ନୂଆଦିଲ୍ଲୀ: ନମ୍ବର ୱାନ୍ ଟି-୨୦ ବ୍ୟାଟର ଅଭିଷେକ ଶର୍ମାଙ୍କୁ ଖୁବଶୀଘ୍ର ଦିନିକିଆ ଫର୍ମାଟରେ ସାମିଲ କରାଯାଇପାରେ। ଏସିଆ କପରେ ପାକିସ୍ତାନ ବିପକ୍ଷରେ ଏକ ଧମାକାଦାର ଇନିଂସ ଖେଳିବା ପରେ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦିନିକିଆ ଦଳରେ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଚୟନ କମିଟି ଏହି ବିଷୟ ଉପରେ ବିଚାର କରୁଛି। ଟିମ୍ ଇଣ୍ଡିଆ ପାଇଁ ୨୧ ଟି-୨୦ ମ୍ୟାଚ୍ ଖେଳିଥିବା ଅଭିଷେକ ଶର୍ମା ଏସିଆ କପରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି ଏବଂ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଏହାକୁ ବିଚାର କରି ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ତାଙ୍କୁ ଦିନିକିଆ ଦଳରେ ସୁଯୋଗ ଦେବା ବିଷୟରେ ବିଚାର କରିପାରନ୍ତି।

ରିପୋର୍ଟ ଅନୁଯାୟୀ, ଟିମ୍ ଇଣ୍ଡିଆର ଓପନର ଅଭିଷେକ ଶର୍ମାଙ୍କୁ ଆସନ୍ତା ମାସରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ODI ଦଳରେ ସାମିଲ କରାଯାଇପାରେ। ଭାରତ ଅଷ୍ଟ୍ରେଲିଆରେ ତିନୋଟି ଓଡିଆଇ ଏବଂ ଟି ଟି-୨୦ ଖେଳିବ । ଓଡିଆଇ ସିରିଜ୍ ଅକ୍ଟୋବର ୧୯ ତାରିଖରୁ ଆରମ୍ଭ ହେବ।  ବିସ୍ଫୋରକ ବ୍ୟାଟର ଅଭିଷେକ ଛୋଟ ଫର୍ମାଟରେ ତାଙ୍କ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ତେଣୁ ଚୟନକର୍ତ୍ତା ତାଙ୍କୁ ଓଡିଆଇ ଦଳରେ ସ୍ଥାନ ଦେବାକୁ ବିଚାର କରିପାରେ। ଅଭିଷେକ ଶର୍ମା ବର୍ତ୍ତମାନ ଏସିଆ କପ୍ ୨୦୨୫ରେ ସର୍ବାଧିକ ରନ ସ୍କୋରର ତାଲିକାରେ ଶୀର୍ଷରେ ଅଛନ୍ତି। ସେ ଚାରୋଟି ମ୍ୟାଚ୍ ରେ ୧୭୩ରନ କରିଛନ୍ତି । ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୦୮.୪୩ ରହିଛି।  ଏହି ପ୍ରଭାବଶାଳୀ ପ୍ରଦର୍ଶନ ତାଙ୍କ କଠିନ ପରିଶ୍ରମକୁ ଦର୍ଶାଉଛି ।

ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟର ଅଭିଷେକ ଶର୍ମା ଘଣ୍ଟା ଘଣ୍ଟା ଅଭ୍ୟାସ କରନ୍ତି। ତାଙ୍କର ଲିଷ୍ଟ ଏ ରେକର୍ଡ ମଧ୍ୟ ବହୁତ ପ୍ରଭାବଶାଳୀ। ସେ ୬୧ ମ୍ୟାଚରେ ୩୫.୩୩ ହାରରେ ଏବଂ ୯୯.୨୧ ଷ୍ଟ୍ରାଇକ୍ ରେଟ୍ ସହ 2014 ରନ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୩୮ ୱିକେଟ୍ ମଧ୍ୟ ନେଇଛନ୍ତି। ପାକିସ୍ତାନ ବିପକ୍ଷରେ ଏସିଆ କପର ସୁପର ଫୋର୍ ମ୍ୟାଚ୍‌ରେ ଅଭିଷେକ ଶର୍ମା ଏବଂ ତାଙ୍କ ପିଲାଦିନର ବନ୍ଧୁ ଶୁଭମନ ଗିଲ୍ ପ୍ରଥମ ୱିକେଟ୍ ପାଇଁ ମାତ୍ର ୯.୫ ଓଭରରେ ୧୦୫ ରନ୍ ଯୋଡ଼ିଥିଲେ। ଏହା ଭାରତକୁ ସହଜ ବିଜୟ ଦେବାରେ ସହାୟକ ହୋଇଥିଲା । ଏବେ ପ୍ରଶ୍ନ ଯ, ଯଦି ଅଭିଷେକଙ୍କୁ ଓଡିଆଇ ଦଳରେ ସାମିଲ କରାଯାଏ, ତେବେ କାହାକୁ ବାଦ୍ ଦିଆଯିବ ?

ସେପଟେ ଯଦି ଅଭିଷେକ ଶର୍ମାଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳରେ ସାମିଲ କରାଯାଏ, ତେବେ କେଉଁ ଖେଳାଳି ବାଦ ପଡ଼ିବେ ତାକୁ ନେଇ ଚର୍ଚ୍ଚା ଲାଗିରହିଛି । ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ଓଡିଆଇ ବିଶ୍ୱକପ୍ ପୂର୍ବରୁ ଭାରତ ୨୭ଟି ଦିନିକିଆ ଖେଳିବ । ଓଡିଆଇରେ ଓପନିଂ ବ୍ୟାଟ ଭାବରେ ଶୁଭମନ ଗିଲ୍ ପ୍ରଥମ ପସନ୍ଦ। ଏବେ ଯଦି ଅଭିଷେକ ଶର୍ମା ଶୁଭମନ ଗିଲଙ୍କ ସହ ଦିନିକିଆରେ ଇନିଂସ ଓପନ କରନ୍ତି, ତେବେ ରୋହିତ ଶର୍ମାଙ୍କ କରିବେ କ’ଣ ? ଅଧିନାୟକ ରୋହିତ ଶର୍ମାଙ୍କ ଦିନିକିଆ କ୍ୟାରିୟର କ'ଣ ଶେଷ ହୋଇଯିବ ? ଆଉ ଏକ ପ୍ରଶ୍ନ ହେଉଛି, ଚଳିତ ବର୍ଷ ନାଗପୁରରେ ଇଂଲଣ୍ଡ ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିବା ଯଶସ୍ୱୀ ଜୟସ୍ୱାଲଙ୍କୁ ଟିମ୍‌ରେ ସାମିଲ କରାଯିବ କି ନାହିଁ ? ଯଦି ଅଭିଷେକଙ୍କୁ ଦିନିକିଆ ଦଳରେ ସାମିଲ କରାଯାଏ ତେବେ ଟିମ୍‌ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶ କିଭଳି ହେବ ତାହା ଉପରେ ସମସ୍ତଙ୍କ ନଜର ରହିବ ।