• ବସରେ ରହିବ 'ଆଡଭାନ୍ସଡ୍ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ' ଏବଂ 'ଡ୍ରାଇଭର ଫାଟିଗ୍ ମନିଟରିଂ ସିଷ୍ଟମ'
  • ବସ ଚଳାଚଳରେ ଶୃଙ୍ଖଳା ରକ୍ଷା, ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାରକୁ ଗୁରୁତ୍ବ

ଭୁବନେଶ୍ୱର, ୬।୧ : ରାଜ୍ୟରେ ସଡ଼କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ 'ଆମ ବସ' ଅପରେଟରମାନଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବସ ଚଳାଚଳରେ ଶୃଙ୍ଖଳା ରକ୍ଷା, ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଏବଂ ଯାତ୍ରୀମାନଙ୍କୁ ନିରାପଦ ସେବା ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି।

ପ୍ରମୁଖ ଶାସନ ସଚିବ 'ସୁରକ୍ଷା ପ୍ରଥମ' ନୀତି ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେ, ଯାତ୍ରୀମାନଙ୍କ ନିରାପତ୍ତା ସହ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ। ୨୦୨୫ ବର୍ଷର ଦୁର୍ଘଟଣା ତଥ୍ୟ ଅନୁଧ୍ୟାନ କରି ସେ କହିଛନ୍ତି ଯେ, ଯେଉଁ କ୍ଷେତ୍ରରେ ଡ୍ରାଇଭରଙ୍କ ଅବହେଳା ପରିଲକ୍ଷିତ ହୋଇଛି, ସେମାନଙ୍କ ବିରୋଧରେ ଚାକିରିରୁ ବହିଷ୍କାର ଓ ଲାଇସେନ୍ସ ରଦ୍ଦ ଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୁରକ୍ଷା ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ବସଗୁଡ଼ିକରେ 'ଆଡଭାନ୍ସଡ୍ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ' (ADAS) ଏବଂ 'ଡ୍ରାଇଭର ଫାଟିଗ୍ ମନିଟରିଂ ସିଷ୍ଟମ' (DFMS) ସ୍ଥାପନ କରାଯିବ। ଏହାଦ୍ୱାରା ଡ୍ରାଇଭରଙ୍କ ଗାଡ଼ି ଚଳାଇବା ଶୈଳୀ ଓ ସଚେତନତା ଉପରେ ପ୍ରତ୍ୟକ୍ଷ ନଜର ରଖାଯାଇ ଦୁର୍ଘଟଣାକୁ ରୋକାଯାଇପାରିବ। ଏଥିସହ ପ୍ରତିଦିନ ବସ୍ ଚାଳକ ଓ କର୍ମଚାରୀଙ୍କ ମଦ୍ୟପାନ ପରୀକ୍ଷା (Alcohol Testing) କରାଯାଉଛି ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଯାଉଛି।

ଅପରେଟରମାନଙ୍କୁ ଟ୍ରାଫିକ ନିୟମ, ଲେନ୍ ଅନୁଶାସନ ଏବଂ ଗତି ସୀମା କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ଏହି ସହିତ ଡ୍ରାଇଭରମାନଙ୍କ କ୍ଳାନ୍ତିଜନିତ ବିପଦକୁ ଏଡାଇବା ପାଇଁ ନିୟନ୍ତ୍ରିତ କାର୍ଯ୍ୟ ସମୟ ନିଘଣ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ନୂତନ ଭାବେ ନିଯୁକ୍ତ ଡ୍ରାଇଭରମାନଙ୍କୁ କେବଳ ବାଧ୍ୟତାମୂଳକ IDTR ତାଲିମ ଏବଂ ରୁଟ୍ ପରିଚିତି (route familiarisation) ପରେ ହିଁ ନିୟୋଜିତ କରାଯିବ। ଏଥିସହ ପ୍ରତିରକ୍ଷାମୂଳକ ଚାଳନା (defensive driving), ବୈଦ୍ୟୁତିକ ବସ୍ କାର୍ଯ୍ୟକ୍ଷମତା, ପ୍ରାଥମିକ ଚିକିତ୍ସା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ନିରନ୍ତର ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଜାରି ରଖିବାକୁ ସେ କହିଛନ୍ତି।

ନୂତନ ଭାବେ ନିଯୁକ୍ତ ଡ୍ରାଇଭରମାନଙ୍କୁ IDTR ତାଲିମ ଏବଂ ରୁଟ୍ ସମ୍ପର୍କରେ ଜ୍ଞାନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ କ୍ରୁଟ୍ (CRUT) ର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ବିଶ୍ୱାଳ, ଜିଏମ ସହଦେବ ସାମାଧିଆ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟରେ ଏକ ନିରାପଦ ଓ ନାଗରିକ-କୈନ୍ଦ୍ରିକ ସାର୍ବଜନୀନ ପରିବହନ ବ୍ୟବସ୍ଥା ଗଠନ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ ବୈଠକରେ କହିଛନ୍ତି।