ଫୁଲବାଣୀ,୨୬/୧୨ :  ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ବତନ୍ତ୍ର ପୋକସୋ କୋର୍ଟ ବିଚାରପତି ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି । ଏଥିସହ ଅଭିଯୁକ୍ତକୁ ୪୫ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ଅଧିକ ୧୧ଜେଲ ଭୋଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଅଭିଯୁକ୍ତ ଜଣକ ହେଲେ କୋଟଗଡ ଥାନା ଅଞ୍ଚଳର ମହାସେକ ମୁଠାମାଝୀ। 

ସୂଚନା ଅନୁଯାୟୀ, ଅଭିଯୁକ୍ତ ମହାସେକ ଜନୈକା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଗତ ୨୦୧୮ ମେ ମାସ ୮ ତାରିଖରେ ପୀଡିତାଙ୍କ ପରିବାର ପକ୍ଷରୁ କୋଟଗଡ ଥାନାରେ ଲିଖିତ   ଅଭିଯୋଗ ହୋଇଥିଲା ।  ଏତଲା ଆଧାରରେ ପୁଲିସ ୨୫/୧୮ରେ ଏକ ମାମଲା  ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଆଜି ସେହି ମାମଲାର ବିଚାର କରି ପୋକସୋ କୋର୍ଟ ବିଚାରପତି ରାଜେଶ ଦାଶ ପୀଡିତା ଏବଂ  ୧୨ ଜଣ ସାକ୍ଷୀଙ୍କ ବୟାନ ତଥା ଡାକ୍ତରୀ ରିପୋର୍ଟ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ପୀଡିତାଙ୍କୁ କ୍ଷତି ପୂରଣ ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ମାମଲାଟିକୁ ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ ।