ନୂଆଦିଲ୍ଲୀ,୦୫/ ୦୨: ଦିଲ୍ଲୀରେ ବିଧାନସଭା ନିର୍ବାଚନ ନେଇ ଭୋଟିଂ ଜାରି ରହିଛି । ଏହାରି ଭିତରେ ଅଡୁଆରେ ପଡିଛି ଶାସକ ଦଳ ଆମ୍ ଆଦମୀ ପାର୍ଟି । ଆପର ଦୁଇ ବିଧାୟକଙ୍କ ନାମରେ ଅଲଗା ଅଲଗା ଅଭିଯୋଗରେ ମାମଲା ରୁଜ୍ଜୁ ହୋଇଛି । ନିର୍ବାଚନୀ ରାଲିରେ ଜଣେ ମହିଳାଙ୍କୁ ଫ୍ଲାଇଙ୍ଗ କିସ୍ ଦେବା ଅଭିଯୋଗରେ ବିଧାୟକ ଦିନେଶ ମହୋନିଆଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି । ସେହିପରି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗରେ ବିଧାୟକ ଅମାନାତୁଲ୍ଲା ଖାନଙ୍କ ନାମରେ ମାମଲା ଦାୟର ହୋଇଛି । ଭୋଟିଂ ଚାଲିଥିବା ସମୟରେ ଦୁଇ ବିଧାୟକଙ୍କ ନାମରେ ମାମଲା ରୁଜ୍ଜୁ ହେବା ଆପ୍ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି ।

୭୦ ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଦେଉଛି ଦିଲ୍ଲୀ । ନିର୍ବାଚନ ଚାଲିଥିବା ଭିତରେ ଆପ୍ ର ଦୁଇ ବିଧାୟକ ଅଡୁଆରେ ପଡିଛନ୍ତି । ଜଣେ ମହିଳା ସନଗାମ ପୋଲିସ ଷ୍ଟେସନରେ ବିଧାୟକ ଦିନେଶ ମହୋନିଆଙ୍କ ନାମରେ ଅଭିଯୋଗ ଆଣିବା ପରେ ମାମଲା ଦାୟର ହୋଇଛି  । ନିର୍ବାଚନୀ ରାଲିରେ ବିଧାୟକ ତାଙ୍କୁ ଫ୍ଲାଇଙ୍ଗ କିସ୍ ଦେଇଥିବା ଅଭିଯୋଗ କରିଥିଲେ ମହିଳା । ଦିଲ୍ଲୀ ପୋଲିସ ଅଭିଯୋଗ ଆଧାରରେ ଧାରା ୩୨୩/୩୪୧/୫୦୯ରେ ମାମଲା ରୁଜ୍ଜୁ ହୋଇଛି । ଅନ୍ୟପଟେ ବିଧାୟକ ଅମାନାତୁଲ୍ଲା ଖାନଙ୍କ ନାମରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ହୋଇଛି । ଜାମନଗର ପୋଲିସ ଷ୍ଟେସନରେ ୯୫/୯୫ ୟୁ/ଏସ ୨୨୩/୩/୫ ବିଏନଏସ ଏବଂ ୧୨୬ ଆରପି ଆକ୍ଟ ଅଧୀନରେ ମାମଲା ରୁଜ୍ଜୁ ହୋଇଛି । ନିର୍ବାଚନୀ ସମୟ ସରିବା ପରେ ବି ଅମାନାତୁଲ୍ଲା ଖାନ ପ୍ରଚାର କରିଥିବା ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ...Delhi Assembly Election: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀଙ୍କ ପାଖରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା; ବିବାଦରେ ଛନ୍ଦି ହେଲେ ଆତିଶି

ଦିଲ୍ଲୀ ନିର୍ବାଚନ ମଇଦାନରେ ମୋଟ୍ ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି । ଆସୋସିଏସନ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର୍) ରିପୋର୍ଟ ଅନୁସାରେ,୧୩୨ ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି । ୮୧ଜଣଙ୍କ ବିରୋଧରେ ହତ୍ୟା, ଅପହରଣ ଭଳି ସଙ୍ଗୀନ ମାମଲା ରଜ୍ଜୁ ହୋଇଛି । ୧୩ଜଣ ପ୍ରାର୍ଥୀଙ୍କ ନାମରେ ମହିଳା ବିରୋଧୀ ଅପରାଧିକ ମାମଲା ରହିଛି । ୫ ପ୍ରାର୍ଥୀଙ୍କ ନାମରେ ୧୦୦ କୋଟିରୁ ଅଧିକ ସମ୍ପତ୍ତି ରହିଛି । ସେମାନଙ୍କ ମଧ୍ୟରେ ବିଜେପିର ୩, କଂଗ୍ରେସର ୧ ଓ ଆପର ଜଣେ ପ୍ରାର୍ଥୀ ରହିଛନ୍ତି ।