କଟକ,୨୫/୦୧: ଆଉ ନାହାନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ଦୀର୍ଘ ଦିନ ଧରି ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି । ୫୪ ବର୍ଷ ବୟସରେ ଆଖି ବୁଜିଛନ୍ତି ଅଭିଜିତ୍ । ଲିଭର୍ ଜନିତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ ।ଏମ୍ସରୁ ମରଶରୀରକୁ ତାଙ୍କ କଟକ ସ୍ଥିତ ଘରକୁ ନିଆଯାଉଛି। ସେଠାରେ ଶେଷ ଦର୍ଶନ ପରେ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି। ଅଭିଜିତଙ୍କ ବିୟୋଗରେ ଓଡ଼ିଆ ସିନେମା ଓ ଆଲବମ୍ ଦୁନିଆରେ ଶୋକର ଛାୟା ଖେଳିଯାଇଛି।
ପ୍ରକାଶ ଥାଉକି,ଅଗଷ୍ଟ ୩୧ ତାରିଖରେ କଟକ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅଭିଜିତ । ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେବେଠାରୁ ସେ କୋମାରେ ଥିଲେ । ଏହାପରେ ଗତ ସେପ୍ଟେମ୍ବର ୪ ତାରିଖରେ ଅଭିଜିତ ମଜୁମଦାରଙ୍କୁ ଭୁବନେଶ୍ବର ଏମ୍ସକୁ ଅଣାଯାଇଥିଲା । ସେଠାରେ ତାଙ୍କର ନିରନ୍ତର ଚିକିତ୍ସା ଚାଲିଥିଲା । ଗତବର୍ଷ ଅକ୍ଟୋବର ୨୩ରେ ଅଭିଜିତଙ୍କର ବ୍ରେନ୍ ଏମଆରଆଇ କରାଯାଇଥିଲା ।ରିପୋର୍ଟରେ ମଧ୍ୟ କୌଣସି ସୁଧାର ଦେଖାଯାଇନଥିଲା । ଡାକ୍ତରମାନେ ଅଭିଜିତଙ୍କୁ ଭେଣ୍ଟିଲେଟର ସହାୟତାରୁ ଧୀରେ ଧୀରେ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ । ଅଭିଜିତ ମଜୁମଦାର ଏମ୍ସରେ ଚିକିତ୍ସିତ ହେଉଥିଲେ । କିଛିଦିନ ହେବ ତାଙ୍କୁ ବ୍ରେନ ଡେଡ୍ ଘୋଷଣା କରାଯାଇଥିବା ନେଇ ଗୁଜବ ପ୍ରସାରିତ ହୋଇଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି ।