ନୂଆଦିଲ୍ଲୀ,୨୦/୦୬: ନୂଆ ପାନ୍‌ କାର୍ଡ ପାଇଁ  ବାଧ୍ୟତାମୂଳକ ହେବ ଆଧାର । ଜୁଲାଇ ୧ରୁ ଏହା  କାର୍ଯ୍ୟକାରୀ ହେବ । ଏଭଳି ଏକ ଯୋଜନା ଉପରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଯୋଜନା  କରୁଥିବା ଜଣାପଡ଼ିଛି । 

ଡିଜିଟାଲ ଭାରତ ଅଭିଯାନର ଏହା ଅଂଶବିଶେଷ । ଏହାସହିତ ଟିକସ ଦାଖଲ ସମୟରେ ଦାୟିତ୍ୱବୋଧତା  ଏବଂ ଅନୁପାଳନକୁ ସୁନିଶ୍ଚିତ କରିବା ଲାଗି ଏହି  ଯୋଜନା ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି । 

ସମ୍ପ୍ରତି ପାନ୍‌ ପାଇଁ ଆବେଦନ କରିବା ସମୟରେ  ନାଁ, ଜନ୍ମ ପ୍ରମାଣପତ୍ର ଏବଂ ଯେକୌଣସି ଏକ  ପ୍ରମାଣପତ୍ର ଦରକାର ହେଉଛି । ଏବେ ଆଧାରକୁ  ବାଧ୍ୟତାମୂଳକ କରାଯିବ । ପୁରୁଣା ପାନ୍‌ କାର୍ଡଧାରୀଙ୍କୁ  ନିଜ ନିଜ ପାନ୍‌ କାର୍ଡକୁ ଆଧାର ସହ ସଂଯୋଗ କରିବାକୁ  ନିର୍ଦ୍ଦେଶ ଦିଆଯାଇଛି ।  

ଏଥିପାଇଁ ଅନ୍ତିମ ଡେଡ୍‌ଲାଇନ୍‌ ରହିଛି ୨୦୨୫  ଡିସେମ୍ବର ୩୧ । ଆଧାର ସହ ଲିଙ୍କ୍‌ ହୋଇ ନ ଥିବା  ପାନ୍‌ କାର୍ଡ ଆସନ୍ତା ବର୍ଷରୁ ଅଚଳ ହୋଇଯିବ । ୨୦୨୪  ମାର୍ଚ୍ଚ ସୁଦ୍ଧା ଭାରତରେ ୭୪ କୋଟିରୁ ଅଧିକ ପାନ୍‌  କାର୍ଡଧାରୀ ଥିଲେ । ଏଥିମଧ୍ୟରୁ ୬୦.୫ କୋଟି କାର୍ଡ  ଆଧାର ସଂଯୋଗ ହୋଇଛି।