ନୂଆଦିଲ୍ଲୀ: ଦିଲ୍ଲୀ ଓ ପଞ୍ଜାବର ପଡ଼ୋଶୀ ହରିୟାଣାରେ ଆମ ଆଦମୀ ପାର୍ଟି (ଆପ୍‌) ବିଧାନସଭା ନିର୍ବାଚନରେ ଜୋରଦାର ଲଢ଼େଇ କରିଥିଲା । କିନ୍ତୁ ଦଳକୁ ସେଠାରେ ସଫଳତା ମିଳିପାରି ନାହିଁ । ହରିୟାଣାରେ ଆପ୍‌ର କୌଣସି ପ୍ରାର୍ଥୀ ନିର୍ବାଚନରେ ବିଜୟୀ ହୋଇପାରି ନାହାନ୍ତି । ସେପଟେ ଜମ୍ମୁକାଶ୍ମୀରରେ ପ୍ରଥମ ଥର ଆପ୍‌ ଖାତା ଖୋଲିଛି । 

ଡୋଡା ବିଧାନସଭା ଆସନରୁ ଆପ୍‌ର ପ୍ରାର୍ଥୀ ମେହରାଜ ମଲିକ୍‌ ବିଜୟ ହାସଲ କରିଛନ୍ତି । ମେହରାଜ ମଲିକ ବିଜେପି ପ୍ରାର୍ଥୀଙ୍କୁ ୪୫୪୮ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ନିର୍ବାଚନ ଆୟୋଗଙ୍କ ଅନୁସାରେ, ମେହରାଜ ମଲିକଙ୍କୁ ୨୨୬୧୧ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଗଜୟ ସିଂହ ରାଣାଙ୍କୁ ୧୮୦୬୩ ଖଣ୍ଡ ଭୋଟ ମିଳିଛି । 




ଜମ୍ମୁକାଶ୍ମୀରେ ପ୍ରଥମ ଥର ଆପ୍‌ ପ୍ରାର୍ଥୀ ଦେଇଥିଲା । ପ୍ରଥମ ନିର୍ବାଚନରେ ଦଳକୁ ସଫଳତା ମିଳିଥିବାରୁ ଅରବିନ୍ଦ କେଜ୍ରିଓ୍ବାଲ ଖୁସି ହୋଇଯାଇଛନ୍ତି । ବିଜୟୀ ନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ।  ସେପଟେ ଜମ୍ମୁକାଶ୍ମୀରରେ ନ୍ୟାସନାଲ୍‌ କନଫରେନ୍ସ (ଏନସି)କୁ ପ୍ରଚଣ୍ଡ ବିଜୟ ମିଳିବାକୁ ଯାଉଛି । ଏନସି ୪୨ ସିଟ୍‌ରେ ଆଗୁଆ ରହିଥିବା ବେଳେ ୬ ସିଟ୍‌ରେ ଆଗୁଆ ରହିଛି କଂଗ୍ରେସ । ସେହିଭଳି ବିଜେପି ୨୯ଟି ସିଟ୍‌ରେ ଆଗୁଆ ରହିଛି ।