙ୍କ କିମ୍ୱା ଡାକଘର ପାସବୁକ (ଫଟୋ ସହ), ପାନ କାର୍ଡ, ପାସପୋର୍ଟ, ରାସନ କାର୍ଡ, ଭୋଟର ପରିଚୟ ପତ୍ର, ମନରେଗା ଜବ୍‌  କାର୍ଡ, କିଷାନ ବିକାଶ ପତ୍ର, ଡ୍ରାଇଭିଂ  ଲାଇସେନ୍ସ କିମ୍ୱା ଗେଜେଟେଡ୍‌  ଅଫିସର ଅବା ତହସିଲଦାରଙ୍କ ଦ୍ୱାରା  ଅଫିସିଆଲ ଲେଟର୍‌ହେଡରେ ଜାରି ପରିଚୟ ପ୍ରମାଣପତ୍ରକୁ ବ୍ୟବହାର  କରିବେ । ଯଦି ଆଧାର ସତ୍ୟପାଠ  ବିଫଳ ହୁଏ, ତେବେ ଆଖିର ଛବି, ମୋବାଇଲ୍‌ ଓଟିପି ମାଧ୍ୟମରେ ବିକଳ୍ପ  ବ୍ୟବସ୍ଥା ରହିବ । ଶେଷ ପର୍ଯ୍ୟନ୍ତ ଆଧାର ଚିଠିର କ୍ୟୁଆର କୋଡ୍‌ ସହିତ ଫିଜିକାଲ ଆଧାର ଦେଖାଇ  ସାର୍ଟିଫିକେଟ୍‌ ମିଳିପାରିବ ।