ଆବୁଧାବି,୧୫/୦୩: ଇରାନ ତରଫରୁ ହେଉଥିବା ଆକ୍ରମଣର ଭିଡିଓ ଏବଂ ଫଟୋ ସେୟାର କରିବା ୟୁଏଇରେ ଏବେ ମହଙ୍ଗା ପଡ଼ୁଛି । ଯେଉଁ ଲୋକ ଏଭଳି କରୁଛନ୍ତି, ସେମାନଙ୍କୁ ଖୋଜି ଖୋଜି ଗିରଫ କରାଯାଉଛି । ଆବୁଧାବି ପୁଲିସ ଅଦ୍ୟାବଧି ୪୫ ଜଣଙ୍କୁ ଗିରଫ କଲାଣି । ଏମାନଙ୍କ ମଧ୍ୟରେ ବିଭିନ୍ନ ଦେଶର ନାଗରିକ ରହିଛନ୍ତି । ଇରାନ ବର୍ତ୍ତମାନ ବିଭିନ୍ନ ମଧ୍ୟପ୍ରାଚ୍ୟ ଦେଶରେ ଆକ୍ରମଣ ଜାରି ରଖିଛି । ଆମେରିକୀୟ ସାମରିକ ଘାଟିକୁ ଏଥିରେ ଟାର୍ଗେଟ୍ କରାଯାଉଛି । ୟୁଏଇ ଉପରେ ମଧ୍ୟ ଅନେକ ବାର ଆକ୍ରମଣ ହେଲାଣି । ତେବେ ଏଠାରେ ରହୁଥିବା ବିଭିନ୍ନ ଦେଶର ନାଗରିକ ହମଲା ବେଳର ଫଟୋ ଏବଂ ଭିଡିଓ ହାସଲ କରି ଏହାକୁ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । କେତେକ କ୍ଷେତ୍ରରେ ସେମାନେ ମିଥ୍ୟା ଖବର ବି ଛାଡ଼ୁଛନ୍ତି । ଗୁଜବ ପ୍ରସାରଣ ଯୋଗୁ ବିଭିନ୍ନ ସମୁଦାୟ ମଧ୍ୟରେ ବିବାଦ ଉପୁଜୁଛି ।
ଅଧିକ ପଢ଼ନ୍ତୁ :- ନେତାନ୍ୟାହୁଙ୍କୁ ଖୋଜିକି ମାରିବୁ, ପ୍ରତିଶୋଧ ନିଆଁରେ ଜଳୁଛି ଇରାନ ସେନା
ଏ ନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି, ସାମ୍ବାଦିକତା ଉପରେ କୌଣସି ପ୍ରକାର କଟକଣା ନାହିଁ । କିନ୍ତୁ ଦାୟିତ୍ୱହୀନ ଭାବେ ମିଥ୍ୟା ଖବର ପ୍ରସାରଣକୁ ସ୍ୱୀକାର କରାଯିବ ନାହିଁ । ଦେଶରେ ରହିଥିବା ପ୍ରକୃତ ସ୍ଥିତି ବାବଦରେ ଭୁଲ ତଥ୍ୟ ପ୍ରସାରଣ କରାଯିବା ଅନୁଚିତ । ଗତ ସୋମବାର ଦୁବାଇରେ ଜଣେ ବ୍ରିଟିଶ ନାଗରିକ ଏହି ଅଭିଯୋଗରେ ଗିରଫ ହୋଇଥିଲେ । ଏହାପରେ ୟୁଏଇରେ ଅବସ୍ଥାପିତ ବ୍ରିଟିଶ ଦୂତାବାସ ନିଜ ଦେଶର ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରି ଇରାନୀ ଆକ୍ରମଣର କୌଣସି ଫଟୋ କିମ୍ବା ଭିଡିଓ ସେୟାର ନ କରିବାକୁ କହିଥିଲା ।