ନୂଆଦିଲ୍ଲୀ,୨୪/୦୨: ଭାରତୀୟ ବ୍ୟାଟର ଅଭିଷେକ ଶର୍ମା ୨୦୨୬ ଟି-୨୦ ବିଶ୍ୱକପ୍ରେ ଏପର୍ଯ୍ୟନ୍ତ ବିଫଳ ସାବ୍ୟସ୍ତ ହୋଇଛନ୍ତି। ପ୍ରଥମ ତିନୋଟି ମ୍ୟାଚ୍ରେ ଶୂନରେ ଆଉଟ୍ ହେବା ପରେ, ସେ ଚତୁର୍ଥ ମ୍ୟାଚ୍ରେ ନିଜର ଖାତା ଖୋଲିଥିଲେ କିନ୍ତୁ ମାତ୍ର ୧୫ ରନ୍ରେ ଆଉଟ୍ ହୋଇଥିଲେ। ଏବେ ପ୍ରଶ୍ନ ଉଠୁଛି: ଲଗାତାର ଚାରି ଥର ଫ୍ଳପ୍ ହେବା ପରେ ଅଭିଷେକଙ୍କୁ ଜିମ୍ବେଓ୍ବେ ବିପକ୍ଷ ମ୍ୟାଚରେ ପ୍ଲେଇଂ ଇଲେଭେନରୁ ବାଦ୍ ଦିଆଯିବ କି?
ଅଭିଷେକ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁପର-୮ ମ୍ୟାଚ୍ ରେ ୧୫ ରନର ଇନିଂସ ଖେଳିଥିଲେ, ଏହା ପରେ ଏବେ ଅଭିଷେକଙ୍କୁ ଚୁଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇ ସଞ୍ଜୁ ସାମସନଙ୍କୁ ସୁଯୋଗ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।
ଜିମ୍ବାଓ୍ବେ ବିପକ୍ଷରେ ପରବର୍ତ୍ତି ମ୍ୟାଚ୍ ଖେଳିବ ଭାରତ:
ଟିମ୍ ଇଣ୍ଡିଆର ପରବର୍ତ୍ତୀ ମ୍ୟାଚ୍ ଗୁରୁବାର, ଫେବୃଆରୀ ୨୬ ତାରିଖରେ ଜିମ୍ବାୱେ ବିପକ୍ଷରେ ଖେଳାଯିବ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଚୁଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରି ସଞ୍ଜୁ ସାମସନଙ୍କୁ ଇନିଂସ ଓପନିଂ କରିବାର ସୁଯୋଗ ଦେଇପାରନ୍ତି। ସଞ୍ଜୁ ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ମ୍ୟାଚ୍ ଖେଳିଛନ୍ତି। ସେ ନାମିବିୟା ବିପକ୍ଷରେ ଖେଳି ୨୨ ରନ୍ କରିଛନ୍ତି। ସୂଚନାଥାଉକି, ସଞ୍ଜୁ ମଧ୍ୟ ବିଶେଷ ଭଲ ଫର୍ମରେ ନାହାନ୍ତି। ତଥାପି, ତାଙ୍କ ଫର୍ମ ଅଭିଷେକଙ୍କ ଅପେକ୍ଷା ଭଲ ଦେଖାଯାଉଛି। ଜିମ୍ବାୱେ ବିପକ୍ଷ ମ୍ୟାଚ୍ ପାଇଁ ଭାରତର ଚୁଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ହେଉଛି କି ନାହିଁ ତାହା ଦେଖିବା ଆକର୍ଷଣୀୟ ହେବ।
ଅଧିକ ପଢ଼ନ୍ତୁ: ୨୦୨୬ ଟି-୨୦ ବିଶ୍ୱକପର ସେମିଫାଇନାଲରେ କିପରି ପହଞ୍ଚିବ ଟିମ୍ ଇଣ୍ଡିଆ? ସରଳ ଭାଷାରେ ବୁଝନ୍ତୁ ସମସ୍ତ ସମୀକରଣ
ଗୋଟିଏ ମ୍ୟାଚ୍ ହାରିଲେ ଶେଷ ହୋଇଯିବ ସେମିଫାଇନାଲ ଆଶା:
ସୁପର ୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ହାରିବା ପରେ, ଟିମ୍ ଇଣ୍ଡିଆ ସେମିଫାଇନାଲ୍ ଦୌଡ଼ରୁ ବାଦ ପଡ଼ିବାର ଆଶଙ୍କା ରହିଛି। ଏବେ, ଯଦି ମେନ୍ ଇନ୍ ବ୍ଲୁ ସେମାନଙ୍କର ବାକି ଦୁଇଟି ମ୍ୟାଚ୍ ମଧ୍ୟରୁ ଗୋଟିଏ ମଧ୍ୟ ହାରିଯାଏ, ତେବେ ସେମିଫାଇନାଲ୍ ପହଞ୍ଚିବା ପ୍ରାୟତଃ ଅସମ୍ଭବ ହୋଇଯିବ।
ଜିମ୍ବାୱେ ବିପକ୍ଷରେ ଭାରତର ସମ୍ଭାବ୍ୟ ଏକାଦଶ:
ସଞ୍ଜୁ ସାମସନ, ଇଶାନ କିଶନ (ୱିକେଟ୍ କିପର), ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ୱାଶିଂଟନ୍ ସୁନ୍ଦର, ଅର୍ଶଦୀପ ସିଂ, ଜସପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ।
ପ୍ରମେୟ କ୍ରିଡ଼ା ସମ୍ପର୍କିତ ଖବର: ଏହି କାରଣରୁ ଟୁର୍ଣ୍ଣାମେଣ୍ଟ ଅଧାରେ ଘରକୁ ଫେରିଲେ ରିଙ୍କୁ ସିଂହ